କନକ ବ୍ୟୁରୋ: ଭୟଙ୍କର ଯୁଦ୍ଧ ମଧ୍ୟରେ ଇରାନ ଏକ ବିସ୍ଫୋରକ ଦାବି କରିଛି । ଇରାନର କହିବା ଅନୁସାରେ, ଗତ ରବିବାର ଦିନ ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ତାଙ୍କର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିଛନ୍ତି । ଆନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିରେ ଇରାନର ରାଷ୍ଟ୍ରଦୂତ ରେଜା ନଜାଫି ସୂଚନା ଦେଇଛନ୍ତି ଯେ, ଏହି ଆକ୍ରମଣ ଇରାନର ପ୍ରସିଦ୍ଧ ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ହୋଇଛି । ଏହି ଘଟଣା ପରେ ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି ।

Advertisment

ଏହା ବି ପଢନ୍ତୁ: ଖାମେନେଇଙ୍କୁ ନେଇ ଟ୍ରମ୍ପ ଦେଲେ ବଡ଼ ବୟାନ, କହିଲେ ‘ମୋତେ ମାରିବାକୁ ପ୍ଲାନ୍‌ କରୁଥିଲେ…’

ଇରାନର ରାଷ୍ଟ୍ରଦୂତ ରେଜା ନଜାଫି କହିଛନ୍ତି ଯେ, ଆମେରିକା ଏବଂ ଇସ୍ରାଏଲ ସରକାରଙ୍କ ମିଳିତ ଆକ୍ରମଣ ଗତ ୯ ମାସ ମଧ୍ୟରେ ଦ୍ୱିତୀୟ ବଡ଼ ଆକ୍ରମଣ ।  ସେ ଏହି ସମସ୍ତ ଆକ୍ରମଣକୁ ବେଆଇନ, ଆପରାଧିକ ଏବଂ ଅତ୍ୟନ୍ତ ନିର୍ଦ୍ଦୟ ବୋଲି  କହିଛନ୍ତି । ଇରାନର ରାଷ୍ଟ୍ରଦୂତ ଏକ ଦୁଃଖଦ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହି ଆକ୍ରମଣରେ ଏକ ପ୍ରାଥମିକ ବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି, ଯେଉଁଥିରେ ଅତି କମରେ ୧୬୫ ଜଣ ନିରୀହ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । 

ଇରାନର ରାଷ୍ଟ୍ରଦୂତ କହିଛନ୍ତି ଯେ, "ଗତକାଲି ପୁଣିଥରେ ଇରାନର ସୁରକ୍ଷିତ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ହୋଇଛି । ଇରାନ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବାକୁ ଚାହୁଛି ବୋଲି ସେମାନେ ଯାହା କହୁଛନ୍ତି, ତାହା କେବଳ ଏକ ବଡ଼ ମିଛ । ସେମାନେ ଆମର ସର୍ବୋଚ୍ଚ ନେତାଙ୍କୁ ଶହୀଦ କରିଦେଇଛନ୍ତି, ଯିଏକି ଜଣେ ଏମିତି ମୁସଲିମ୍ ବିଦ୍ୱାନ ଥିଲେ ଯେ ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ସମ୍ପୂର୍ଣ୍ଣ ରୂପେ ରୋକ୍ ଲଗାଇଥିଲେ ।"

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଭୁଲ୍ ତଥ୍ୟ ସବୁବେଳେ ଆମେରିକାର ବୈଦେଶିକ ନୀତିର ଏକ ମୁଖ୍ୟ ଆୟୁଧ ହୋଇ ରହିଆସିଛି । ଏହାକୁ ହିଁ ଆମେରିକାର 'ବଡ଼ ଧରଣର ପ୍ରତାରଣାର ଅସ୍ତ୍ର' ବୋଲି ସେ କହିଛନ୍ତି । 
ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ସାମରିକ ଆକ୍ରମଣ ଜାରି ରହିଥିବା ବେଳେ ଭିଏନାରେ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିର ବୋର୍ଡ ଅଫ୍ ଗଭର୍ଣ୍ଣର୍ସଙ୍କ ଏକ ଜରୁରୀକାଳୀନ ବୈଠକ ସୋମବାରଠାରୁ ଆରମ୍ଭ ହୋଇଛି । ରୁଷର ଅନୁରୋଧ କ୍ରମେ ଏହି ବୈଠକରେ ଇରାନର ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ହୋଇଥିବା ଆମେରିକା ଓ ଇସ୍ରାଏଲର ଆକ୍ରମଣ ସମ୍ପର୍କରେ ଗୁରୁତର ଆଲୋଚନା କରାଯାଉଛି । ୟୁଏନ୍ ପରମାଣୁ ୱାଚ୍‌ଡଗ୍‌ର ଏହି ପଦକ୍ଷେପ ବର୍ତ୍ତମାନର ଯୁଦ୍ଧ ପରିସ୍ଥିତିରେ ବିଶ୍ୱର ଦୃଷ୍ଟି  ଆକର୍ଷଣ କରିଛି ।

ଇରାନର ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ ପରେ ପରିସ୍ଥିତି ଅତି ଗମ୍ଭୀର ହୋଇଥିବା ବେଳେ ଏକ ବଡ଼ ଧରଣର ବିକିରଣ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ, ଯାହାଫଳରେ ବଡ଼ ବଡ଼ ସହରଗୁଡ଼ିକୁ ଖାଲି କରିବାକୁ ପଡ଼ିପାରେ ।  ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଇରାନର ପରମାଣୁ ନିୟାମକ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ । ଏହି ସଙ୍କଟଜନକ ସ୍ଥିତିରେ ସମସ୍ତ ପକ୍ଷ ଅତି ମାତ୍ରାରେ ସଂଯମତା ରକ୍ଷା କରିବା ସହ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଏଜେନ୍ସି ପକ୍ଷରୁ ନିବେଦନ କରାଯାଇଛି ।