କନକ ବ୍ୟୁରୋ: ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପିଲାଟି ଦିନରୁ ବାପାଙ୍କୁ ହରାଇଥିଲେ । ବିଦ୍ୟାଳୟକୁ ଯିବା ଯାହାଙ୍କ ପାଇଁ ଦିନେ ସ୍ବପ୍ନ ଥିଲା । ସେ ଆଜି ୭ରୁ ଅଧିକ ଆଦିବାସୀ ଓ ବେସହାରା ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରି ସୃଷ୍ଟି କରିଛନ୍ତି ଉଦାହରଣ । ଖଣି ଅଞ୍ଚଳର ମହିଳାମାନଙ୍କ ସଶକ୍ତିକରଣ ପାଇଁ ସଦାସର୍ବଦା ଚେଷ୍ଟା ଜାରି ରଖିଛନ୍ତି । କେନ୍ଦୁଝରରୁ ଦେଖିବା ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କର ସଂଘର୍ଷ ଓ ସଫଳତାର କାହାଣୀ ।
ଏହା ବି ପଢ଼ନ୍ତୁ: ଚାଷୀଙ୍କୁ ଠକିଦେଲେ ସରକାର ! ଘର ଗଢ଼ିଦେଇ ଭୁଲିଗଲେ, ଚାରା ଉତ୍ପାଦନ ଅପେକ୍ଷାରେ ସବୁଜ ଘର
ବିଦ୍ୟାଳୟର ମାଟି ମାଡ଼ିବା ଯାହାଙ୍କ ପାଇଁ ସ୍ବପ୍ନ ଥିଲା । ଅଭାବ ଅନଟନ ଯାହାଙ୍କୁ ୭ ବର୍ଷରୁ ସଜାଇ ଦେଇଥିଲା ଶିଶୁ ଶ୍ରମିକ । ସେ ଆଜି ଅନ୍ୟର ସ୍ବପ୍ନକୁ ସଜାଡ଼ିବାକୁ କରୁଛନ୍ତି ଉଦ୍ୟମ । ଦାରିଦ୍ର୍ୟ ଯୋଗୁଁ ପାଠ ପଢ଼ିବାକୁ ଅକ୍ଷମ ପିଲାଙ୍କ ପାଇଁ ପାଲଟିଛନ୍ତି ଆଶା ଓ ଭରସା । ସେ ହେଉଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା । କେନ୍ଦୁଝର ଜିଲ୍ଲା ବଡବିଲ ନିକଟରେ ସେରେଣ୍ଡା ଆଦିବାସୀ ବିକାଶ ସମିତି କରି ସାଜିଛନ୍ତି ପିଲାଙ୍କ ସୁଖଦୁଃଖର ସାଥୀ। ପଢ଼ିବା ଠାରୁ ଆରମ୍ଭ କରି ରହିବା ଓ ଖାଇବା ଯାଏ ସବୁ କଥା ସେ ବୁଝିଥାନ୍ତି । ନିଜେ ବିବାହ କରିନାହାନ୍ତି, ମା’ର ଅସରନ୍ତି ମମତା ଅଜାଡ଼ି ଦେଉଛନ୍ତି କୁନି କୁନି ପିଲାଙ୍କ ଉପରେ ।
୧୯୪୭ରେ କେନ୍ଦୁଝର ଜିଲ୍ଲା କଇଁସି ଗାଁର ଏକ ଆଦିବାସୀ ପରିବାରରେ ତୁଳସୀ ଅପାଙ୍କର ଜନ୍ମ । ପେଟର ଭୋକ ତାଙ୍କୁ ଶିଶୁ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ କରିଥିଲା । କିନ୍ତୁ ପାଠ ପଢିବାର ଅଦମ୍ୟ ଇଚ୍ଛା ଆଗରେ ହାର୍ ମାନିଲା ଦାରିଦ୍ର୍ୟତା । ନିଜେ ସକ୍ଷମ ହେବା ସହ ଗରିବ ଓ ବେସାହାରା ପିଲାଙ୍କ ପାଇଁ ୧୯୬୪ରେ ସେରେଣ୍ଡାଠାରେ ଆରମ୍ଭ କଲେ ଆଦିବାସୀ ବିକାଶ ସମିତି । କେହି ଯେମିତି ପାଠପଢ଼ାରୁ ବଞ୍ଚିତ ନରହିବେ ସେଥିପାଇଁ ଅନୁଷ୍ଠାନ ମାଧ୍ୟମରେ ଚେଷ୍ଟା କରୁଛନ୍ତି ତୁଳସୀ ଅପା । ଏଥିପାଇଁ ୨୦୦୧ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ବି ହୋଇଛନ୍ତି । କେବଳ ସେରେଣ୍ଡା ନୁହେଁ, ରୋଇଡ଼ା, ଦଲକୀ ପରି ୯ଟି ସ୍ଥାନରେ ହଜାରେରୁ ଅଧିକ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରି ସୃଷ୍ଟି କରିଛନ୍ତି ଏକ ଉଦାହରଣ । ଏଥିସହ ଖଣି ଅଞ୍ଚଳର ମହିଳା ମାନଙ୍କ ସଶକ୍ତିକରଣ ଦିଗରେ ଉଦ୍ୟମ ଜାରି ରଖିଛନ୍ତି ।
Follow Us