କନକ ବ୍ୟୁରୋ : ଶିଳ୍ପ ଲାଗି ଅତିଷ୍ଠ ହେଲାଣି ପ୍ରଦୂଷଣ। ଛତୁ ଫୁଟିଲା ଭଳି ଖୋଲୁଛି ଶିଳ୍ପସଂସ୍ଥା, ମାଲେମାଲ ହେଉଛନ୍ତି ଶିଳ୍ପପତି । ହେଲେ ଧୂଆଁଧୂଳି ଖାଇ ରୋଗାକ୍ରାନ୍ତ ହେଉଛନ୍ତି ଲୋକେ । ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟ ଯୋଗୁଁ କିଭଳି ହନ୍ତସନ୍ତ ହେଉଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ଗଣ୍ଠିଗାଡ଼ିଆ ବାସୀ ।
ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗନ୍ଥିଗାଡ଼ିଆ ଗାଁ ପୋଖରୀ। ପାଣି ଉପରେ ପଡ଼ିଛି ଇଞ୍ଚେ ବହଳର କେମିକାଲ ମିଶା ଧୂଳି ଆସ୍ତରଣ। ଗତ କିଛି ମାସ ହେଲା ଗାଁ ନିକଟରେ ଥିବା ଟାଟା ଷ୍ଟିଲ ମେରାମଣ୍ଡଳୀ ପ୍ଲାଣ୍ଟ ପ୍ରତିଦିନ ସନ୍ଧ୍ୟା ବେଳକୁ ଏକ ବିଷାକ୍ତ ଗ୍ୟାସ ଛାଡୁଛି । ଦୁର୍ଗନ୍ଧରେ ଫାଟି ପଡ଼ୁଥିବା ଏହି ଗ୍ୟାସ୍ ନାକ ଓ ଆଖିରେ ବାଜିଲେ ଜଳାପୋଡ଼ା ହେଉଛି, ମୁଣ୍ଡ ବିନ୍ଧୁଛି । ଏଥିସହ ଚିମିନିରୁ ବାହାରୁଥିବା ଧୂଆଁ ପୋଖରୀ ପାଣିକୁ ଦୂଷିତ କରୁଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଏହି ପାଣି ବ୍ୟବହାର କରୁଥିବାରୁ ଗାଁରେ କୁଣ୍ଡିଆ ଓ ଆଣ୍ଠୁ ଗଣ୍ଠି ରୋଗ ବଢୁଥିବା କହିଛନ୍ତି ଲୋକେ।
ଅଧିକ ପଢ଼ନ୍ତୁ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ସହ କୁହୁଡ଼ି ମାଡ଼ରେ ହନ୍ତସନ୍ତ ସହରବାସୀ : ରେଡ୍ ଆଲର୍ଟ ଜାରି
ପରିବେଶବିତଙ୍କ କହିବା କଥା, ଷ୍ଟିଲ ଉତ୍ପାଦନ ପାଇଁ ପ୍ରତିଦିନ ଟାଟା ଷ୍ଟିଲ ମେରାମଣ୍ଡଳୀ ପ୍ଲାଣ୍ଟକୁ ଆସୁଛି ଶହ ଶହ ଟନ୍ କୋଇଲା ଓ ଲୁହାପଥର । ଏସବୁକୁ ପୋଡ଼ିବା ଯୋଗୁଁ ଧୂଆଁ ଓ ଧୂଳି ବାହାରୁଛି । ତେବେ ପ୍ରଦୂଷଣ ରୋକିବାକୁ ଟାଟା ଷ୍ଟିଲ ପକ୍ଷରୁ ପ୍ଲାଣ୍ଟରେ ଠିକ ଭାବେ ଲଗାଯାଉନି ଇଲେକ୍ଟ୍ରୋଷ୍ଟାଟିକ ପ୍ରେସିପିଟେଟର ବା ଇଏସପି । ପ୍ରଶାସନ ବି ଠିକ ଭାବେ ତଦାରଖ କରୁନି । ତେଣୁ କେବଳ ଗନ୍ଥିଗାଡ଼ିଆ ନୁହେଁ, ଆଖପାଖରେ ଥିବା ସବୁ ଗାଁରେ ଏହି ସମାନ ସ୍ଥିତି। ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ କହିଛନ୍ତି, ଗାଁକୁ ସାଇଣ୍ଟିଫିକ ଟିମ ଯାଇ ଜଳ ନମୂନା ସଂଗ୍ରହ କରିବା ପରେ କେନ୍ଦ୍ରୀୟ ଲାବୋରେଟରିକୁ ପଠାଯିବ, ପରେ ପ୍ରତିକାର ପାଇଁ ପଦକ୍ଷେପ ନିଆଯିବ। ପ୍ରତିକାର ପାଇଁ ଆଗାମୀ ଦିନରେ କ’ଣ ପଦକ୍ଷେପ ନେଉଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ କମ୍ପାନୀ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଉଛି ତାହା ଉପରେ ନିର୍ଭର କରୁଛି ଗନ୍ଥିଗାଡ଼ିଆ ଗାଁର ସ୍ବାସ୍ଥ୍ୟ।
Follow Us