କନକ ବ୍ୟୁରୋ: ବିମାନ ଯାତ୍ରୀଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ କଷ୍ଟଦାୟକ ସାବ୍ୟସ୍ତ ହୋଇଛି । ଦେଶର ସବୁଠାରୁ ବଡ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଆଜି ଏକକାଳୀନ ଶହ ଶହ ବିମାନ ବାତିଲ କରିଦେଇଛି । ମିଳିଥିବା ସୂଚନା ଅନୁଯାୟୀ, କେବଳ ଦିଲ୍ଲୀ ବିମାନବନ୍ଦରରୁ ଇଣ୍ଡିଗୋର ୨୩୫ଟି ବିମାନ ବାତିଲ କରାଯାଇଥିବା ବେଳେ ସାରା ଦେଶରେ ଏହି ସଂଖ୍ୟା ୪୦୦ ଅତିକ୍ରମ କରିଛି । ଏଭଳି ପରିସ୍ଥିତି ଯୋଗୁଁ ହଜାର ହଜାର ଯାତ୍ରୀ ବିମାନବନ୍ଦରରେ ଫସି ରହିଛନ୍ତି ଏବଂ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Advertisment


କାହିଁକି ବାତିଲ ହେଲା ଏତେ ସଂଖ୍ୟକ ବିମାନ?
କର୍ମଚାରୀଙ୍କ ଅଭାବ ଯୋଗୁ ଇଣ୍ଡିଗୋ ଏୟାରଲାଇନ୍ସ ଏହି ସମସ୍ୟା ଦେଇ ଗତି କରୁଛି ।  ଇଣ୍ଡିଗୋ କହିଛି ଯେ ଗତ ଦୁଇ ଦିନ ମଧ୍ୟରେ ଏହାର ନେଟୱାର୍କ ଏବଂ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ବାଧା ସୃଷ୍ଟି ହୋଇଛି । ଏହି ଘଟଣାଗୁଡ଼ିକ ଦ୍ୱାରା ପ୍ରଭାବିତ ଆମର ସମସ୍ତ ଗ୍ରାହକ ଏବଂ ଶିଳ୍ପ ଅଂଶୀଦାରଙ୍କ ନିକଟରେ ଆମେ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛୁ।। ‘ଇଣ୍ଡିଗୋ’ର ଦଳଗୁଡ଼ିକ MOCA, DGCA, BCAS, AAI ଏବଂ ବିମାନବନ୍ଦର ଅପରେଟରଙ୍କ ସମର୍ଥନରେ ନିଷ୍ଠାର ସହିତ କାର୍ଯ୍ୟ କରୁଛନ୍ତି । ଆମେ ଏହି ବିଳମ୍ବର ପ୍ରଭାବକୁ ହ୍ରାସ କରିବା ଏବଂ ସ୍ୱାଭାବିକତା ଫେରାଇ ଆଣିବାକୁ ଚେଷ୍ଟା କରୁଛୁ। ବିମାନ କମ୍ପାନି ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦେଇଛି ।

ଅଧିକ ପଢନ୍ତୁ :ବୋମା ଧମକ ପରେ ନାଗପୁରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ବୈଷୟିକ ତ୍ରୁଟି ପାଇଁ ଏୟାର ଇଣ୍ଡିଆର ୧୫୯ ବିମାନ ଉଡ଼ାଣ ରଦ୍ଦ

ଇଣ୍ଡିଗୋ ତା’ର ବିବୃତ୍ତିରେ ଆହୁରି କହିଛି ଯେ, ଆମେ ଗ୍ରାହକମାନଙ୍କୁ ସେମାନଙ୍କର ନିର୍ଦ୍ଧାରିତ ଉଡ଼ାଣରେ ଯେକୌଣସି ପରିବର୍ତ୍ତନ ବିଷୟରେ ଅବଗତ କରାଉଛୁ ଏବଂ ବିମାନବନ୍ଦରକୁ ଯିବା ପୂର୍ବରୁ ସର୍ବଶେଷ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦେଇଛୁ। ଅଭାଭବନୀୟ ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରୁଛୁ। ଯଥାଶୀଘ୍ର ପୁଣି ଥରେ ପରିସ୍ଥିତି ସ୍ବାଭାବିକ କରିବା ପାଇଁ ଉଦ୍ୟମ କରୁଛୁ ।  ଦେଶର ସର୍ବବୃହତ ବିମାନ କମ୍ପାନି ମଧ୍ୟରୁ ଅନ୍ୟତମ ‘ଇଣ୍ଡିଗୋ’ ଗତ କିଛି ଦିନ ଧରି କାର୍ଯ୍ୟକ୍ଷମ ଅସୁବିଧାର ସମ୍ମୁଖୀନ ହେଉଛି। ଗତ ମାସରେ ବିମାନ କମ୍ପାନି ୧୨୩୨ଟି ଉଡ଼ାଣ ବାତିଲ କରିଥିଲା ଏବଂ ଯଥେଷ୍ଟ ବିଳମ୍ବର ସମ୍ମୁଖୀନ ହୋଇଥିଲା ।