କନକ ବ୍ୟୁରୋ : ନାଗପୁରରୁ କୋଲକାତା ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି । ମଝି ଆକାଶରେ ବିମାନଟି ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା, ଯାହା ପରେ ପାଇଲଟ୍ ନାଗପୁରରେ ଜରୁରୀକାଳୀନ ଅବତରଣ କରିଥିଲେ । ଘଟଣା ସମୟରେ ବିମାନରେ ୨୭୨ ଜଣ ଯାତ୍ରୀ ଥିଲେ । ଆକାଶରେ ଏକ ପକ୍ଷୀ ସହିତ ଧକ୍କା ହେବା ଯୋଗୁ ବିମାନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲା । ପାଇଲଟ୍‌ଙ୍କ ସମୟୋଚିତ ପଦକ୍ଷେପ ଯୋଗୁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କୌଣସି ପ୍ରକାରର କ୍ଷତି ହୋଇନାହିଁ । ପୂର୍ବରୁ ଜୁନ୍ ୨ ତାରିଖରେ ସମାନ ଘଟଣା ସାମ୍ନାକୁ ଆସିଥିଲା । ପକ୍ଷୀ ଧକ୍କା ଦେବାରୁ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ଅଧିକାରୀମାନେ କହିଥିଲେ ଯେ, ପକ୍ଷୀ ଧକ୍କା ଯୋଗୁ ଜରୁରୀକାଳୀନ ଅବତରଣ କରାଯାଇଥିଲା ଏବଂ ବିମାନରେ ଥିବା ସମସ୍ତ ୧୭୫ ଜଣ ଯାତ୍ରୀ ସୁରକ୍ଷିତ ଥିଲେ ।