କନକ ବ୍ୟୁରୋ:  ଦକ୍ଷିଣ ଆଫ୍ରିକାଠାରୁ ଭାରତ ୭୬ ରନ୍‌ରେ ହାରିବା ଏବଂ ଜିମ୍ବାୱେ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ୧୦୭ ରନ୍‌ ବ୍ୟବଧାନରେ ଜିତିବା ଏବେ ଭାରତୀୟ ଦଳର ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଦୁଇ ଦିନରେ ଦୁଇଟି ଝଟ୍‌କା ସଦୃଶ ହୋଇଛି । ଭାରତୀୟ ଦଳ କେମିତି ସେମିଫାଇନାଲ୍‌ ଖେଳିବ ଏବେ ଗୋଟିଏ ଚର୍ଚ୍ଚା କେବଳ ଭାରତୀୟ ଦଳର ମ୍ୟାନେଜ୍‌ମେଣ୍ଟ୍‌ ଓ ପ୍ରଶଂସକଙ୍କୁ ଘାରିଛି । ସୁପର୍‌-୮ର ଗ୍ରୁପ୍‌-୧ରେ ସ୍ଥାନ ପାଇଥିବା ୪ ଦଳ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି । ଦଳର ନେଟ୍‌ ରନ୍‌ ରେଟ୍‌ (ଏନ୍‌ଆର୍‌ଆର୍‌) ସଂଘାତିକ ଭାବେ ବିଯୁକ୍ତାତ୍ମକ ସ୍ଥିତିରେ (-୩.୮୦୦) ଥିବାରୁ ଅଧିକ ବିପଦ ଘନେଇଛି । ଭାରତର ସେମିଫାଇନାଲ୍‌ ଏବେ କେବଳ ପରବର୍ତୀ ୨ ମ୍ୟାଚ୍‌ରେ ବିଜୟ ନୁହେଁ, ଅନ୍ୟ ଗ୍ରୁପ୍‌-୧ ମୁକାବିଲା ଫଳାଫଳ ଉପରେ ବି ନିର୍ଭର କରିବ । ଭାରତକୁ ପ୍ରଥମେ ଗୁରୁବାର ଜିମ୍ବାୱେ ବିପକ୍ଷରେ ବିଜୟୀ ହେବା ସହ ରବିବାର ୱେଷ୍ଟଇଣ୍ଡିଜ୍‌କୁ ବି ମାତ୍‌ ଦେବାକୁ ପଡ଼ିବ । କେବଳ ସାଧାରଣ ବିଜୟ ବି ଦଳ ପାଇଁ ଯଥେଷ୍ଟ ହୋଇନପାରେ । କାରଣ ଦୁଇଟି ବଡ଼ ବଡ଼ ବିଜୟ ସହିତ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦୁଇ ସ୍ଥାନକୁ ଦଖଲରେ ରଖିଥିବାରୁ ସେମାନଙ୍କୁ ହଟାଇବାକୁ ଏବେ ସୂର୍ଯ୍ୟସେନାଙ୍କୁ ବହୁ କସରତ କରିବାକୁ ପଡ଼ିବ । 

Advertisment

ଏହା ବି ପଢ଼ନ୍ତୁ: T 20 World Cup 2026: ସେମିଫାଇନାଲ୍ ରେସରୁ ବାଦ ପଡିବ କି ଭାରତ ?

ପ୍ରଥମ ଦୃଶ୍ୟପଟ୍ଟରେ ଭାରତ ଯଦି ଉଭୟ ମ୍ୟାଚ୍‌ ଜିତିଯିବ ଏବଂ ଦକ୍ଷିଣ ଆଫ୍ରିକା ନିଜର ସମସ୍ତ ମ୍ୟାଚ୍‌ ଜିତିବ ତେବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍‌ ପହଞ୍ଚିପାରିବେ । ଭାରତ ଉଭୟ ମ୍ୟାଚ୍‌ ଜିତିଲେ ଏବଂ ଦକ୍ଷିଣ ଆଫ୍ରିକା ନିଜର ଅବଶିଷ୍ଟ ୨ ମ୍ୟାଚ୍‌ ହାରିଲେ ଭାରତ ଓ ୱେଷ୍ଟଇଣ୍ଡିଜ୍ ସେମିଫାଇନାଲ୍‌ ଯିବେ । ଭାରତ ଦୁଇଟି ଜିତିଥିଲେ ଏବଂ ଦକ୍ଷିଣ ଆଫ୍ରିକା ଅବଶିଷ୍ଟ ଦୁଇଟିରୁ ଗୋଟିଏ ଜିତିଲେ ୩ ଦଳ ୪ ପଏଣ୍ଟ୍‌ରେ ପହଞ୍ଚିବା ସମ୍ଭାବନା ରହିଛି, ଏଭଳି ପରିସ୍ଥିତିରେ ଏନ୍‌ଆର୍‌ଆର ନିର୍ଣ୍ଣାୟକ ହେବ । ଦ୍ବିତୀୟ ଦୃଶ୍ୟପଟ୍ଟରେ ଭାରତ ଯଦି ଅବଶିଷ୍ଟ୍‌ ଦୁଇଟିରୁ ଗୋଟିଏ ଜିତିବ ତେବେ ସିଧାସଳଖ ବିଦାୟ ନେଇଯିବ । ଭାରତର ଭାଗ୍ୟ ଏବେ ସୂତା ଖିଅରେ ଝୁଲୁଥିବାରୁ ପରବର୍ତୀ ମ୍ୟାଚ୍‌ ଦ୍ବୟରେ ସାମାନ୍ୟ ଭୁଲ ବି ଦଳ ପାଇଁ ମହଙ୍ଗା ପଡ଼ିବ । ‌ବିଜେତା ଭାରତୀୟ ଦଳର ଭାଗ୍ୟ ଉଦୟ ହେବ କି ସୂର୍ଯ୍ୟକୁମାରଙ୍କ ସେନାର ଅସ୍ତ ହେବ କେବଳ ସମୟ କହିବ ।