Kohinoor Photograph: (KanakNews)
କନକ ବ୍ୟୁରୋ : ଭାରତର ପରିଚୟ କେବଳ ବର୍ତ୍ତମାନର ବିକାଶକୁ ନେଇ ନୁହେଁ ବରଂ ହଜାର ହଜାର ବର୍ଷର କଳା,ସଂସ୍କୃତି ଏବଂ ସଭ୍ୟତା ସହିତ ଜଡ଼ିତ ହୋଇରହିଛି । ମନ୍ଦିରର ପ୍ରସ୍ତର ଏବଂ ପିତ୍ତଳ ମୂର୍ତ୍ତି,ବୌଦ୍ଧ ସ୍ତୁପରେ ଖୋଦିତ ସୂକ୍ଷ୍ମ କାରିଗରୀ,ଶିଳାଲେଖ ଏବଂ ବହୁମୂଲ୍ୟ ରତ୍ନ ଭାରତ ଇତିହାସର ସାକ୍ଷୀ ଦିଏ । କିନ୍ତୁ ଏହା ମଧ୍ୟ ସତ ଯେ ବ୍ରିଟିଶ ଆଇନ୍ ସମୟରେ ଇଂରେଜ ଭାରତର ଅନେକ ବହୁମୂଲ୍ୟ ସମ୍ପତ୍ତିକୁ ବିଦେଶକୁ ନେଇ ମ୍ୟୁଜିୟମରେ ସଜେଇ ରଖିଛନ୍ତି । ଆଜିର ସମୟରେ ଲଣ୍ଡନର ବ୍ରିଟିଶ୍ ମ୍ୟୁଜିୟମରେ ରଖାଯାଇଥିବା ଭାରତର ମୂର୍ତ୍ତି ଏବଂ କଳାକୃତି ଖାଲି ଦେଶର ସନ୍ତକ ନୁହେଁ ବରଂ ଏହା ଧାର୍ମିକ ଏବଂ ସାଂସ୍କୃତିକ ସମ୍ପର୍କର ମୁକସାକ୍ଷୀ । ବିଦେଶରେ ଏହି ମୂର୍ତ୍ତିର ଅନ୍ୟ ନାମ ସଂଗ୍ରହ ବା ସଂରକ୍ଷଣ ବୋଲି ଦିଆଯାଇ ଆସୁଛି କିନ୍ତୁ ଭାରତରେ ଆଜି ବି ଏହିସବୁ ମୂଲ୍ୟବାନ ମୂର୍ତ୍ତି ଏବଂ କଳାକୃତିକୁ ଚୋରି କରି ନିଆଯାଇଥିବାର ବୋଲି କୁହାଯାଏ । ଏହା ଖାଲି ପ୍ରସ୍ତର , ଧାତୁ କି ହୀରା ନୁହେଁ ବରଂ ଭାରତର ଆତ୍ମା,ଆସ୍ଥା ଏବଂ ଇତିହାସ ସହ ଜଡ଼ିତ ଅଂଶ ।
ଆଗକୁ ପଢ଼ନ୍ତୁ : ପାଖରେ ଅଛି କି ୫୦ ଟଙ୍କିଆ ପୁରୁଣା ନୋଟ୍ ? କରନ୍ତୁ ଗୋଟିଏ କାମ , ରାତାରାତି ହୋଇଯିବେ ଲକ୍ଷପତି !
ବିଦେଶରେ ଥିବା ଅମରାବତୀ ମାର୍ବଲ୍ସ ଆନ୍ଧ୍ରପ୍ରଦେଶର ପ୍ରାଚୀନ ବୁଦ୍ଧ ସ୍ତୁପ ସହ ଜଡ଼ିତ । ପ୍ରସ୍ତର ଖୋଦିତ ସୂକ୍ଷ୍ମ କଳାକୃତିର ଏହା ଏପରି ଏକ ନମୂନା ଯେଉଁଥିରେ ଭଗବାନ ବୁଦ୍ଧଙ୍କର ଜୀବନ ସହ ଜଡ଼ିତ ଦୃଶ୍ୟ ଖୋଦିତ ହୋଇଛି । ଇତିହାସରୁ ଜଣାପଡ଼େ ଯେ ଇଂରେଜଙ୍କ ସମୟରେ ଏହି ବହୁମୂଲ୍ୟ ଅମରାବତୀ ମାର୍ବଲ୍ସକୁ ଭାରତରୁ ବିଦେଶକୁ ଚୋରି କରି ନିଆଯାଇଥିଲା । ଏହାକୁ ବୌଦ୍ଧ କଳାର ସର୍ବୋତ୍ତମ କଳା ବୋଲି କୁହାଯାଏ । ଭଗବାନ ଶିବଙ୍କ ନାଟ୍ୟରସର ମୁଦ୍ରା ଅର୍ଥାତ ନଟରାଜଙ୍କ ତମ୍ବା ଧାତୁର ମୂର୍ତ୍ତି ଚୋଳ ରାଜାଙ୍କ କାଳର ଅଦ୍ଭୁତ କଳା ବୋଲି କୁହାଯାଉଥିଲା । ଭାରତରେ ମହାଦେବଙ୍କ ତାଣ୍ଡବର ଏହି ପ୍ରତିମାକୁ ସନ୍ତୁଳନ ଏବଂ ଗତି ଉଭୟର ପ୍ରତିକ ବୋଲି କୁହାଯାଏ । ଏହା କେବଳ କଳାକୃତି ନୁହେଁ ବରଂ ଆସ୍ଥା ଏବଂ ବିଶ୍ବାସ ସହ ଜଡ଼ିତ ଭାବନା ଯାହାକୁ ଭାରତରୁ ବାହାରକୁ ନେଇଯିବା ଆଜି ବି ବିବାଦର ବିଷୟ ।
ଯଦି ରାଜାରାଜୁଡ଼ାଙ୍କ ଶିଳାଲେଖ କଥା କହିବା ତାହେଲେ ମଧ୍ୟପ୍ରଦେଶର ଧାର୍ମିକ ଦାନ ଏବଂ ଶାସନ ବ୍ୟବସ୍ଥାର ବିବରଣୀ ଏହି ଶିଳାଲେଖରୁ ଜାଣିବାକୁ ମିଳେ । ଏହି ଶିଳାଲେଖ ଭାରତର ଲେଖନ ପରମ୍ପରା ଏବଂ ଇତିହାସକୁ ବୁଝିବା ପାଇଁ ଏକ ମାଧ୍ୟମ ଥିଲା । ଯାହାକୁ ଚୋରି କରି ବ୍ରିଟିଶ୍ ମ୍ୟୁଜିୟମରେ ପ୍ରଦର୍ଶନ କରିବା ଏକ ବଡ଼ ପ୍ରଶ୍ନ ସୃଷ୍ଟି କରେ । ଏହା ପରେ ପରେ ଆସେ ମୋଗଲ କାଳର ଜେଡ ଖଣ୍ଡା । ଶାହି ଶିଳ୍ପକଳାର ଉକୃଷ୍ଟ ଉଦାହରଣ ହେଲା ଏହି ଖଣ୍ଡା । ବହୁମୂଲ୍ୟ ପଥର ସହ ଜଡ଼ିତ ଖଣ୍ଡା ପ୍ରତିଷ୍ଠା ଏବଂ ପର୍ବର ପ୍ରତିକ ଥିଲା । କିନ୍ତୁ ଏହାକୁ ବି ଭାରତରୁ ଚୋରି କରି ନେଇଥିଲେ ଇଂରେଜ । ବିହାରର ବିଶାଳ ତମ୍ବା ବୁଦ୍ଧ ପ୍ରତିମା , ଅଶୋକ ସ୍ତମ୍ଭର ଅଂଶ , ରାମାୟଣ ରିଲିଫ୍ ପେନଲ୍ସ ଭଳି ମୂଲ୍ୟବାନ ବସ୍ତୁ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ । ତେବେ ଭାରତର ଗୋଟିଏ ଏମିତି ମୂଲ୍ୟବାନ ଏବଂ ବିବାଦୀୟ ବସ୍ତୁ ଯାହା ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଥିଲା ସେ ହେଉଛି କୋହିନୂର ହୀରା । ଭାରତୀୟ ରାଜାଙ୍କ ରାଜସ୍ବରୁ ବ୍ରିଟେନ ମୁକୁଟ ପର୍ଯ୍ୟନ୍ତ ଯାହାର କାହାଣୀ ସବୁବେଳେ ଭିନ୍ନ ଭିନ୍ନ କଥା କହିଥାଏ । ଆଜିର ସମୟରେ ଏହି ହୀରାକୁ ଫେରାଇ ଆଣିବା ପାଇଁ ଦାବି ଉଠୁଥିଲେ ମଧ୍ୟ କୋହିନୂରକୁ ଭାରତ ଆଣିବା ସେତେ ସହଜ ନୁହେଁ ।
Follow Us