କନକ ବ୍ୟୁରୋ: ଚଳିତ ଟ୍ବେଣ୍ଟି-୨୦ କ୍ରିକେଟ୍ର ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହି ଭାରତୀୟ ଦଳ ସୁପର-୮ରେ ପ୍ରବେଶ କରିଛି । କିନ୍ତୁ ଲିଗ୍ ପର୍ଯ୍ୟାୟରେ ଭାରତୀୟ ବ୍ୟାଟିଂର କେତେକ ଦୁର୍ବଳତା ପଦାରେ ପଡ଼ିଯାଇଥିଲା । ତାହା ହେଉଛି ଅଫ୍ ସ୍ପିନ୍କୁ ଖେଳିବାରେ ଭାରତୀୟ ବ୍ୟାଟର୍ମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସୁପର-୮ରେ ଭାରତ ଶକ୍ତିଶାଳୀ ଦଳଙ୍କ ସାମନା କରିବାକୁ ଯାଉଥିବାବେଳେ ଏହି ଦୁର୍ବଳତା ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି ଦଳର ସହକାରୀ ପ୍ରଶିକ୍ଷକ ରିୟାନ ଟେନ୍ ଡୋଏସେଟ୍ ସତର୍କ କରାଇଦେଇଛନ୍ତି । ଦଳର ଏହି ଦୁର୍ବଳତାକୁ ସ୍ୱୀକାର କରି ସେ କହିଛନ୍ତି ଯେ ଭାରତୀୟ ଦଳରେ ଅନେକ ବାମହାତୀ ବ୍ୟାଟର୍ ଅଛନ୍ତି ।
ଏହା ବି ପଢ଼ନ୍ତୁ: ହିଟମ୍ୟାନଙ୍କ ଭଳି ହୋଇଥିଲା ଧୋନୀଙ୍କ ଅବସ୍ଥା : କ୍ୟାପଟେନ୍ ପଦ ଛାଡ଼ିନଥିଲେ,ହଟାଯାଇଥିଲା
ଭାରତର ପ୍ରମୁଖ ତିନିଜଣ ବ୍ୟାଟର ଅଭିଷେକ ଶର୍ମା, ଇଶାନ କିଶନ ଓ ତିଳକ ବର୍ମା ବାମହାତୀ । ସେହିପରି ଶୁଭମ ଦୁବେ, ରିଙ୍କୁ ସିଂ ଓ ଅକ୍ଷର ପଟେଲ୍ ମଧ୍ୟ ବାମହାତୀ । ଏହି କାରଣରୁ ଲିଗ୍ ପର୍ଯ୍ୟାୟର ବିପକ୍ଷ ଦଳଗୁଡ଼ିକ ଅଫ୍ ସ୍ପିନରମାନେ ଭାରତକୁ ସମସ୍ୟାରେ ପକାଇବାରେ ସଫଳ ହୋଇଥିଲେ । ଏହା ଦଳ ପାଇଁ ଏକ ଆହ୍ବାନ ହୋଇଥିବାବେଳେ ଏହାର ତୁରନ୍ତ କୌଣସି ସମାଧାନ ନାହିଁ, ବୋଲି ସେ ସ୍ବୀକାର କରିଛନ୍ତି । ଲିଗ୍ ପର୍ଯ୍ୟାୟରେ ୟୁଏସ୍ଏ ଓ ନେଦରଲାଣ୍ଡସ୍ ପରି ଦୁର୍ବଳ ଦଳ ବିପକ୍ଷରେ ଭାରତୀୟ ବ୍ୟାଟରମାନେ ସଂଘର୍ଷ କରୁଥିବା ଦେଖାଯାଇଥିଲା । ଚଳିତ ବିଶ୍ବକପ୍ରେ ଭାରତୀୟ ବ୍ୟାଟର୍ମାନେ ଏପର୍ଯ୍ୟନ୍ତ ମୋଟ ୪୨ ଓଭର ସ୍ପିନ ବୋଲିଂର ସମ୍ମୁଖୀନ ହୋଇ ମୋଟ ୩୧୫ ରନ୍ କରିଛନ୍ତି । ସ୍ପିନରମାନେ ୧୫ଟି ଭାରତୀୟ ୱିକେଟ୍ ନେଇଛନ୍ତି । ସୁପର-୮ ପର୍ଯ୍ୟାୟରେ ଭାରତର ମୁକାବିଲା ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ଓ୍ବେଷ୍ଟଇଣ୍ଡିଜ୍ ସହ ହେବ । ଏହି ତିନୋଟି ଦଳରେ କେତେକ ଭଲ ସ୍ପିନର ଥିବାରୁ ତାହା ଭାରତ ପାଇଁ ଏକ ସତର୍କ ଘଣ୍ଟି ହୋଇପାରେ । ତେବେ ଲୟରେ ନଥିବା ଅଭିଷେକଙ୍କ ବଦଳରେ ଡାହାଣହାତୀ ବ୍ୟାଟର୍ ସଂଜୁ ସାମସନଙ୍କୁ ସାମିଲ କରାଗଲେ ଏହି ସମସ୍ୟାର କିଛିଟା ସମାଧାନ ହୋଇପାରେ ।
Follow Us