କନକ ବ୍ୟୁରୋ: ଭାରତୀୟ ପୁରୁଷ କ୍ରିକେଟ୍‌ ଦଳ ୧୯୭୫ ଦିନିକିଆ ବିଶ୍ବକପ୍‌ଠୁ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବ ପର୍ଯ୍ୟନ୍ତ ୩୩ଟି ଆଇସିସି ଟ୍ରଫି ଖେଳିଛି । ଏଥି ମଧ୍ୟରୁ ଭାରତ ୭ ଥର ବିଜେତା ହେବାର ଗୌରବ ପାଇଛି । ଭାରତ ୨ ଥର ଲେଖାଏଁ ଦିନିକିଆ (୧୯୮୩, ୨୦୧୧) ଓ ଟ୍ବେଣ୍ଟି-୨୦ ବିଶ୍ବକପ୍‌ (୨୦୦୭, ୨୦୨୪) ଜିତିଥିଲା ‌ବେଳେ ୩ ଥର ଚାମ୍ପିଅନ୍ସ ଟ୍ରଫି (୨୦୦୨, ୨୦୧୩, ୨୦୨୫) ହାତେଇବାର ସଫଳତା ପାଇଛି । ଦିନିକିଆ ବିଶ୍ବକପ୍‌ର ପ୍ରଥମ ଦୁଇ ସଂସ୍କରଣରେ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିବା ଭାରତ ୧୯୮୩ରେ ଟ୍ରଫି ହାତେଇ ଇତିହାସ ରଚିଥିଲା । ଏହା ଭାରତର ପ୍ରଥମ ଆଇସିସି ଟ୍ରଫି ହୋଇଥିଲା । ଏହାପରେ ୧୭ ବର୍ଷ ପରେ ଆଇସିସି ପ୍ରତିଯୋଗିତାର ଫାଇନାଲ୍‌ ଖେଳିବାର ସୁଯୋଗ ପାଇଥିଲା ଭାରତ ।

Advertisment

ଏହା ବି ପଢ଼ନ୍ତୁ; ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ନ୍ୟୁଜିଲାଣ୍ଡ ବୋଲରଙ୍କ ନୂଆ ରେକର୍ଡ: ୫ ବଲ୍‌ରେ ୫ ୱିକେଟ୍‌

୨୦୦୦ (ଆଇସିସି ନକ୍‌ଆଉଟ୍‌ ପ୍ରତିଯୋଗିତା) ସହ ୨୦୦୨ (ଚାମ୍ପିଅନ୍‌ସ ଟ୍ରଫି) ଓ ୨୦୦୩ (ଦିନିକିଆ ବିଶ୍ବକପ୍‌)ରେ ଭାରତ ଲଗାତାର ୩ଥର ଆଇସିସି ପ୍ରତିଯୋଗିତାର ଫାଇନାଲ୍‌ ଖେଳିଥିଲା । ଭାରତ ନକ୍‌ଆଉଟ୍‌ ପ୍ରତିଯୋଗିତାରେ ଓ ବିଶ୍ବକପ୍‌ରେ ଉପବିଜେତା ହୋଇଥିଲା ବେଳେ ଚାମ୍ପିଅନ୍‌ସ ଟ୍ରଫିରେ ଶ୍ରୀଲଙ୍କା ସହ ଯୁଗ୍ମବିଜେତା ହୋଇଥିଲା । ୨୦୦୭ ଦିନିକିଆ ବିଶ୍ବକପ୍‌ ଗ୍ରୁପ୍‌ ଷ୍ଟେଜ୍‌ରୁ ବିଦା ହେବା ପରେ ୨୦୦୭ ଉଦ୍‌ଘାଟନୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବିଜେତା ହୋଇ ଏହି ଦୁଃଖ ଦୂର କରିଥିଲା ଭାରତ । ୨୦୧୧ରେ ଦିନିକିଆ ବିଶ୍ବକପ୍‌ ଏବଂ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ବିଜେତା ହେବା ପରେ ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଉପବିଜେତା ରହିଥିଲା ଭାରତ । ୨୦୧୭ ଚାମ୍ପିଅନ୍ସ ଟ୍ରଫି, ୨୦୨୧ ଓ ୨୦୨୩ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍ ଏବଂ ୨୦୨୩ ଦିନିକିଆ ବିଶ୍ବକପ୍‌ରେ ଉପବିଜେତା ରହିବା ପରେ ଭାରତ ଲଗାତାର ଦୁଇଟି ଆଇସିସି ଟ୍ରଫି ଜିତିଛି । ଏହି ଦୁଇ ଟ୍ରଫି ହେଲା ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି ।