କନକ ବ୍ୟୁରୋ : ଖୁବଶୀଘ୍ର ମାଓ ଆତଙ୍କରୁ ମୁକ୍ତ ହେବ ଭାରତ । ନୌବୀରଙ୍କ ସହ ଦୀପାବଳି ପାଳନ ଅବସରରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଛନ୍ତି, ଆଜି ମାଓବାଦୀଙ୍କ ଆତଙ୍କରୁ ମୁକ୍ତି ପାଇଛି ଭାରତ । ୨୦୧୪ ପୂର୍ବରୁ ଦେଶର ୧୨୫ ଜିଲ୍ଲା ନକ୍ସଲ ହିଂସା କବଳରେ ଥିଲା । ହେଲେ ଏବେ ମାତ୍ର ୧୧ ଜିଲ୍ଲାରେ ସକ୍ରିୟ ଅଛନ୍ତି । ଗତ ୧୦ ବର୍ଷର ପରିଶ୍ରମ ପରେ ଏହି ସଂଖ୍ୟା ଘଟିଛି । ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଏସବୁ କେବଳ ଆମ ସୁରକ୍ଷାବଳଙ୍କ ପରାକ୍ରମ ଯୋଗୁଁ ସମ୍ଭବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 

Advertisment

ମୋଦୀଙ୍କ ମନ ଜିଣିଲା ଓଡ଼ିଶା ଉପହାର; ଉପହାର ପାଇ ଚିଠିଲେଖି ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ ...

ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅପରେସନ୍ ଜୋରଦାର ହେବା ପରେ ଛତ୍ରଭଙ୍ଗ ଦେଉଛନ୍ତି ଲାଲ ବାହିନୀ । ବିଗତ ୧୦ ବର୍ଷ ଭିତରେ ଦେଶରେ ୮୫ ପ୍ରତିଶତ ମାଓ ସମସ୍ୟା କମିଛି । ଖାସ୍ କରି ଛତିଶଗଡ଼ ଉପରେ ସାରା ଦେଶର ନଜର । ୨୦୨୪ରୁ ଏପର୍ଯ୍ୟନ୍ତ ଛତିଶଗଡ଼ରେ ୨୧୧୦ ମାଓବାଦୀ ଆତ୍ମସମର୍ପଣ ଓ ୧୭୮୬ ଗିରଫ ହୋଇଛନ୍ତି । ସେହିପରି ଗତ ୯ ମାସ ଭିତରେ ଦେଶରେ ପ୍ରାୟ ୩ଶହ ମାଓବାଦୀ ନିପାତ ହୋଇଛନ୍ତି । ଏହାବ୍ୟତୀତ ମାର୍ଚ୍ଚ, ୨୦୨୬ ସୁଦ୍ଧା ଛତିଶଗଡ଼କୁ ସମ୍ପୂର୍ଣ୍ଣ ଭାବେ ନକ୍ସଲମୁକ୍ତ କରିବା ଲକ୍ଷ୍ୟ ରହିଛି । ଓଡ଼ିଶାରେ ମଧ୍ୟ କିଛି ଜିଲ୍ଲାରେ ସକ୍ରିୟ ଅଛନ୍ତି ମାଓବାଦୀ । ବିଶେଷକରି ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡିରେ ନକ୍ସଲଙ୍କ ଉପସ୍ଥିତି ଦେଖିବାକୁ ମିଳିଛି । ତେବେ ଏସବୁ ଜିଲ୍ଲାରୁ କେବେ ପଦା ହେବେ ନକ୍ସଲ, ତା’ ଉପରେ ରହିଛି ନଜର ।