କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮ ପର୍ଯ୍ୟାୟରେ ରବିବାର ଭାରତର ମୁକାବିଲା ଦକ୍ଷିଣ ଆଫ୍ରିକା ସହ ହେବ । ଗ୍ରୁପ୍‌ ପର୍ଯ୍ୟାୟର କେବଳ ଭାରତ ନୁହେଁ ଦକ୍ଷିଣ ଆଫ୍ରିକା ବି ଅପରାଜିତ ରହି ସୁପର-୮ରେ ପ୍ରବେଶ କରିଥିଲା । ଏଣୁ ଭାରତ ପାଇଁ ଅସଲ ପରୀକ୍ଷା ଏହି ମ୍ୟାଚ୍‌ରୁ ଆରମ୍ଭ ହେବ । ଗତ ସଂସ୍କରଣ ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ଭାରତ ରୋମାଞ୍ଚକ ଭାବେ ହରାଇଥିଲା । ଦକ୍ଷିଣ ଆଫ୍ରିକା ଏବେ ସେହି ପରାଜୟର ପ୍ରତିଶୋଧ କଡ଼ଗେଣ୍ଡାରେ ନେବାକୁ ଲକ୍ଷ୍ୟ ରଖିଛି । ଗ୍ରୁପ୍‌ ପର୍ଯ୍ୟାୟରେ ଉଭୟ ଦଳ ଚାରିଟି ଲେଖାଏଁ ମ୍ୟାଚ୍‌ ଜିତି ସୁପର-୮କୁ ଆସିଛନ୍ତି । ଏଣୁ ରବିବାର ଉଭୟ ଦଳ ମଧ୍ୟରେ ଜୋରଦାର ଲଢ଼େଇ ହେବ ବୋଲି ଆଶା କରାଯାଉଛି । 

Advertisment

ଭାରତ ପାଇଁ ମୁଖ୍ୟ ଚିନ୍ତା ବ୍ୟାଟିଂ ବିଭାଗ ରହିବ । କାରଣ ଗ୍ରୁପ୍‌ ପର୍ଯ୍ୟାୟରେ ନିଜର ସବୁ ମ୍ୟାଚ୍‌ ଜିତିଥିଲେ ବି ଭାରତୀୟ ବ୍ୟାଟିଂର ଦୁର୍ବଳତା ପଦାରେ ପଡ଼ିଯାଇଥିଲା । ଅଫ୍‌-ସ୍ପିନ୍‌ ବିପକ୍ଷରେ ଭାରତୀୟ ବ୍ୟାଟର୍‌ମାନେ ସଂଘର୍ଷ କରୁଥିବା ଦେଖାଯାଇଥିଲା । ବିଶେଷକରି ବିସ୍ଫୋରକ ଓପନର୍‌ ଅଭିଷେକ ଶର୍ମାଙ୍କ ଖରାପ ଫର୍ମ ଦଳପାଇଁ ଚିନ୍ତାର କାରଣ ପାଲଟିଛି । ଚଳିତ ବିଶ୍ବକପ୍‌ରେ ସେ ଏପର୍ଯ୍ୟନ୍ତ ଖାତା ଖୋଲିପାରିନାହାନ୍ତି । କେବଳ ସେ ନୁହେଁ, ତିନି ନମ୍ବରରେ ଆସୁଥିବା ତିଳକ ବର୍ମା ବି ଖାପଛଡ଼ା ଲାଗୁଛନ୍ତି । ତାଙ୍କର ଷ୍ଟ୍ରାଇକ୍‌ ହାର ମାତ୍ର ୧୨୦ ରହିଛି ।

ଏହା ବି ପଢ଼ନ୍ତୁ: ପାଣ୍ଡ୍ୟାଙ୍କ ସଟ୍‌ ବାଜି ମହମ୍ମଦ ସିରାଜ୍‌ ଆହତ

ପାକିସ୍ତାନ ବିପକ୍ଷରେ ସେ ୨୪ ବଲ୍‌ ଖେଳି ୨୫, ନାମିବ୍ୟା ବିପକ୍ଷରେ ୨୧ ବଲ୍‌ରୁ ୨୫ ଓ ନେଦରଲାଣ୍ଡସ ବିପକ୍ଷରେ ୨୭ ବଲ୍‌ରୁ ୩୧ ରନ୍‌ କରିଥିଲେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ କେତୋଟି ଭଲ ପାଳି ଖେଳିଥିଲେ ବି ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ତାଙ୍କର ଷ୍ଟ୍ରାଇକ୍‌ ହାର ମାତ୍ର ୧୩୬ ରହିଛି । ଅନ୍ୟପକ୍ଷରେ ଫିଲଡିଂରେ ବି ଭାରତୀୟ ଦଳରେ ଥିବା ତ୍ରୁଟିକୁ ସୁଧାରିବାକୁ ପଡ଼ିବ । ଭାରତୀୟ ବ୍ୟାଟିର ଅସଲ ପରୀକ୍ଷା ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବୋଲିଂ ବିପକ୍ଷରେ ଦେଖିବାକୁ ମିଳିବ । ଦକ୍ଷିଣ ଆଫ୍ରିକା ବୋଲିଂ ବିଭାଗରେ କାସିଗୋ ରାବାଡ଼ା, ଲୁଙ୍ଗି ଏନଗିଡି, ମାର୍କୋ ୟାନ୍‌ସେନ୍‌, କେଶବ ମହାରାଜ ଓ ଐଦେନ୍‌ ମାର୍କରାମ୍‌ଙ୍କ ପରି ଭଲ ବୋଲର ଅଛନ୍ତି । ଅନ୍ୟପକ୍ଷରେ ଭାରତର ବୋଲିଂ ବିଭାଗ ସନ୍ତୁଳିତ ଅଛି ।  ଯଶପ୍ରୀତ ବୁମରା ଓ ବରୁଣ ଚକ୍ରବର୍ତ୍ତିଙ୍କ ଉପରେ ଭାରତର ବୋଲିଂ ଆକ୍ରମଣ ନିର୍ଭର କରିବ । ତେବେ ଦକ୍ଷିଣ ଆଫ୍ରିକାର ଆଗଧାଡ଼ିର ବ୍ୟାଟର୍‌ କ୍ବିଣ୍ଟନ୍‌ ଡି’କକ୍‌, ଐଦେନ୍‌ ମାର୍କରାମ୍‌, ଦେଓ୍ବାଲ୍ଡ ବ୍ରେଭିସ୍‌, ଟ୍ରିଷ୍ଟନ୍‌ ଷ୍ଟବ୍ସ,  ଡେଭିଡ୍‌ ମିଲର୍‌ ଫର୍ମରେ ଥିବାରୁ ଭାରତୀୟ ବୋଲିଂର ଅସଲ ପରୀକ୍ଷା ହେବ ।

ତେବେ ଦୁଇ ଦଳ ଗତ ଦୁଇ ମାସ ମଧ୍ୟରେ ପରସ୍ପରକୁ ୬ଷ୍ଠ ଥର ପାଇଁ ଭେଟିବାକୁ ଯାଉଥିବାରୁ ଉଭୟ ନିଶ୍ଚିତଭାବେ ପରସ୍ପରର ଦୁର୍ବଳତା ଓ ଶକ୍ତି ସଂପର୍କରେ ଭଲଭାବରେ ଅବଗତ ଥିବେ । ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ମୁକାବିଲା ଲାଗି ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତ ହୋଇ ସାରିଥିବା ଭାରତୀୟ କ୍ରିକେଟ୍‌ ଦଳର ବୋଲିଂ ପ୍ରଶିକ୍ଷକ ମର୍ଣ୍ଣି ମୋର୍କେଲ ମଧ୍ୟ କହିଛନ୍ତି । ସେହିଭଳି ଶନିବାର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଢେର ସମୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ପିଚ୍‌କୁ ଅନୁଧ୍ୟାନ କରିଛନ୍ତି । ଉଭୟ ତଦନୁଯାୟୀ ଯୋଜନା କରିଥିବାର ସଙ୍କେତ ବି ଦେଇଛନ୍ତି । ସେପଟେ ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷରେ ସବୁବେଳେ ଭଲ ପ୍ରଦର୍ଶନ କରୁଥିବା ଓପନର୍‌ ତଥା ୱିକେଟ୍‌ ରକ୍ଷକ କ୍ବିଣ୍ଟନ୍‌ ଡି’କକ୍‌ଙ୍କୁ ଅସ୍ତ୍ର କରିବ ବୋଲି ସଙ୍କେତ ଦେଇଛି ।