କନକ ବ୍ୟୁରୋ: କୋଲକାତାର ଇଡେନ ଗାର୍ଡେନ୍ସଠାରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୫ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ପରେ ଭାରତ ଚତୁର୍ଥ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୧୯୫ ରନର ଏକ ବିଶାଳ ସ୍କୋର ଛିଡ଼ା କରିଥିବା ବେଳେ ଭାରତ ୪ ବଲ୍ ବାକି ଥାଇ ଏହି ଲକ୍ଷ୍ୟକୁ ସଫଳତାର ସହ ହାସଲ କରିନେଇଥିଲା । ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତ ଷଷ୍ଠ ଥର ପାଇଁ ସେମିଫାଇନାଲରେ ସ୍ଥାନ ପକ୍କା କରିବା ସହ ଟି-୨୦ କ୍ରିକେଟରେ ସବୁଠାରୁ ବଡ଼ 'ରନ୍ ଚେଜ୍'ର ବିଶ୍ୱରକର୍ଡ ମଧ୍ୟ ସ୍ଥାପନ କରିଛି ।
ଏହା ବି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକା ଅପରାଜେୟ, ଜିମ୍ବାୱେକୁ ହରାଇ ଲଗାତାର ୭ ମ୍ୟାଚ୍ ଜିିତିଲା
ଏହି ମ୍ୟାଚରେ ଯେତେବେଳେ ସୂର୍ଯ୍ୟକୁମାର ଯାଦବ, ଅଭିଷେକ ଶର୍ମା ଏବଂ ଇଶାନ କିଷାନଙ୍କ ଭଳି ତାରକା ଖେଳାଳିମାନେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ, ସେତେବେଳେ ସଞ୍ଜୁ ସାମସନ ଦଳର ମଙ୍ଗ ଧରିଥିଲେ । ସାମସନ ୯୭ ରନର ଏକ ଐତିହାସିକ ଇନିଂସ ଖେଳି ଭାରତକୁ ବିଜୟ ଦ୍ୱାର ଦେଶରେ ପହଞ୍ଚାଇଥିଲେ । ନିଜର ଏହି ଦମଦାର ପାଳିରେ ସେ ୧୨ଟି ଚୌକା ଏବଂ ୪ଟି ବିଶାଳ ଛକା ମାରିଥିଲେ । ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଠାରୁ ଆରମ୍ଭ କରି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମାଙ୍କ କ୍ଷୁଦ୍ର ଇନିଂସର ଯୋଗଦାନ ଥିଲେ ହେଁ, ସାମସନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହି ଦଳକୁ ଜିତାଇଥିଲେ ।
ଏହି ବିଜୟ ସହ ଇଡେନ ଗାର୍ଡେନ୍ସରେ ସବୁଠାରୁ ବଡ଼ ରନ୍ ଚେଜ୍ କରିବାର ନୂଆ କୀର୍ତ୍ତିମାନ ସ୍ଥାପନ ହୋଇଛି । ଏହା ପୂର୍ବରୁ ଏହି ପଡ଼ିଆରେ ସର୍ବାଧିକ ରନ୍ ଚେଜ୍ ୧୫୮ ରନ୍ ରହିଥିଲା, ଯାହା ମଧ୍ୟ ଭାରତ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହିଁ କରିଥିଲା । ଏବେ ୧୯୬ ରନର ଲକ୍ଷ୍ୟ ହାସଲ କରି ଭାରତ ଏହି ରେକର୍ଡକୁ ପଛରେ ପକାଇ ଦେଇଛି । ଭାରତର ପାୱାର ହିଟିଂ ଏବଂ ଶୃଙ୍ଖଳିତ ବ୍ୟାଟିଂ ଯୋଗୁଁ କୋଲକାତାର ଗ୍ୟାଲେରୀରେ ଉପସ୍ଥିତ ହଜାର ହଜାର ଦର୍ଶକ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିଥିଲେ ।
ମ୍ୟାଚର ଶେଷ ଦୁଇ ଓଭରରେ ଭାରତକୁ ଜିତିବା ପାଇଁ ୧୭ ରନ୍ ଆବଶ୍ୟକ ଥିଲା । ୧୯ତମ ଓଭରର ଦ୍ୱିତୀୟ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା (୧୭) ଆଉଟ୍ ହେବା ପରେ ଚାପ ବଢ଼ି ଯାଇଥିଲା । କିନ୍ତୁ ଏହି ସମୟରେ ଶିବମ ଦୁବେ ବ୍ୟାଟିଂ କରିବାକୁ ଆସି ମାତ୍ର ୩ଟି ବଲରେ ୨ଟି ଚୌକା ମାରି ଖେଳର ମୋଡ଼ ବଦଳାଇ ଦେଇଥିଲେ । ଦୁବେଙ୍କର ଏହି ଦୁଇଟି ଚୌକା ସଞ୍ଜୁ ସାମସନଙ୍କ ଉପରୁ ଚାପ କମାଇବା ସହ ୱେଷ୍ଟଇଣ୍ଡିଜକୁ ମ୍ୟାଚକୁ ଫେରିବାର ସୁଯୋଗ ଦେଇ ନଥିଲା ଏବଂ ଭାରତ ଏହି ମ୍ୟାଚକୁ ସହଜରେ ଜିତି ନେଇଥିଲା ।
Follow Us