PMO Photograph: (Kanak News)
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିକ୍ ମର୍ଜଙ୍କ ସହିତ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନା କରିଛନ୍ତି । ଗାନ୍ଧୀନଗରଠାରେ ମହାତ୍ମା ଗାନ୍ଧୀ କନଭେନସନ ସେଣ୍ଟରଠାରେ ଭାରତ-ଜର୍ମାନୀ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଦ୍ବିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ବିଦେଶ ସଚିବ ବିକ୍ରମ ମିଶ୍ରି ଉପସ୍ଥିତ ଥିଲେ । ମର୍ଜ ଦୁଇ ଦିନିଆ ଭାରତ ଗସ୍ତରେ ସୋମବାର ସକାଳେ ଅହମଦାବାଦଠାରେ ଆସି ପହଞ୍ଚିଥିଲେ । ଏହା ଭାରତ-ଜର୍ମାନୀର ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ଏବଂ ଭାରତ-ଜର୍ମାନୀ ରଣନୈତିକ ସହଭାଗିତାର ୨୫ ବର୍ଷ ରହିଛି । ଦ୍ବିପାକ୍ଷିକ ପ୍ରତିନିଧି ସ୍ତରୀୟ ଆଲୋଚନାବେଳେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଉଚ୍ଚଶିକ୍ଷା ବିକାଶ ଉପରେ ଏକ ବ୍ୟାପକ ରୋଡମ୍ୟାପ୍ର ଅଂଶ ଭାବରେ ମୋଦୀ ଜର୍ମାନ ବିଶ୍ବବିଦ୍ୟାଳୟମାନଙ୍କୁ ଭାରତରେ କ୍ୟାମ୍ପସ୍ ପ୍ରତିଷ୍ଠା କରିବାକୁ ନିମନ୍ତ୍ରଣ କରିଥିଲେ । ମୋଦୀ କହିଥିଲେ, ଭରତ-ଜର୍ମାନୀ ମଧ୍ୟରେ ଅର୍ଥନୈତିକ ସହଯୋଗିତା କେବଳ ଦୁଇ ଦେଶ ନୁହେଁ, ବରଂ ସମଗ୍ର ମାନବତା ପାଇଁ ଗୁରୁତ୍ବପୂର୍ଣ୍ଣ । ମର୍ଜଙ୍କ ସହିତ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମୋଦୀ ଦୁଇ ଦେଶ ମଧ୍ୟରେ ରହିଥିବା ଗଭୀର ଐତିହାସିକ ତଥା ଦାର୍ଶନିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଜର୍ମାନୀ ଚାନ୍ସେଲରଙ୍କ ଗସ୍ତ ସମୟରେ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଶତବାର୍ଷିକୀ ପାଳନ ହେଉଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
ଅହମଦାବାଦରେ ଭାରତ- ଜର୍ମାନୀ ସିଇଓ ଫୋରମରେ ଦୁଇ ରାଷ୍ଟ୍ର ମୁଖ୍ୟ ଦୁଇ ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଙ୍କୁ ଭେଟିଥିଲେ । ଏହି ଅବସରରେ ମୋଦୀ କହିଥିଲେ, ଦୁଇ ଦେଶର ବାଣିଜ୍ୟ ୫୦ ବିଲିଅନ ଡଲାର ପାର୍ କରିସାରିଥିବାବେଳେ ଭାରତରେ ୨୦୦୦ରୁ ଅଧିକ ଜର୍ମାନ କମ୍ପାନି କାର୍ଯ୍ୟ କରୁଛନ୍ତି। ଭାରତ- ଜର୍ମାନୀ ମଧ୍ୟରେ ଏହି ଅବସରରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା । ଜର୍ମାନୀ ଭାରତୀୟ ନାଗରିକଙ୍କ ପାଇଁ ଭିସା-ମୁକ୍ତ ପରିବହନ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ମର୍ଜଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ପଦକ୍ଷେପ ଦୁଇ ଦେଶର ଲୋକଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ବୃଦ୍ଧି କରିବ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
ଅଧିକ ପଢ଼ନ୍ତୁ---ଆକାଶଛୁଆଁ ସୁନା ଦର ; ରୂପା ବଢ଼ିଲା ଆଉ ୧୨ ହଜାର ଟଙ୍କା
ମର୍ଜ ଭାରତରେ ପହଞ୍ଚିବା ପରେ ସାବରମତି ନଦୀକୂଳରେ ଚାଲିଥିବା ଆର୍ନ୍ତଜାତିକ ଗୁଡ଼ି ମହୋତ୍ସବକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଉଦଘାଟନ କରିଥିଲେ । ଉଭୟ ରାଷ୍ଟ୍ର ମୁଖ୍ୟ ସେମାନଙ୍କ ଆକୃତି ବିଶିଷ୍ଟ ଗୁଡ଼ି, ଦୁଇ ଦେଶର ପତାକା ଥିବା, ହିନ୍ଦୁ ଦେବାଦେବୀଙ୍କ ଚିତ୍ର ତଥା ‘ଅପରେସନ ସିନ୍ଦୂର’ ବିଷୟବସ୍ତୁ ଥିବା ଗୁଡ଼ି ଉଡ଼ାଇବାର ଦେଖିବାକୁ ମିଳିଥିଲା । ଏହି ଅବସରରେ ମୋଦୀ ଓ ମର୍ଜ ମହିଳା କାରିଗରଙ୍କୁ ଭେଟିଥିଲେ । ଜର୍ମାନୀ ଚାନ୍ସେଲର ମର୍ଜ ସାବରମତୀ ନଦୀକୂଳରେ ଥିବା ଐତିହାସିକ ଗାନ୍ଧୀ ଆଶ୍ରମ ପରିଦର୍ଶନ କରିଥିଲେ । ଗାନ୍ଧୀଜୀଙ୍କ ‘ହୃଦୟ କୁଞ୍ଜ’ ବୁଲି ଦେଖିଥିଲେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହିତ ଉପସ୍ଥିତ ଥିଲେ ।
Follow Us