dhoni Photograph: (google)
କନକ ବ୍ୟୁରୋ: ଆସନ୍ତା ୭ରୁ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆରମ୍ଭ ହେବାକୁ ଯାଉଥିବାବେଳେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତକୁ ଏହି ପ୍ରତିଯୋଗିତାର ଫେଭରାଇଟ୍ ବୋଲି କହିଛନ୍ତି । ବର୍ତ୍ତମାନର ଭାରତୀୟ ଦଳ ସବୁଠାରୁ ଦୁର୍ଦ୍ଦର୍ଷ ଓ ଏକ ଭଲ ଦଳ ପାଇଁ ଯାହା ଆବଶ୍ୟକ ତାହା ଏହି ଦଳରେ ରହିଛି । ସେ କହିଛନ୍ତି ଯେ ବର୍ତ୍ତମାନର ଭାରତୀୟ ଦଳ ପାଖରେ ଅଭିଜ୍ଞତା ରହିଛି, ବିଶେଷକରି କ୍ରିକେଟ୍ର ଏହି ଫର୍ମାଟ୍ ପାଇଁ ଏକ ବଡ଼ ଅଭିଜ୍ଞତା ରହିଛି । ସେମାନେ ଚାପରେ ଖେଳିବାରେ ଅଭ୍ୟସ୍ତ । ଦଳରେ ଯିଏ ଯେଉଁ ଭୂମିକାରେ ଅଛି, ସିଏ ଅନେକ ସମୟ ଧରି ସେହି ଭୂମିକା ନିର୍ବାହ କରିଆସିଛି ।
ଏହା ବି ପଢ଼ନ୍ତୁ: ଫାଇନାଲ୍ରେ କ୍ୟାପିଟାଲ୍ସ; ଜାଏଣ୍ଟସ୍ ଏଲିମିନେଟ୍
ଭାରତୀୟ ଦଳ ସାମର୍ଥ୍ୟକୁ ପ୍ରସଂଶା କରିବା ସହ ସତର୍କ ମଧ୍ୟ କରାଇଦେଇଛନ୍ତି ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ ବିଜୟୀ ଭାରତୀୟ ଅଧିନାୟକ । ସେ କହିଛନ୍ତି ଯେ ଟ୍ବେଣ୍ଟି-୨୦ କ୍ରିକେଟ୍ ବେଶ ଅନିଶ୍ଚିତ । ଦିନେ ଦିନେ ତମ ଦଳରେ ପ୍ରମୁଖ ଖେଳାଳିମାନେ ଭଲ ଲୟରେ ନଥାନ୍ତି, ଆଉ ବିପକ୍ଷ ଦଳର କିଛି ଖେଳାଳି ଭଲ ପ୍ରଦର୍ଶନ କରିଥାନ୍ତି । ଏହା ଟ୍ବେଣ୍ଟି-୨୦ରେ ସମ୍ଭବ । ଏଣୁ ଠିକ୍ ସମୟ ଓ ଭାଗ୍ୟର ବି ଗୁରୁତ୍ବ ରହିଛି । ଏଣୁ ଆମକୁ ପ୍ରାର୍ଥନା କରିବାକୁ ପଡ଼ିବ, ଯେ ଦଳରେ କେହି ଆହତ ନ ହୁଅନ୍ତୁ ଓ ଯାହାକୁ ଯେଉଁ ଭୂମିକା ଦିଆଯାଇଛି ସେ ଭଲଭାବରେ ନିର୍ବାହ କରନ୍ତୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ବେଣ୍ଟି-୨୦ କ୍ରିକେଟ୍ରେ କାକରର ଏକ ବଡ଼ ଭୂମିକା ରହିଥାଏ । ଏହାର ଖେଳର ଫଳାଫଳକୁ ବି ପ୍ରଭାବିତ କରିପାରେ । ଏଣୁ ମ୍ୟାଚ୍ରେ ଟସ୍ର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଯାଏ ।
ଟ୍ବେଣ୍ଟି-୨୦ ବିଶ୍ବକପ୍ ଆସନ୍ତା ୭ ତାରିଖରୁ ଆରମ୍ଭ ହେଉଛି । ପ୍ରଥମ ଦିନରେ ଆୟୋଜକ ଭାରତ ଯୁକ୍ତରାଷ୍ଟ୍ର ଆମେରିକାକୁ ଭେଟିବ । ଫେବ୍ରୁଆରି ୧୫ରେ ବହୁଚର୍ଚ୍ଚିତ ଭାରତ ଓ ପାକିସ୍ତାନ ମ୍ୟାଚ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବ । କିନ୍ତୁ ଏହି ମ୍ୟାଚ୍ ଏବେ ପାକିସ୍ତାନର ବର୍ଜନ ଧମକ ଯୋଗୁଁ ଚର୍ଚ୍ଚାରେ ଅଛି ।
Follow Us