କନକ ବ୍ୟୁରୋ: ଚଳିତ ଡବ୍‌ଲ୍ୟୁପିଏଲ୍‌ ଫାଇନାଲ୍‌ରେ ଦ୍ବିତୀୟ ଦଳ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରବେଶ କରିଛି । ଗୁରୁବାର ଫାଇନାଲ୍‌ରେ ଏହି ଦଳ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ । ମଙ୍ଗଳବାର ଏଲିମିନେଟର୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୭ ୱିକେଟ୍‌ରେ ଗୁଜରାଟ ଜାଏଣ୍ଟ୍‌ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଜାଏଣ୍ଟସ୍‌ ୫.୨ ଓଭରରେ ୩୮ ରନ୍‌ରେ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା । ଏହି ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ ବେଥ୍‌ ମୁନିଙ୍କ ଅପରାଜିତ ୫୧ ବଲ୍‌ରୁ ୬୨* ଏବଂ ଜର୍ଜିଆ ୱେୟାରହାମ୍‌ଙ୍କ ୩୩ ରନ୍‌ ବଳରେ ଦଳ ୧୬୮/୭ ସମ୍ମାନଜନକ ସ୍କୋର୍‌ କରିପାରିଥିଲା । ଏମାନଙ୍କ ଛଡ଼ା କାସ୍‌ଭୀ ଗୌତମ (୧୮) ଓ ଅନୁଷ୍କା ଶର୍ମା (୧୬) ଦୁଇଅଙ୍କ ଛୁଇଁଥିଲେ । କ୍ୟାପିଟାଲ୍‌ସ ପକ୍ଷରୁ ଚିନେଲି ହେନରି ୩ ଏବଂ ନନ୍ଦନୀ ଶର୍ମା ୨ ୱିକେଟ୍‌ ନେଇଥିଲେ । ଜବାବରେ କ୍ୟାପିଟାଲ୍ସକୁ ଲେଜେଲି ଲି’ (୪୩, ୨୪ ବଲ୍‌, ୮ ଚୌକା, ୧ ଛକା) ଓ ଶେଫାଳୀ ବର୍ମା (୩୧, ୨୧ ବଲ୍‌, ୭ ଚୌକା) ୭.୧ ଓଭରରେ ୮୯ ରନ୍‌ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ । ହେଲେ ୩ ରନ୍‌ ମଧ୍ୟରେ ଉଭୟଙ୍କୁ ପ୍ୟାଭିଲିୟନ୍‌କୁ ପଠାଇ ୱେୟାରହାମ୍‌ ଯୁଗଳ ଝଟ୍‌କା ଦେଇଥିଲେ । ଏହାପରେ ଅଧିନାୟିକା ଜେମିମା ରଡ୍ରିଗ୍ସ ଓ ଲୌରା ଓଲ୍‌ଭର୍ଟ ତୃତୀୟ ୱିକେଟ୍‌ରେ ୬୮ ରନ୍‌ ଯୋଡ଼ି ଦଳକୁ ବିଜୟର ନିକଟତର କରାଇଥିଲେ । ରଡ୍ରିଗ୍ସ (୪୧, ୨୩ ବଲ୍‌, ୪ ଚୌକା, ୧ ଛକା)ଙ୍କୁ ରାଜେଶ୍ବରୀ ଗାଏକ୍ବାଡ ଆଉଟ୍‌ କରିଥିଲେ ମଧ୍ୟ କ୍ୟାପିଟାଲ୍ସ ବିଜୟକୁ ଅଟକାଇ ପାରି ନଥିଲେ । ଓଲ୍‌ଭର୍ଟ (୩୨* ରନ୍‌, ୨୪ ବଲ୍‌) ଅପରାଜିତ ରହି ଦଳକୁ ୨୬ ବଲ୍‌ ପୂର୍ବରୁ ବିଜୟ ଭେଟି ଦେଇଥିଲେ ।

Advertisment

ଏହା ବି ପଢ଼ନ୍ତୁ: ତଳିତଳାନ୍ତ ହୋଇଯିବ ପାକିସ୍ତାନ କ୍ରିକେଟ୍: କପିଳ ଦେବ