କନକ ବ୍ୟୁରୋ: ଗୁଆହାଟୀ ଟ୍ବେଣ୍ଟି-୨୦କୁ ୧୦ ଓଭର ପୂର୍ବରୁ ୮ ୱିକେଟ୍‌ରେ ଜିତି ନେଇଛି ଭାରତୀୟ କ୍ରିକେଟ୍‌ ଦଳ । ତା’ ସହିତ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୩-୦ର ଅପରାଜେୟ ଅଗ୍ରଣୀ ଲାଭ କରି ଆଗୁଆ କବ୍‌ଜା କରି ନେଇଛି । ସେହିଭଳି ଘରୋଇ ପରିବେଶରେ ଖେଳାଯିବାକୁ ଥିବା ବିଶ୍ବକପ୍‌ ପୂର୍ବରୁ ନିଜ ମନୋବଳକୁ ଆହୁରି ଉଚ୍ଚ କରି ନେଇଛି । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଲଗାତାର ଅର୍ଦ୍ଧଶତକ ମାରିବା ଏବଂ ଯୁବ ଓପନର୍‌ ଅଭିଷେକ ଶର୍ମା ଭାରତ ପକ୍ଷରୁ ଦ୍ବିତୀୟ ଦ୍ରୁତତମ ଅର୍ଦ୍ଧଶତକ ଅର୍ଜନ କରିବା ରବିବାର ଭାରତୀୟ ପ୍ରଶଂସକଙ୍କ ପାଇଁ ଅତିରିକ୍ତ ଖୁସି ଆଣିଛି । ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍‌ ୨୮ ତାରିଖରେ ବିଶାଖାପାଟଣାରେ ଖେଳାଯିବ । ରବିବାର ନ୍ୟୁଜିଲାଣ୍ଡ ମାତ୍ର ୧୫୪ ରନ୍‌ର ଲକ୍ଷ୍ୟ ଦେଇଥିଲା । ଖାସ୍‌ ବିଶ୍ବକପ୍‌ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିବାର ପ୍ରତୀକ୍ଷିତ ସୁଯୋଗ ପାଇଥିବା ସଞ୍ଜୁ ସାମସନ୍‌ କିନ୍ତୁ ପୁଣି ଥରେ ନିରାଶ କରିଥିଲେ । ଭାରତ ପଶ୍ଚାତ୍‌ଧାବନର ପ୍ରଥମ ବଲ୍‌ରେ ହିଁ କ୍ଲିନ୍ ବୋଲ୍‌ଡ ହୋଇଯାଇଥିଲେ ସେ । ତଥାପି ଦୁଇ ଯୁବ ବୀର ଅଭିଷେକ ଓ ଈଶାନ କିଶନ ନିର୍ଭୀକ କ୍ରିକେଟ୍ ଖେଳି ଚୌକା ଛକା ବର୍ଷା କରିଥିଲେ । ଈଶାନ ୨୮ ରନ୍‌ରେ ଆଉଟ୍ ହେବା ପରେ କିନ୍ତୁ ଭାରତ ଆଉ ୱିକେଟ୍‌ ହରାଇ ନଥିଲା । ସୂର୍ଯକୁମାର ଓ ଅଭିଷେକ ଅବିଭାଜିତ ତୃତୀୟ ୱିକେଟ୍‌ରେ ୧୦୨ ରନ୍‌ର ଭାଗୀଦାର ଗଢ଼ି ଭାରତକୁ ଦଶମ ଓଭର ଶେଷ ବଲ୍‌ରେ ହିଁ ବିଜୟୀ କରାଇଥିଲେ । ଏହି ଦୁଇ ଜଣଙ୍କ ବିସ୍ଫୋରକ ରୂପ ଲାଗି ଭାରତ ପାୱାର ପ୍ଲେ’ରେ ନିଜ ଟ୍ବେଣ୍ଟି-୨୦ ଇତିହାସର ଦ୍ବିତୀୟ ସର୍ବାଧିକ ସ୍କୋର୍‌ (୯୪) ହାସଲ କରି ନେଇଥିଲା ।  ଅଭିଷେକଙ୍କ ୧୪ ବଲ୍‌ ଅର୍ଦ୍ଧଶତକ ବି ଭାରତର ଦ୍ବିତୀୟ ଦ୍ରୁତତମ ଅର୍ଦ୍ଧଶତକ ଥିଲା ।  ଅଭିଷେକ ଏବେ ନିଜ ମାର୍ଗଦର୍ଶକ ତଥା ଗୁରୁ ଯୁବରାଜ ସିଂହଙ୍କ ୧୨ ବଲ୍‌ ଅର୍ଦ୍ଧଶତକ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ସୂର୍ଯ୍ୟକୁମାର ମଧ୍ୟ ୨୫ ବଲ୍‌ରୁ ଅର୍ଦ୍ଧଶତକ କରି ନିଜ ଚମତ୍କାର ଦକ୍ଷତାର ପୁନର୍ବାର ପ୍ରମାଣ ଦେଇଥିଲେ । 

Advertisment

ଏହା ବି ପଢ଼ନ୍ତୁ: ରୋହିତ ଓ ହରମନ୍‌ପ୍ରୀତ୍‌ଙ୍କୁ ପଦ୍ମଶ୍ରୀ

ପୂର୍ବରୁ ଭାରତୀୟ ବୋଲର ନିଜ ଦାୟିତ୍ବ ଠିକ୍‌ ଭାବେ ତୁଲାଇଥିଲେ । ଗୁଆହାଟୀ ପିଚ୍‌ ବଡ଼ ସ୍କୋର୍‌ ପାଇଁ ପରିଚିତ । ହେଲେ ସୂର୍ଯ୍ୟକୁମାର ଟସ୍‌ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ କରିବା ପରେ ଭାରତୀୟ ବୋଲର୍‌ ଏହି ଧାରାକୁ ବଦଳାଇ ଦେଇଥିଲେ । ରବିବାର ନିଜ ଶୃଙ୍ଖଳିତ ଓ ଶାଣିତ ବୋଲିଂରେ ନ୍ୟୁଜିଲାଣ୍ଡକୁ ୧୫୩/୯ରେ ଅଟକାଇ ଦେଇଥିଲେ । ହର୍ଷିତ ରାଣା, ଯଶପ୍ରୀତ୍‌ ବୁମ୍‌ରା ଓ ହାର୍ଦିକ ପାଣ୍ଡ୍ୟା ତିନିଟି ସଅଳ ୱିକେଟ୍ ନେଇ କିୱି ଦଳକୁ ୩୪/୩ରେ ସଂଘର୍ଷ କରିବାକୁ ବାଧ୍ୟ କରିଥିଲେ । ଲଗାତାର ୱିକେଟ୍‌ ପତନ ପାଇଁ ନ୍ୟୁଜିଲାଣ୍ଡ ମଧ୍ୟ ପାୱାର ପ୍ଲେ’ରେ ମାତ୍ର ୩୬ ରନ୍‌ କରି ପାରିଥିଲା । ମଝି ଓଭର ଗୁଡ଼ିକରେ ରବି ବିଷ୍ଣୋଇ ସଠିକ୍‌ ଗତି ଓ ସୁରକ୍ଷିତ ଲାଇନ୍‌ରେ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ବ୍ୟାଟର୍‌ଙ୍କୁ ହାତ ଖୋଲା ସଟ୍‌ ଖେଳିବାର ସୁଯୋଗ ଦେଇ ନଥିଲେ । ତା’ ସହିତ ବିଶ୍ବର ଏକ ନମ୍ବର ଟ୍ବେଣ୍ଟି-୨୦ ବୋଲର୍‌ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ଦଳରେ ପାଇଥିବା ଅପ୍ରତ୍ୟାଶିତ ସୁଯୋଗର ଯଥାର୍ଥ ସମ୍ମାନ ରଖିଥିଲେ ସେ । ନ୍ୟୁଜିଲାଣ୍ଡ ପାଇଁ କେବଳ ଗ୍ଲେନ୍‌ ଫିଲିପ୍ସ ଓ ମାର୍କ ଚାପମ୍ୟାନ୍‌ ଭାରତୀୟ ବୋଲରଙ୍କୁ କିଛିଟା ଚିନ୍ତାରେ ପକାଇଥିଲେ । ଅଧିନାୟକ ମିଚେଲ ସାଣ୍ଟନର୍‌ ପୁଣି ଥରେ ୨୭ ରନ୍‌ର ଦ୍ରୁତ ପାଳି ଖେଳିଥିଲେ । ତେବେ ବୁମ୍‌ରା ତାଙ୍କ ସହ କାଇଲ୍‌ ଜନସନଙ୍କୁ ଆଉଟ୍‌ କରି ଭାରତର ସଫଳତମ ବୋଲର (୩/୧୭) ହୋଇଥିଲେ । ହାର୍ଦିକ ଓ ବି‌ଷ୍ଣୋଇ ଦୁଇଟି ଲେଖାଏଁ ଏବଂ ରାଣା ଗୋଟିଏ ୱିକେଟ୍‌ କରାୟତ୍ତ କରିଥିଲେ ।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ ୨୦ ଓଭରରେ-୧୫୩/୯ (ଗ୍ଲେନ୍‌ ଫିଲିପ୍ସ ୪୮, ମାର୍କ ଚାପମ୍ୟାନ୍‌ ୩୨, ମିଚେଲ ସାଣ୍ଟନର୍ ୨୭, ଯଶପ୍ରୀତ୍‌ ବୁମ୍‌ରା ୩/୧୭, ରବି ବିଷ୍ଣୋଇ ୨/୧୮, ହାର୍ଦିକ ପାଣ୍ଡ୍ୟା ୨/୨୩) । ଭାରତ ୧୦ ଓଭରରେ-୧୫୫/୨ (ଅଭିଷେକ ଶର୍ମା ୬୮*, ଅଭିଷେକ ଶର୍ମା ୫୭*, ଈଶାନ କିଶନ ୨୮, ମ୍ୟାଟ୍ ହେନରି ୧/୨୮, ଈଶ୍‌ ‌ସୋଢ଼ୀ ୧/୨୮) ।