କନକ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଭୟଙ୍କର ସାମରିକ ସଂଘର୍ଷକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୯:୩୦ଟାରେ ସୁରକ୍ଷା କ୍ୟାବିନେଟ କମିଟି (CCS)ର ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି । ଏହି ବୈଠକରେ ବିଶେଷ କରି ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମାରାତ୍ମକ ଆକ୍ରମଣ ଏବଂ ଏଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରବର୍ତ୍ତୀ ପରିସ୍ଥିତି ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ସମ୍ଭାବନା ରହିଛି । ଦେଶର ସୁରକ୍ଷା ଏବଂ ବିଦେଶ ନୀତି ପ୍ରସଙ୍ଗରେ ଏହି ବୈଠକ ଅତ୍ୟନ୍ତ ନିର୍ଣ୍ଣାୟକ ହୋଇପାରେ, କାରଣ ବଦଳୁଥିବା ଆନ୍ତର୍ଜାତୀୟ ସମୀକରଣ ଉପରେ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିପାରେ ।

Advertisment

ଏହା ବି ପଢ଼ନ୍ତୁ: ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଉତ୍ତେଜନା: ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ନେଇ ଓମାନର ସୂଚନା, ଆହତ ହେଲେ ଭାରତୀୟ କ୍ରୁ ସଦସ୍ୟ

ଅନ୍ୟପଟେ, ଖାମେନେଇଙ୍କ ମୃତ୍ୟୁ ପରେ ଇରାନ ସମ୍ପୂର୍ଣ୍ଣ ରକ୍ତମୁଖା ହୋଇପଡ଼ିଛି ଏବଂ ଆମେରିକାର ଅସ୍ତ୍ରଶସ୍ତ୍ର ଘାଟି ଥିବା ଦେଶଗୁଡ଼ିକ ଉପରେ ଆକ୍ରମଣ ଆରମ୍ଭ କରିଦେଇଛି । ଏହି ଯୁଦ୍ଧଖୋର ମନୋଭାବକୁ ନେଇ ରୁଷିଆ ମଧ୍ୟ ନିଜର ନିନ୍ଦା ପ୍ରକଟ କରିଥିବା ବେଳେ, ବିଶ୍ୱବ୍ୟାପୀ ଏକ ଅସ୍ଥିରତା ଦେଖାଦେଇଛି । ଏଭଳି ସମ୍ବେଦନଶୀଳ ସମୟରେ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି । ମଧ୍ୟପ୍ରାଚ୍ୟରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ଓ ବାଣିଜ୍ୟିକ ସ୍ୱାର୍ଥ ରକ୍ଷା ପାଇଁ କି ପଦକ୍ଷେପ ନିଆଯିବ, ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।