କନକ ବ୍ୟୁରୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଆୟୋଜକ ଭାରତ ନିଜର ୩ ମ୍ୟାଚ୍ରୁ ୩ଟି ଯାକ ଜିତି ସୁପର-୮ ସ୍ଥାନ ନିଶ୍ଚିତ କରିଛି । ହେଲେ ଏହି ଦଳ ଏବେ ଗ୍ରୁପ୍-ଏ’ର ସମସ୍ତ ମ୍ୟାଚ୍ ଜିତି ସୁପର-୮ ଖେଳିବାର ଲକ୍ଷ୍ୟ ରଖିଛି । ତେଣୁ ବୁଧବାର ନେଦରଲାଣ୍ଡ୍ସ ବିପକ୍ଷ ଗ୍ରୁପ୍ର ଶେଷ ମ୍ୟାଚ୍ରେ ପୂରା ଶକ୍ତି ସହ ଓହ୍ଲାଇବ । କଲମ୍ବୋରେ ଚୀରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ହାଇଭୋଲ୍ଟେଜ୍ ମ୍ୟାଚ୍ ଜିତି ଭାରତୀୟ ଖେଳାଳି ଅହମଦାବାଦରେ ସୋମବାର ପହଞ୍ଚି ଯାଇଛନ୍ତି । ବିପକ୍ଷରେ ଦୂର୍ବଳ ଦଳ ଥିଲେ ମଙ୍ଗଳବାର ମୋଟରା ଷ୍ଟାଡିୟମ୍ରେ ହାଲ୍କା ଅଭ୍ୟାସ କରିଛନ୍ତି ।
ଏହା ବି ପଢ଼ନ୍ତୁ: T-20 World Cup 2026: ସୁପର-୮, କେଉଁ ଗ୍ରୁପ୍ରେ କିଏ?
ଗତ ୩ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲେ ମଧ୍ୟ ୨୦୯ ରନ୍ଠୁ ଅଧିକ ସ୍କୋର୍ କରିନି । ନେଦରଲାଣ୍ଡ୍ସ ବିପକ୍ଷରେ ବଡ଼ ସ୍କୋର୍ କରିବାକୁ ଚେଷ୍ଟା କରିବ ଭାରତ । ଅହମଦାବାଦ ପିଚ୍ ବି ସହାୟତା ଦେବା ସମ୍ଭାବନା ରହିଛି । ଏଠାରେ ଖେଳାଯାଇଥିବ ଗତ ୫ ମ୍ୟାଚ୍ରୁ ୪ ଥର ସ୍କୋର୍ ୨୧୦ ଉପରେ ରହିଛି । ଭାରତର ଯୁବ ବିସ୍ଫୋରକ ବ୍ୟାଟର୍ ଅଭିଷେକ ଶର୍ମା ୨ ମ୍ୟାଚ୍ ଖେଳିଥିଲେ ମଧ୍ୟ ଖାତା ଖୋଲିପାରି ନାହାନ୍ତି । ଏହି ମ୍ୟାଚ୍ରେ ରନ୍ କରି ସୁପର-୮ ପୂର୍ବରୁ ନିଜ ଆତ୍ମବିଶ୍ବାସ ଉଚ୍ଚରେ ରଖିବା ଆଶାରେ ଅଛନ୍ତି ସେ । ଅଭିଷେକଙ୍କ ସହ ଈଶାନ କିଶାନଙ୍କ ବ୍ୟାଟ୍ ପୂର୍ବପରି ଚାଲିବ ତେବେ ଭାରତ ନିଶ୍ଚିତ ବଡ଼ ସ୍କୋର୍ କରିପାରିବ । ଗତ ମ୍ୟାଚ୍ରେ ଖେଳିଥିବା ଏକାଦଶରୁ ଭାରତ କେବଳ କୁଲଦୀବ ଯାଦବଙ୍କୁ ବାଦ୍ ଦେଇ ଅର୍ଶଦୀପ ସିଂହଙ୍କୁ ସାମିଲ କରିପାରେ । ତାରକା ଦ୍ରୁତବୋଲର ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦେବନି ବୋଲି ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକ୍ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ଏହି ବିଶ୍ବକପ୍ରେ କେବଳ ନାମ୍ବିଆ ବିପକ୍ଷରେ ବିଜୟ ପାଇଛି । ତେବେ ଭାରତ ବିପକ୍ଷରେ ଦଳ କିଛି ଓଲଟପାଲଟ କରିବା ଆଶାରେ ରହିଛି ।
ଭାରତୀୟ ସମ୍ଭାବ୍ୟ ଏକାଦଶ: ଅଭିଷେକ ଶର୍ମା, ଈଶାନ କିଶନ (ୱିକେଟ୍ରକ୍ଷକ), ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ ।
ନେଦରଲାଣ୍ଡ୍ସ ସମ୍ଭାବ୍ୟ ଏକାଦଶ: ମାଇକେଲ ଲେଭିଟ, ମ୍ୟାତ୍ସ ଓ’ଡଡ୍, ବାସ୍ ଡି’ଲିଡ୍, କଲିନ ଆକରମାନ, ସ୍କଟ୍ ଏଡୱାର୍ଡ୍ସ (ଅଧିନାୟକ, ୱିକେଟ୍ରକ୍ଷକ), ଜାକ୍ ଲାୟନ-କାଚେଟ୍, ଲଗାନ ଭାନ୍ ବିକ୍, ଅର୍ଯ୍ୟନ ଦତ୍ତ, ରୋଲଫ୍ ଭାନ୍ ଡର୍ ମରୱି, କାଇଲ କ୍ଲେନ୍/ଫ୍ରେଡ୍ କ୍ଲସେଁ, ପଲ୍ ଭାନ୍ ମିକେରେନ୍ ।
Follow Us