କନକ ବ୍ୟୁରୋ: ଲିଗ୍‌ ପର୍ଯ୍ୟାୟର ଚାରିଟି ଗ୍ରୁପ୍‌ ଯଥା ଏ, ବି, ସି ଓ ଡି’ର ଶ୍ରେଷ୍ଠ ଦୁଇଟି ଲେଖାଏଁ ଦଳ ସୁପର-୮ ପର୍ଯ୍ୟାୟକୁ ଉନ୍ନୀତ ହେବେ । ମଙ୍ଗଳବାର ସୁଦ୍ଧା ସେଥିମଧ୍ୟରୁ ୭ଟି ଦଳ ସ୍ପଷ୍ଟ ହୋଇଛନ୍ତି । ଶେଷ ତଥା ଅଷ୍ଟମ ଦଳ ବୁଧବାରର ପାକିସ୍ତାନ-ନାମିବ୍ୟା ମ୍ୟାଚ୍‌ ପରେ ସ୍ପଷ୍ଟ ହେବ । ସୁପର-୮ର ଏହି ୮ ଦଳ ଦୁଇଟି ଗ୍ରୁପ୍‌ରେ ବିଭକ୍ତ ହେବେ ।  ଏହା ପରେ ପ୍ରତ୍ୟେକ ଦଳ ନିଜ ଗ୍ରୁପ୍‌ରେ ଥିବା ଅନ୍ୟ ଦଳଗୁଡ଼ିକ ବିପକ୍ଷରେ ରାଉଣ୍ଡ-ରବିନ ପଦ୍ଧତିରେ ମ୍ୟାଚ୍‌ ଖେଳିବେ । ସେଠାରୁ ଉଭୟ ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ । ସୁପର-୮ରେ କେଉଁ ଦଳ କେଉଁ ଗ୍ରୁପ୍‌ରେ ରହିବେ, ତାହା ବିଶ୍ବକପ୍‌ ପୂର୍ବର ମାନ୍ୟତା ଅନୁସାରେ ପୂର୍ବରୁ ନିର୍ଦ୍ଧାରଣ କରାଯାଇ ସାରିଛି । ଅର୍ଥାତ୍‌ ବିଶ୍ବମାନ୍ୟତା ଅନୁସାରେ ଭାରତ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ଗ୍ରୁପ୍‌-୧ରେ ଅଛନ୍ତି । ଗ୍ରୁପ୍‌-୨ରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା ଅଛନ୍ତି ।

Advertisment

ଏହା ବି ପଢ଼ନ୍ତୁ: ଛୋଟ କଥାରୁ ବଡ଼ ଖୁସି ଖୋଜୁଛନ୍ତି ପନ୍ତ

ଯଦି ଏହି ୮ଟି ଦଳ ଛଡ଼ା ଅନ୍ୟ କୌଣସି ଦଳ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିବ, ତାହେଲେ ଏହି ଦଳ ଲିଗ୍‌ ପର୍ଯ୍ୟାୟରୁ ବାଦ୍‌ ପଡ଼ିଥିବା ଦଳର ସ୍ଥାନ ନେବ । ଉଦାହରଣ ସ୍ବରୂପ ଗ୍ରୁପ୍‌-ବି’ରୁ ଅଷ୍ଟ୍ରେଲିଆ ପରିବର୍ତ୍ତେ ଜିମ୍ବାୱେ ସୁପର-୮କୁ ଉନ୍ନୀତ ହୋଇଥିବାରୁ ଏହି ଦଳ ଅଷ୍ଟ୍ରେଲିଆର ସ୍ଥାନ ନେବ । ଅର୍ଥାତ୍‌ ଗ୍ରୁପ୍‌-୧ରେ ଭାରତ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଓ ଜିମ୍ବାୱେ ରହିବେ । ଗ୍ରୁପ୍‌-୨ରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ନିଜ ନିଜ ସ୍ଥାସ ସୁରକ୍ଷିତ କରି ନେଇଛନ୍ତି । ପାକିସ୍ତାନ ବୁଧବାର ନାମିବ୍ୟାକୁ ହରାଇଲେ ଗ୍ରୁପ୍‌-୨ରେ ନିଜ ସ୍ଥାନ ବଜାୟ ରଖିବ । ଅନ୍ୟଥା ରନ୍‌ ରେଟ୍‌ ଆଧାରରେ ଆମେରିକା ଏହି ଦଳର ସ୍ଥାନ ନେବ ।