କନକ ବ୍ୟୁରୋ: ସକାଳୁ ସକାଳୁ ରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ଶ୍ରମିକ ସଂଗଠନର ସଦସ୍ୟ । ନୂଆ ଶ୍ରମ ଆଇନ ପ୍ରତ୍ୟାହାର ଦାବିରେ ଛକ ଛକରେ ବିକ୍ଷୋଭ କରିଥିଲେ । ଜାତୀୟ ରାଜପଥ ଉପରେ ବସି ରାସ୍ତା ଅବରୋଧ କରିଥିଲେ । ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବାକୁ ଛାଡିଦେଲେ ଆଉ କାହାକୁ ଛାଡିନଥିଲେ । ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ରେଳ ରୋକ୍ କରିଥିଲେ । ରାଷ୍ଟ୍ରାୟତ ଉଦ୍ୟୋଗ ଆଗରେ ଏକାଠି ହୋଇ କେନ୍ଦ୍ର ସରକାର ବିରୋଧରେ ଦେଇଥିଲେ ନାରାବାଜି । 
 
ଆନ୍ଦୋଳନବେଳେ ଦେଖିବାକୁ ମିଳିଥିଲା ଆଉ ଏକ ରୋଚକ ଦୃଶ୍ୟ । ଶ୍ରମିକ ସଂଗଠନ ସହ ମିଶି ରାଜ୍ୟର ବିଭିନ୍ନ ସ୍ଥାନରେ ଧର୍ମଘଟରେ ସାମିଲ ହୋଇଥିଲେ ପାଚିକା ସଂଘର କର୍ମକର୍ତ୍ତା । ବହୁ ସଂଖ୍ୟାରେ ମହିଳା ସାଂଗରେ ପିଲାଛୁଆ ଧରି ଆସି ବନ୍ଦରେ ସାମିଲ ଦେଇଥିଲେ ।

Advertisment

ଅଧିକ ପଢନ୍ତୁ;  ଦୁର୍ଗାପୂଜା ଭସାଣ ବିବାଦକୁ ନେଇ ବଢ଼ୁଛି ଉତ୍ତେଜନା : ଆଜି ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କଟକ ବନ୍ଦ ଡାକରା

ଶ୍ରମିକ ସଂଗଠନର ବିକ୍ଷୋଭକୁ ସିଧାସଳଖ ସମର୍ଥନ କରିନଥିଲେ ବି ଗଡି ନଥିଲା କୌଣସି ଘରୋଇ ଗାଡ଼ି । ଧର୍ମଘଟର ପ୍ରଭାବରେ ପୂରା ଠପ୍ ହୋଇଥିଲା ଯାତାୟତ।  ବସଷ୍ଟାଣ୍ଡ ଗୁଡିକରେ ଧାଡି ଧାଡି ହୋଇ ଛିଡା ହୋଇଥିଲା ବସ୍ । ଶୂନ ଶାନ ରହିଥିଲା ରାସ୍ତାଘାଟ। ଅଧିକାଂଶ ଲୋକ ସ୍ବତଃପ୍ରବୃତ ଭାବେ ବାହାରକୁ ବାହାରିନଥିଲେ। ଦୋକାନ, ବଜାର ବି ବନ୍ଦ ରହିଥିଲା। ବହୁ ସ୍ଥାନରେ ବ୍ୟାଙ୍କ, ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । 

 ଶ୍ରମ ଆଇନରେ ସଂଶୋଧନ, ବିଦ୍ୟୁତ୍‌ ସଂଶୋଧନ ବିଲ୍‌ ୨୦୨୫କୁ ପ୍ରତ୍ୟାହାର, ଭିବି-ଜି ରାମଜି ଆଇନ ବଦଳରେ ମନରେଗା ଲାଗୁ, ଚାଷୀ ଓ କୃଷି ଶ୍ରମିକଙ୍କୁ ସୁରକ୍ଷା ସହ ବିହନ ବିଲ୍‌ ୨୦୨୫ ପ୍ରତ୍ୟାହାର, ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର ଦାବିରେ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ  ।