କନକବ୍ୟୁରୋ : ଦୁର୍ଗାପୂଜା ମେଢ଼ ଭସାଣ ବେଳେ ଗୋଷ୍ଠୀ ବିବାଦକୁ ନେଇ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆଜି କଟକ ବନ୍ଦ ଡାକରା । ରବିବାର ବନ୍ଦ ସପକ୍ଷରେ ଶୋଭାଯାତ୍ରା ବାହାରିଥିବା  ବେଳେ ପୁଣିଥରେ ସୃଷ୍ଟି ହୋଇଥିଲା ତୀବ୍ର ଉତ୍ତେଜନା। ଯାହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ୩୬ ଘଣ୍ଟା ପାଇଁ କଟକଣା ଜାରି କରାଯାଇଛି। କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରିଛି କମିସନରେଟ ପୁଲିସ୍। ଅପ୍ରିତୀକର ତଥା ହିଂସାତ୍ମକ ପରିସ୍ଥିତି ଏଡ଼ାଇବାକୁ ସଜାଗ ହୋଇରହିଛି କମିସନରେଟ ପୋଲିସ୍। ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୬୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛ ନ୍ତି । ଆଇଜି ପ୍ରବୀଣ କୁମାର ଓ ଡିଆଇଜି ଯୁଗଳ କିଶୋର ବୋନଥଙ୍କୁ କଟକର ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି ।

Advertisment

ପୁଲିସ ଡିଜି ୱାଇ ବି ଖୁରାନିଆଙ୍କ ନେତୃତ୍ବରେ ଦରଘାବଜାରରେ ପୁଲିସର ସ୍ବତନ୍ତ୍ର କ୍ୟାମ୍ପ ଅଫିସ ଖୋଲାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଗାମେଢ଼ ଭସାଣି ବେଳେ ହାତୀପୋଖରୀଠାରେ ଘଟିଥିବା ଗଣ୍ଡଗୋଳର ପ୍ରତିଫଳନ ପୁଣିଥରେ ରବିବାର ଦେଖିବାକୁ ମିଳିଛି। ଭସାଣିରେ ଗଣ୍ଡଗୋଳ ପ୍ରତିବାଦରେ କଟକ ବନ୍ଦ ଡାକରାକୁ ସମର୍ଥନ କରି ବିଶ୍ବହିନ୍ଦୁ ପରିଷଦ ଓ ଅନ୍ୟ ସଂଗଠନ ପକ୍ଷରୁ ମୋଟର ସାଇକଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶୋଭାଯାତ୍ରା ଯାଉଥିବା ସମୟରେ ପୁଲିସ କିଛି ଶୋଭାଯାତ୍ରାକାରୀଙ୍କୁ ବଜ୍ରକବାଟୀ ନିକଟରେ ଅଟକାଇବାରୁ ଉତ୍ତେଜନା ବଢ଼ିଥିଲା ।

ସେଠାରେ ପୁଲିସ ଓ ଶୋଭାଯାତ୍ରାକାରୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଶୋଭାଯାତ୍ରାକାରୀମାନେ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଥିଲେ। ଶୋଭାଯାତ୍ରା ଦରଘାବଜାରରେ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଦରଘାବଜାରଠାରୁ ସିଟି ହସ୍ପିଟାଲ ଓ ଗୌରୀଶଙ୍କର ପାର୍କ ପର୍ଯ୍ୟନ୍ତ ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା। ଏହି ଘଟଣାରେ ଅନେକ ଦୋକାନ ଭଙ୍ଗାରୁଜା ହେବା ସହିତ ରାସ୍ତାକଡ଼ର ଠେଲାଗାଡ଼ି ଓ କ୍ୟାବିନ୍‌ ଜଳି ଯାଇଛି। ଏକାଧିକ କାର୍‌ ମଧ୍ୟ ଭାଙ୍ଗିଛି। ଘଟଣାକୁ ନେଇ ସ୍ଥିତି ଅନୁଧ୍ୟାନ କରିବା ସହ ଦୋଷୀଙ୍କୁ ଛଡ଼ାଯିବନାହିଁ ବୋଲି ଚେତାବନୀ ଦେଇଛନ୍ତି ପୁଲିସ୍ ଡିଜି ୱାଇବି ଖୁରାନିଆ ।

 ଘଟଣାକୁ ନେଇ ସୋସିଆଲ୍‌ ମିଡିଆରେ ମିଥ୍ୟା, ଉତ୍ତେଜନାପୂର୍ଣ୍ଣ ବାର୍ତ୍ତା ପ୍ରସାରଣ କରାଯାଉଥିବାରୁ ରାଜ୍ୟ ସରକାର କଟକ ସହରରେ ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିଛନ୍ତି। ଏହି ସମୟରେ ସମସ୍ତ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ହ୍ୱାଟ୍‌ସଆପ୍, ଫେସ୍‌ବୁକ୍, ଇନ୍‌ଷ୍ଟାଗ୍ରାମ୍, ସ୍ନାପ୍‌ଚାଟ୍ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ସେବା ବନ୍ଦ ରହିବ। କଟକ ସିଏମ୍‌ସି ଓ ସିଡିଏ ଅଞ୍ଚଳରେ ଇଣ୍ଟରନେଟ୍‌ର ଏହି ଅସ୍ଥାୟୀ ବନ୍ଦ ଲାଗୁ କରାଯାଇଥିବା ସୂଚନା ମିଳିଛି।
--
ସେପଟେ ଗୋଷ୍ଠୀ ବିବାଦକୁ ନେଇ ଭାଇଚାରର ସହର କଟକରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସଂଯମତା ରକ୍ଷା ପାଇଁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ଓ ଅନ୍ୟ ନେତୃବୃନ୍ଦ ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ  କଟକ ସହର ହେଉଛି ହଜାର ବର୍ଷର ସହର ।

ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର। କିନ୍ତୁ ଗତ କିଛି ଦିନ ଧରି କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି ଏବଂ ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହିଭଳି ବିଶୃଙ୍ଖଳାକାରୀଙ୍କ ଉପରେ ସରକାରଙ୍କ ନଜର ରହିଛି ଏବଂ ସେମାନଙ୍କ ଉପରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରମୁଖ ଶାନ୍ତି ବଜାୟ ରଖିବାକୁ ସଭିଙ୍କୁ ଅପିଲ୍ କରିଛନ୍ତି।