କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ଆଜି ବାତ୍ୟା ‘ମୋନ୍ଥା’ ର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ବଢ଼ିବା ସାଙ୍ଗକୁ ପବନର ବେଗ ଅଧିକ ରହିଛି । ବିଶେଷକରି ସମୁଦ୍ର ଉପକୂଳବର୍ତ୍ତୀ ୫ଟି ବ୍ଲକ୍ ଗଞ୍ଜାମ, ଛତ୍ରପୁର, ଖଲ୍ଲିକୋଟ, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକ୍ରେ ପ୍ରଭାବ ଅଧିକ ରହିଛି । ଏହା ସହ ପାତ୍ରପୁର, ଚିକିଟି, ଦିଗପହଣ୍ଡି, ପୋଲସରା, କବିସୂର୍ଯ୍ୟନଗର ଓ ଗୋପାଳପୁର ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିଛି । ଗଞ୍ଜାମ ବ୍ଲକ୍ ପୋଡ଼ମ୍ ପେଟାରେ ସମୁଦ୍ର କୂଳ ଲଂଘିଥିବା ବେଳେ ସେଠାରେ ଥିବା ୩ଟି ଦରଭଙ୍ଗା ଘରର ଭଗ୍ନାବଶେଷ ପୂରାପୂରି ଧୋଇ ହୋଇଯାଇଛି ।
୧୦ ବର୍ଷ ତଳେ ଏଠାରେ ରହୁଥିବା ଜନବସତିକୁ ସିଦ୍ଧାନ୍ତନଗରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବର୍ତ୍ତମାନ କେହି ରହୁ ନାହାନ୍ତି । କୂଳ ଲଂଘିବା ଖବର ମିଳିବା ପରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ପୋଡ଼ମ୍ପେଟାକୁ ଯିବା ପାଇଁ ରହିଥିବା ରାସ୍ତାକୁ ସିଲ୍ କରାଯାଇଛି ।
ପାକିସ୍ତାନରେ ଟମାଟୋ କିଲୋ ୬ଶହ ଟଙ୍କା, ଅଦା ୭୫୦ ଟଙ୍କା: ଲୋକଙ୍କୁ କଲବଲ କରୁଛି ପରିବା ଦର
ଅଧିକ ପଢନ୍ତୁ......
ଅନ୍ୟପକ୍ଷରେ ଜିଲ୍ଲା ପାଇଁ ଆଗାମୀ ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ତଳିଆ ଓ ଦୁର୍ଗମ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଦୁଇଦିନ ମଧ୍ୟରେ ଜିଲ୍ଲାର ୬ହଜାର ୨୮ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍ ସୂଚନା ଦେଇଛନ୍ତି । ସମସ୍ତଙ୍କ ପାଇଁ ରନ୍ଧାଖାଦ୍ୟ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ସେହିପରି ବିଭିନ୍ନ ସ୍ଥାନରୁ ୯୭୦ ଗର୍ଭବତୀଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ସୂଚନା ମିଳିଛି ।
ଗଞ୍ଜାମ ମନରୁ ଲିଭିନି ମହାବାତ୍ୟା ବିଭୀଷିକା:୨୬ ବର୍ଷ ତଳର ଦୁଃଖ,ଆଜିଯାଏଁ ଭୁଲିପାରିନି ଗଞ୍ଜାମ
ଅଧିକ ପଢନ୍ତୁ......
ପାତ୍ରପୁରର ଦୁର୍ଗମ ଇଲାକାରେ ଲଗାତାର ବର୍ଷା ଜାରି ରହିଥିବା ବେଳେ ବିଧାୟକ ମନୋରଂଜନ ଦ୍ୟାନସାମନ୍ତରା ଆଙ୍କୁଲି ପଞ୍ଚାୟତର ଲୋକଙ୍କୁ ଆଶ୍ରୟସ୍ଥଳରେ ସାକ୍ଷାତ କରି ପ୍ରସ୍ତୁତି ତଦାରଖ କରିଛନ୍ତି । ଜିଲ୍ଲାର କୌଣସି ମତ୍ସ୍ୟଜୀବୀ ସମୁଦ୍ରରେ ନଥିବା ବେଳେ କୋଷ୍ଟ୍ଗାର୍ଡ଼ ତରଫରୁ ସମୁଦ୍ର ଉପରେ ନଜର ରଖାଯାଇଛି । ଏହାସହ ଆନ୍ଧ୍ରରୁ ଆସୁଥିବା ଟ୍ରଲର୍ଗୁଡ଼ିକ ଆର୍ଯ୍ୟପଲ୍ଲୀ ଓ ଗୋପାଳପୁର ବନ୍ଦର ଅଞ୍ଚଳରେ ଲଙ୍ଗର ପକାଇବା ପାଇଁ ଅନୁମତି ଦିଆଯିବା ସହିତ ସେମାନଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।
ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାରେ ୪ଟି ଓଡ୍ରାଫ୍ ଟିମ୍ ଓ ଦମକଳବାହିନୀ ପ୍ରସ୍ତୁତ ରହିଛନ୍ତି । ଏହାସହିତ ଆର୍ମି ଏଡି କଲେଜର ଦୁଇଟି ଟିମ୍ ମଧ୍ୟ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିସି ଜରିଆରେ ଗଞ୍ଜାମ ଜିଲ୍ଲାରେ ‘ମୋନ୍ଥା’ ମୁକାବିଲା ସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ଲୋକଙ୍କ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ବର୍ଷା ଛାଡ଼ିବା ପରେ ତୁରନ୍ତ ଫସଲ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/29/podmpeta-2025-10-29-09-36-58.jpg)