କନକ ବ୍ୟୁରୋ : ପୁରୀ ଜିଲ୍ଲାର ଗୋପ ଏବଂ ନିମାପଡ଼ା ଅଞ୍ଚଳରେ ଚାଲିଥିବା ବେଆଇନ କାଠ କାରବାର ଉପରେ ବନ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି । ଗୁପ୍ତ ସୂଚନା ଆଧାରରେ ବନ ବିଭାଗର ଦୁଇଟି ସ୍ୱତନ୍ତ୍ର ଟିମ୍ ଏହି ଅଭିଯାନ ଚଳାଇ ଏକ ବେଆଇନ କାଠ ମିଲ୍‌ର ପର୍ଦ୍ଦାଫାଶ କରିଛନ୍ତି । ନିମାପଡ଼ା ଅଞ୍ଚଳରେ ଦୀର୍ଘ ଦିନ ଧରି କୌଣସି ବୈଧ ଅନୁମତି ବିନା ଏହି କାଠ ମିଲ୍‌ଟି ଚାଲୁଥିଲା । ବନ ବିଭାଗର ଅଧିକାରୀମାନେ ଅଚାନକ ସେଠାରେ ପହଞ୍ଚି ଚଢ଼ାଉ କରିବା ସମୟରେ ବିପୁଳ ପରିମାଣର କାଠ ଗଣ୍ଡି ଓ ପ୍ରସ୍ତୁତ କାଠ ଜବତ କରିଛନ୍ତି । ଏହା ସହିତ ମିଲ୍‌ରେ ବ୍ୟବହୃତ ହେଉଥିବା ଲକ୍ଷାଧିକ ଟଙ୍କାର କାଠ କଟା ମେସିନ୍ ଏବଂ ଯନ୍ତ୍ରାଂଶକୁ ମଧ୍ୟ ଜବତ କରାଯାଇଛି । କାଠ ଚୋରା ଚାଲାଣ ପାଇଁ ବ୍ୟବହୃତ ହେଉଥିବା ଏକ କାଠ ବୋଝେଇ ଟ୍ରାକ୍ଟରକୁ ମଧ୍ୟ ବନ ବିଭାଗ ନିଜ ହେପାଜତକୁ ନେଇଛି ।

Advertisment

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଅଞ୍ଚଳରେ ଏକ ବଡ଼ ଧରଣର ବେଆଇନ କାଠ ବ୍ୟବସାୟ ନେଟୱର୍କ ସକ୍ରିୟ ରହିଛି । ସ୍ଥାନୀୟ ବନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି କାଠ ସବୁ କେଉଁ ଜଙ୍ଗଲରୁ ଅଣାଯାଉଥିଲା ଏବଂ ଏହି ବ୍ୟବସାୟ ପଛରେ କେଉଁ ମାଫିଆମାନଙ୍କର ହାତ ରହିଛି, ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଚଢ଼ାଉ ପରେ ସମ୍ପୃକ୍ତ ଅଞ୍ଚଳର କାଠ ମାଫିଆଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ଅଧିକ ପଢ଼ନ୍ତୁ---ହାତରେ ବନ୍ଧୁକ ଧରି ବାନ୍ଧବୀଙ୍କୁ ଧମକାଇଲେ ଯୁବକ

ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ବନ ବିଭାଗର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୁରୀ ଜିଲ୍ଲାରେ ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ବନ ବିଭାଗ ସୂଚନା ଦେଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।