କନକ ବ୍ୟୁରୋ:ଟି-୨୦ ବିଶ୍ୱକପରେ ଭେନ୍ୟୁ ବଦଳାଇବା ପାଇଁ ବାଂଲାଦେଶର ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଆଇସିସି । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ସ୍ପଷ୍ଟ ଭାବେ କହିଛି ଯେ ବିଶ୍ୱକପ୍ ଖେଳିବା ପାଇଁ ବାଂଲାଦେଶକୁ ଭାରତ ଆସିବାକୁ ହିଁ ପଡ଼ିବ । ଯଦି ସେ ଏପରି ନକରେ, ତେବେ ଦଳର ପଏଣ୍ଟ କଟାଯିବ । ରିପୋର୍ଟ ମୁତାବକ ଏନେଇ ICC ଏକ ଭର୍ଚୁଆଲ୍ ବୈଠକ ମାଧ୍ୟମରେ ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ଜଣାଇଛି । ସୁରକ୍ଷାଗତ କାରଣରୁ ଭାରତ ବାହାରେ ମ୍ୟାଚ୍ ଖେଳିବା ପାଇଁ ଅନୁରୋଧ କରିଥିଲା ବାଂଲାଦେଶ । ଯାହାକୁ ପ୍ରତ୍ୟାଖ୍ୟାନ କରିଛି ଆଇସିସି ।
ଆଇସିସି ବିସିବିକୁ ସ୍ପଷ୍ଟ ଭାବେ କହିଛି ଯେ ଟି-୨୦ ବିଶ୍ୱକପ୍ ଖେଳିବା ପାଇଁ ବାଂଲାଦେଶକୁ ଭାରତ ଆସିବାକୁ ହିଁ ପଡ଼ିବ, ନଚେତ୍ ଦଳକୁ ପଏଣ୍ଟ ହରାଇବାକୁ ପଡ଼ିପାରେ । ଅନ୍ୟପକ୍ଷରେ, ବିସିବି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆଇସିସି ପକ୍ଷରୁ ଅନୁରୋଧ ଖାରଜ କରାଯିବା ନେଇ ସେମାନଙ୍କୁ କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ ।
ଆଇପିଏଲ୍ ଟିମ୍ କେକେଆର୍ (KKR) ନିକଟରେ ବିସିସିଆଇର ନିର୍ଦ୍ଦେଶକ୍ରମେ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ରିଲିଜ୍ କରିଦେଇଛି । ବାଂଲାଦେଶୀ କ୍ରିକେଟରଙ୍କୁ ଆଇପିଏଲ୍ ଖେଳାଇବା ନେଇ ଦେଶରେ ବିରୋଧର ସ୍ୱର ଉଠିବା ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଥିଲା । ବାଂଲାଦେଶରେ ହିନ୍ଦୁମାନଙ୍କ ବିରୋଧରେ ହିଂସା ଓ ଅତ୍ୟାଚାରକୁ ନେଇ ଭାରତବାସୀଙ୍କ ମଧ୍ୟରେ ତୀବ୍ର କ୍ରୋଧ ଓ ଅସନ୍ତୋଷ ରହିଛି । ଏହି କାରଣରୁ ମୁସ୍ତାଫିଜୁର ରେହମାନଙ୍କୁ ୯ କୋଟିରୁ ଅଧିକ ଟଙ୍କା ଦେଇ କିଣାଯିବାକୁ ଅନେକ ଲୋକ ପ୍ରବଳ ବିରୋଧ କରିଥିଲେ ।
ବିସିସିଆଇ ରେହମାନଙ୍କୁ ରିଲିଜ୍ କରିବା ପାଇଁ କେକେଆର୍କୁ ନିର୍ଦ୍ଦେଶ ଦେବା ପରେ ଏ ମାମଲାରେ ବାଂଲାଦେଶ ସରକାର ହସ୍ତକ୍ଷେପ କରିଛନ୍ତି । ପରିମାଣ ସ୍ୱରୂପ ଭାରତରେ ଫେବ୍ରୁଆରି ୭ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍କୁ ବାଂଲାଦେଶ ବୟକଟ୍ କରିବାକୁ ଧମକ ଦେଇଛି । ସୁରକ୍ଷାଗତ କାରଣ ଦର୍ଶାଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ଆଇସିସିକୁ ଲେଖିଥିବା ଚିଠିରେ କହିଛି ଯେ ସେମାନେ ଭାରତରେ ନିଜର କୌଣସି ମ୍ୟାଚ୍ ଖେଳିବେ ନାହିଁ । ତେଣୁ ସେମାନଙ୍କ ମ୍ୟାଚଗୁଡ଼ିକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବା ପାଇଁ ଦାବି କରିଥିଲେ ।
ଆହୁରି ପଢ଼ନ୍ତୁ : ବେଆଇନ୍ କାଠ ମିଲ୍ ଉପରେ ଚଢ଼ାଉ ; କାଠ ବୋଝେଇ ଟ୍ରାକ୍ଟର ଜବତ
ବାଂଲାଦେଶ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ ସେମାନଙ୍କ ଖେଳାଳିଙ୍କ ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଜରୁରୀ । ଅନ୍ୟପକ୍ଷରେ, ବାଂଲାଦେଶ ରାଗ ରଖି ବାଂଲାଦେଶରେ ଆଇପିଏଲ୍ର ପ୍ରସାରଣ ଉପରେ ମଧ୍ୟ ରୋକ୍ ଲଗାଇ ଦେଇଥିଲା । କିନ୍ତୁ ଏବେ ଆଇସିସି ସ୍ପଷ୍ଟ ଭାବେ କହିଛି ଯେ ବିଶ୍ୱକପ୍ ମ୍ୟାଚ୍ ଖେଳିବା ପାଇଁ ବାଂଲାଦେଶକୁ ଭାରତ ଆସିବାକୁ ହିଁ ପଡ଼ିବ ।
ଯଦି ବାଂଲାଦେଶ କ୍ରିକେଟ୍ ବୋର୍ଡ ଭାରତକୁ ନିଜ ଟିମ୍ ନପଠାଇବା ନିଷ୍ପତ୍ତିରେ ଅଟଳ ରହେ, ତେବେ ସେମାନଙ୍କୁ ଟି-୨୦ ବିଶ୍ୱକପ୍ରୁ ଓହରିଯିବାକୁ ପଡ଼ିପାରେ । କାରଣ ବାଂଲାଦେଶକୁ କୋଲକାତାରେ ୩ଟି ଏବଂ ମୁମ୍ବାଇରେ ଗୋଟିଏ ମ୍ୟାଚ୍ ଖେଳିବାର ଅଛି । ଏହି ଦଳ ପାଇଁ ଏହା ହିଁ ଭଲ ହେବ ଯେ, ସେମାନେ ନିଜ ଜିଦ୍ ଛାଡ଼ି ଭାରତରେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଆସନ୍ତୁ । ନହେଲେ ବାଂଲାଦେଶ ବଦଳରେ ଅନ୍ୟ କୌଣସି ଦଳକୁ ବିଶ୍ୱକପ୍ରେ ଭାଗ ନେବାକୁ ନିମନ୍ତ୍ରଣ କରିପାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2026/01/07/bangladesh-2026-01-07-12-12-47.jpg)