କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଆସନ୍ତା ଫେବ୍ରୁଆରି ୧୫ ତାରିଖରେ ହେବାକୁ ଥିବା ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ରାଜି କରାଇବାରେ ଆଇସିସି ସଫଳ ହୋଇଛି । ଏଥିପାଇଁ ଆଇସିସି ପକ୍ଷରୁ ପିସିବିକୁ କେତେକ ରିହାତି ପ୍ରଦାନ କରାଯାଇଛି । ତେବେ କଣ ସବୁ ରିହାତି ପ୍ରଦାନ କରାଯାଇଛି ତାହା ଆଇସିସି ପକ୍ଷରୁ ବିଶ୍ବକପ୍ ଶେଷ ହେବା ପରେ ପ୍ରକାଶ କରାଯିବ ।
ଏହା ବି ପଢ଼ନ୍ତୁ: ଭାରତୀୟ ଦଳ ସହ ଯାତ୍ରା କରିପାରିବେନି ପରିବାର
ସୋମବାର ଉଭୟ ପିସିବି ଓ ଆଇସିସି ପକ୍ଷରୁ ପ୍ରକାଶିତ ବୟାନରେ କୌଣସି ରିହାତି କଥା କୁହାଯାଇନଥିଲା । ଆଇସିସି ବୟାନରେ କେବଳ ବାଂଲାଦେଶ କଥା କୁହାଯାଇଥିଲା । ବାଂଲାଦେଶ ଉପରେ କୌଣସି କଟକଣା ଲଗାଯିବ ନାହିଁ ଓ ୨୦୨୮-୨୦୩୧ ସାଇକ୍ଲରେ ବାଂଲାଂଦେଶକୁ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ, ସମ୍ଭବତଃ ପୁରୁଷ ୧୯ ବର୍ଷରୁ କମ୍ ବିଶ୍ବକପ୍, ଆୟୋଜନ ଦାୟିତ୍ବ ପ୍ରଦାନ କରାଯିବ । ସେପଟେ ପିସିବି ପକ୍ଷରୁ କେବଳ କୁହାଯାଇଥିଲା ଯେ କେତେକ ଆଇସିସି ସଦସ୍ୟ ରାଷ୍ଟ୍ରଙ୍କ ଅନୁରୋଧ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେଙ୍କ ଦ୍ବାରା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫଙ୍କ ମଧ୍ୟରେ ହୋଇଥିବା ଆଲୋଚନା ପରେ ପାକିସ୍ତାନ ଖେଳିବାକୁ ରାଜି ହୋଇଥିଲା ।
ପୂର୍ବରୁ ଚର୍ଚ୍ଚା ହୋଉଥିଲା ଯେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ପାଞ୍ଚଟି ଦାବି ରଖିଥିଲେ ବି ଆଇସିସି କୌଣସି ଗୋଟିଏରେ ରାଜି ହୋଇନଥିଲା । ଏହାପରେ ପିସିବି ମୁଖ୍ୟ ମୋହସିନ ନକ୍ଭୀ ନିଷ୍ପତ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପରେ ଛାଡ଼ିଥିଲେ । ସେହିପରି ଶ୍ରୀଲଙ୍କା ବୋର୍ଡ ଓ ୟୁଏଇ ବୋର୍ଡ ମଧ୍ୟ ପାକିସ୍ତାନକୁ ଖେଳିବାକୁ ଅନୁରୋଧ କରିଥିଲେ । ଏସବୁକୁ ଦୃଷ୍ଟିରେ ରଖି ପାକିସ୍ତାନ ଖେଳିବାକୁ ରାଜି ହୋଇଥିଲା ।
Follow Us