କନକ ବ୍ୟୁରୋ : ୨୦ ବର୍ଷ ତଳେ ଆଜିର ଦିନରେ ଏମିତି ଏକ ଅଘଟଣ ଘଟିଥିଲା, ଯାହା ଖାଲି ରାଜ୍ୟ ନୁହେଁ ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା । ଯାଜପୁର କଳିଙ୍ଗନଗରରେ ଗୁଳିକାଣ୍ଡ ୧୪ଜଣଙ୍କ ଜୀବନ ଯାଇଥିଲା । ସେଦିନ ନିଜ ଆତ୍ମୀୟଙ୍କୁ ହରାଇଥିବା ଆଦିବାସୀ ଆଜି ସେଠାରେ ଏକାଠି ହୋଇ ୨୦ତମ ସହିଦ ଦିବସ ପାଳିଛନ୍ତି । ଆଉ ବଖାଣିଛନ୍ତି- ସେଦିନ ଗୁଳି ମୁଣ୍ଡ ନେଇଥିଲା, ଆଜି ବି ମୁଣ୍ଡ ନେଉଛି ରୋଗ ଓ ପ୍ରଦୂଷଣ । 

Advertisment

ଆଜି ବି କଇଁ କଇଁ କାନ୍ଦୁଛି ‘କଳିଙ୍ଗନଗର’... ୨୦ ବର୍ଷ ହେଲା ଶୁଖୁନି ଲୁହ... । ସେବେ ଏକାଠି ଜଳିଥିଲା ୧୪ ଜୁଇ... ଏବେ ବି ଜଳୁଛି ନିରୀହଙ୍କ ଚିତା । ସେଦିନ ଗୁଳି ବାଜି ମୁଣ୍ଡ ଗଡ଼ିଥିଲା... ଏବେ ମୁଣ୍ଡ ନେଉଛି ପ୍ରଦୂଷଣ । ଏମାନଙ୍କ ଛାତିରେ ଅଲିଭା ଦାଗ ଛାଡ଼ିଯାଇଛି ୨୦୦୬ ଜାନୁଆରି ୨ । ଶିଳ୍ପ ପ୍ରତିଷ୍ଠା ପାଇଁ ଯାଜପୁର ଜିଲ୍ଲା କଳିଙ୍ଗନଗରରେ ହୋଇଥିବା ନିର୍ମମ ଗୁଳିକାଣ୍ଡ ସ୍ମୃତିରେ, ଆଜି ପାଳିତ ହୋଇଛି ସହିଦ ଦିବସ । ଉଦବେଗର କଥା, ୨୦ ବର୍ଷ ପରେ ବି ସରିନି  କଳିଙ୍ଗନଗରବାସୀଙ୍କ ଜୀବନ ଯନ୍ତ୍ରଣା । ଏହି ଶିଳ୍ପାଞ୍ଚଳରେ ୨୦ରୁ ଅଧିକ ଶିଳ୍ପ ଗଢ଼ିଉଠିଥିବା ବେଳେ, ଜୀବନ ଦୁର୍ବିସହ କରିଦେଉଛି ପ୍ରଦୂଷଣ ଓ ରୋଗବ୍ୟାଧି ।

ଅଧିକ ପଢ଼ନ୍ତୁ---ଶିକ୍ଷିତ ବେକାରଙ୍କୁ ଚାକିରି ପ୍ରଲୋଭନ ; ଲୋଭ ଦେଖାଇ କୋଟି କୋଟି ଲୁଟ୍

ଜୀବନ ନେଉଛି କଳ କାରଖାନାରୁ ନିର୍ଗତ ଧୂଆଁ ଓ ଧୂଳି । ଉତ୍କଟ ପ୍ରଦୂଷଣ କବଳରେ ଦାନଗଦୀ ଓ ସୁକିନ୍ଦା ବ୍ଲକ୍‌ର ବହୁ ପଞ୍ଚାୟତ । କିଡ୍‌ନି ଓ ଯକ୍ଷ୍ମାରେ ମଲେଣି ପଙ୍କପାଳ ପଞ୍ଚାୟତର ଦେଢ଼ ଶହରୁ ଅଧିକ ଲୋକ । ୨୧୨ଟି ଗାଁକୁ ଖଣି ଓ ଶିଳ୍ପ ପ୍ରଭାବିତ ଭାବେ ଚିହ୍ନଟ ହୋଇଥିବା ବେଳେ, ପ୍ରତି ଗାଁରେ ୧୦ ରୁ ୧୨ ଜଣ ଯକ୍ଷ୍ମା, କିଡ୍‍ନି ରୋଗ ଓ କର୍କଟରେ ପୀଡ଼ିତ। ସେପଟେ ଦାନଗଦୀ, ରାବଣା, ଯଖପୁରା ଓ ସୁକିନ୍ଦା ସରକାରୀ ଡାକ୍ତରଖାନାରେ ମିଳୁନି ଆବଶ୍ୟକ ଚିକିତ୍ସା ସୁବିଧା । ୭୦-୮୦ କିଲୋମିଟର ଦୂର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏକମାତ୍ର ଭରସା । ଦାନଗଦୀରେ ମାଗଣା ଡାଏଲିସିସ୍‌ ସେବା କାର୍ଯ୍ୟକ୍ଷମ ହୋଇପାରିନି । ସୁପର ସ୍ପେସିଆଲିଟି ହସ୍‌ପିଟାଲ ତ ଖାଲି ଘୋଷଣାରେ ରହିଛି । ଏହାର ତୁରନ୍ତ ପ୍ରତିକାର ଓ ଆକ୍ରାନ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ବିଧିବଦ୍ଧ ଯୋଜନା କରାଯାଇଛି ବୋଲି ଯାଜପୁର ଜିଲ୍ଲାପାଳ କହିଛନ୍ତି ।