କନକ ବ୍ୟୁରୋ : ‘ ମୁଁ ଜ୍ୟୋତି , ମୋ ନିଜ ଭିତରେ ଅଛି ମୋର  ଗୋଟେ ଭିନ୍ନ କାହାଣୀ । ଆଜିକା ସମାଜରେ ଅନେକ ହାରି ଯିବା ପରେ ମୃତ୍ୟୁର ବାଟ ବାଛିନେଉଥିବା ମୁଁ ଶୁଣୁଛି ଦେଖୁଛି ବି  । ହେଲେ କାହିଁକି ? ମୁଁ ତ ବଞ୍ଚିଛି । ଯଦି ମୁଁ ବଞ୍ଚିପାରିଛି ତାହେଲେ ଆପଣ ବି ବଞ୍ଚିପାରିବେ । କାରଣ ମୋ ଜୀବନର ଆଦ୍ୟରୁ ଆଜିଯାଏଁ ଯେଉଁ ସମୟ ଆଉ ଯେଉଁ ସବୁ ଘଟଣା ଘଟିଛି ତାହା ଶୁଣିଲେ ଆପଣଙ୍କ ଆଖି ଓଦା ହୋଇଯିବ , ହୁଏତ  କିଛି ସମୟ ପାଇଁ  ସ୍ତବ୍ଧ ହୋଇଯିବେ । ଆଉ ଗୋଟେ ଦୀର୍ଘ ନିଃଶ୍ବାସ ନେବା ପରେ ଆପଣ ବି କହିବେ,  ନା ବଞ୍ଚିବାକୁ ପଡ଼ିବ । 

Advertisment

ଅଧିକ ପଢ଼ନ୍ତୁ--ସକାଳ ଜଳଖିଆ ପାଇଁ କ’ଣ ଭଲ ? ଗଜା ମୁଗ ନା’ ଗଜା ବୁଟ ? କେଉଁଥିରେ ଅଛି ଅଧିକ ନ୍ୟୁଟ୍ରିସନ୍ ?

ମୁଁ ହେତୁ ପାଇଲାବେଳକୁ ନିଜୁକୁ କୁଢ଼ କୁଢ଼ ଅଳିଆ ଗଦା ଭିତରେ ଆବିଷ୍କାର କରଥିଲି । କାରଣ , ଖାଇବା ଦିଟା ଯୋଗାଡ଼ କରିବାକୁ ମୁଁ ପିଲା ଦିନରୁ ଭିକ ମାଗିଲି ଆଉ ପ୍ଳାଷ୍ଟିକ୍ ଆଉ ଜରି ଗୋଟାଇଲି  । ସନ୍ଧ୍ୟାରେ ତାକୁ ବିକିଲେ ଯାହା କେଇ ଟଙ୍କା ମିଳୁଥିଲା ମୋ ପାଇଁ ଆଉ ବାପା, ମାଆଙ୍କ ପାଇଁ ଖାଇବା ନେଉ ଯାଉଥିଲି । ମୋ ମୁଣ୍ଡ ଉପରେ ନା ଛପର ଥିଲା ନା କିଛି ଠିକଣା । ପ୍ଲାଟଫର୍ମର ଗୋଟେ କୋଣରେ ପଡ଼ି ରହୁଥିଲୁ । ବର୍ଷା ଦିନେ ଆଉ ଶୀତ ଦିନେ ପ୍ଲାଟଫର୍ମରେ ବସି ବସି ରାତିଟା ସେମିତି ଚାହିଁ ଚାହିଁ କାଟିଦେଉଥିଲି । ବେଳେ ବେଳେ ଶୀତରୁ ରକ୍ଷା ପାଇବାକୁ ବଡ଼ ଜରି ପାଇଲେ ବା ଜରି ଅଖା ପାଇଲେ ତା ଭିତରେ ପଶିଯାଉଥିଲି । ମୋତେ ଯେତେବେଳ ୧୦ ବର୍ଷ ମୋ ମାଆ ଙ୍କ ମୃତ୍ୟୁ ହୋଇଗଲା । ଆଉ ତା ପରେ ଅବସ୍ଥା ନକହିବା ଭଲ । ଦିନରୁ ରାତି ଆସିବା ଯାଏଁ  ରାସ୍ତା କଡ଼ରେ କେବେ ବୁଲି ବୁଲି ଭିକ ମାଗୁଥିଲି ତ କେବେ କେଉଁଠି ପ୍ଲାଷ୍ଟିକ୍ ଗୋଟାଇ କବାଡ଼ି ବାଲାକୁ ଦେଉଥିଲି । ପ୍ଲାଟଫର୍ମରେ ବେଳେ ବେଳେ ପୁଲିସ ଘଉଡ଼ାଇଲେ ରାତି ସାରା ଘୁରୁବୁଲୁଥିଲି । 

ଜୀବନ ଏମିତି ଚାଲିଥିବାବେଳେ ଥରେ ରେନ୍ ବୋ ଫାଉଣ୍ଡେସନର ନିଲୁ ମାଡାମ୍ ଷ୍ଟେସନକୁ ଆସିଥିଲେ । ମୋ ବାବଦରେ ପଚାରିଲେ ଆଉ କିଛି ପିଲାଙ୍କୁ ବି ପଚାରିଲେ । କିନ୍ତୁ ମୁଁ ମୋ ନିଜ ବିଷୟରେ କିଛି ଜାଣିନଥିଲି କହିଲେ ଚଳେ । ସେଠି ଥିବା ବୟସ୍କ ଲୋକେ ମୋ ବିଷୟରେ ମାଡାମଙ୍କୁ କହିଥିଲେ । ସେଇଠୁ ଜାଣିବାକୁ ପାଇଲି, ମୋ ବାପା , ମାଆ ଷ୍ଟେସନ କଡ଼ରେ ଜରି ପକାଇ ରହୁଥିଲେ । କିନ୍ତୁ ମୋତେ ଯେତେବେଳେ ମାତ୍ର ବର୍ଷେ ମୋତେ ଷ୍ଟେସନରେ ଏକୁଟିଆ ଛାଡ଼ି ଚାଲିଗଲେ । ମୋତେ କୋଳକୁ ନେଇଥିଲେ ସେଠି ଦାନ୍ତକାଠି ବିକୁଥିବା ଜଣେ ମହିଳା । ହେଲେ ଚାଲି ଶିଖିବା ଆଉ କଥା କହିବା ପରେ ମୁଁ ଷ୍ଟେସନରେ ଭିକ ମାଗିବା ଆରମ୍ଭ କରିଥିଲି ।  ଆଉ ଅଳିଆ ଗୋଟାଉଥିଲି । ମୋତେ ୧୦ ବର୍ଷ ହେବାବେଳେକୁ ସେ ବି ଆରପାରିକୁ ଚାଲିଗଲେ । ତାଙ୍କର ଜଣେ ସମ୍ପର୍କୀୟ ଭାଇ ମୋତେ ସାହାରା ଦେଲେ । ତାଙ୍କୁ ମୁଁ ବାପା ବୋଲି ଡାକୁଥିଲି । ମୋ ଆଖିରେ କିଛି ସ୍ବପ୍ନ ନଥିଲା ନା କିଛି ଇଚ୍ଛା । ଖାଲି ଯାହା ଭୋକ ଲାଗିଲେ ଖାଇବାକୁ ଖୋଜୁଥିଲି । କିନ୍ତୁ ରେନବୋ ଫାଉଣ୍ଡେସନ୍ ମୋତେ ନୂଆ ଜୀବନ ଦେଲା । ସେଇଠୁ ମୁଁ ଜୀବନକୁ ବୁଝିବା ଆରମ୍ଭ କଲି ।  ସେଲ୍ଟର ହୋମରେ ରହି ପଢ଼ିଲି ଆଉ ବହୁତ ଭଲ ମାର୍କ ରଖି ମେଟ୍ରିକ୍ ପାସ୍ କଲି । ତାପରେ ଇଣ୍ଟରମିଡିଏଟ୍ ବି କଲି । ଏବେ ମୁଁ କାଫେ ଚଲାଉଛି , ମୁଁ ବଞ୍ଚୁଛି ଅନ୍ୟକୁ ବି ବଞ୍ଚାଉଛି’ ।

ଇଣ୍ଟରମିଡିଏଟ୍ ପାସ୍ କରିବା ପରେ କିଛି ସହୃଦୟ ବ୍ୟକ୍ତିଙ୍କ ସହଯୋଗରେ ଆସିୟାନା ଦିଘା ରୋଡ୍ ନିକଟରେ ଲେମନ୍ କାଫେ ଖୋଲିଛନ୍ତି । ସେଠି  ବିଭିନ୍ନ ପ୍ରକାରର ଚା ସହ ସ୍ନାକ୍ସ ମିଳୁଛି । ସେଠାରୁ ରୋଜଗାର ହେଉଥିବା ଅର୍ଥରେ ନିଜେ ଭଡ଼ା ଘରେ ରହି ପଢ଼ା ଜାରି ରଖିଛନ୍ତି । ଗରିବ ପିଲାଙ୍କ ପଢ଼ାରେ ବି ସହଯୋଗ କରୁଛନ୍ତି । ସକାଳୁ ରାତି ୧୦ଟାଏଁ ଏଇ କାଫେ ଚଳାଇଥାନ୍ତି ଜ୍ୟୋତି  । ତା ଭିତରେ ସମୟ ମିଳିଲେ ପଢ଼ନ୍ତି । ଘରକୁ ଫେରିବା ପରେ ବି ପଢ଼ା ଚାଲେ । ତାଙ୍କ ଲକ୍ଷ୍ୟ ମାର୍କେଟିଙ୍ଗ କୋର୍ସ କରିବେ ଏ ଦିଗରେ ନିଜର ପରିଚୟ ସୃଷ୍ଟି କରିବେ । ଆମର ବିଶ୍ବାସ ଜ୍ୟୋତିଙ୍କ କାହାଣୀ କେହି ହାରିଯାଉଥିବାବେଳେ ଆଗକୁ ବଢ଼ିବାର ବାଟ ଦେଖାଇବ । ପୂରା କାହାଣୀ ଜାଣିବା ପରେ ଲାଗେ ଜୀଇଁବାର ଆଉ ଗୋଟେ ନାଁ ବୋଧେ ଜ୍ୟୋତି ।