କନକ ବ୍ୟୁରୋ : ପ୍ରତିଦିନର ଧାଁଦଉଡ଼ ଜୀବନ ଭିତରେ ଅହରହ କାମ କରୁଥିବା ଲୋକଟି କ୍ଲାନ୍ତ ହୋଇପଡ଼େ । ଯାହାଦ୍ବାରା ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼େ । ଆଉ ତା’ପରେ ଦୌଡ଼ିବାକୁ ପଡ଼େ ଡାକ୍ତରଙ୍କ ପାଖକୁ । ଡାକ୍ତର ଖାଦ୍ୟରେ ସନ୍ତୁଳନ ରଖିବାକୁ ପରାମର୍ଶ ଦେବା ସହ ଡାଏଟ୍ ପ୍ଲାନ୍ ପରିବର୍ତ୍ତନ କରିବାକୁ କହିଥା’ନ୍ତି । ବିନା ତେଲ,ମସଲାଯୁକ୍ତ ଖାଦ୍ୟ ଖାଇଲେ ଶରୀର ପୁଣି ଥରେ ସୁସ୍ଥ ଦୌଡ଼ରେ ସାମିଲ ହୁଏ । ଆପଣ ଯଦି କେବେ ଡାଏଟେସିଆନଙ୍କ ପରାମର୍ଶ ନେଇଥିବେ ତା’ହେଲେ ସେ ପ୍ରଥମେ ସକାଳୁ ଗଜାବୁଟ କିମ୍ବା ଗଜାମୁଗ ଖାଇବାକୁ ପରାମର୍ଶ ଦେଇଥା’ନ୍ତି । ସକାଳ ଜଳଖିଆ ଠାରୁ ନେଇ ରାତ୍ରି ଭୋଜନ ପର୍ଯ୍ୟନ୍ତ ଏହି ଖାଦ୍ୟକୁ ଡାଏଟରେ ସାମିଲ୍ କରିବାକୁ କହିଥା’ନ୍ତି ଡାକ୍ତର । ତେବେ ଗଜାବୁଟରେ ପ୍ରୋଟିନ୍ , ଫାଇବର ଏବଂ ବିଭିନ୍ନ ପ୍ରକାରର ଭିଟାମିନ୍ ଥାଏ । ଯାହା ଓଜନ ହ୍ରାସ ଠାରୁ ଆରମ୍ଭ କରି ହଜମ ପର୍ଯ୍ୟନ୍ତ ସବୁ କରିଥାଏ । କିନ୍ତୁ ବେଳେବେଳେ ଲୋକମାନେ ଦ୍ୱନ୍ଦ୍ୱରେ ପଡ଼ନ୍ତି ଯେ ଗଜା ମୁଗ ଏବଂ ଗଜା ବୁଟ ଭିତରୁ କେଉଁଟି ଅଧିକ ଲାଭଦାୟକ । ଯଦି ଆପଣ ମଧ୍ୟ ଏହି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ଆସନ୍ତୁ ଜାଣିବା ଯେ ପ୍ରକୃତରେ ଦେହ ପାଇଁ କେଉଁ ଖାଦ୍ୟପଦାର୍ଥଟି ଅଧିକ ଲାଭଦାୟକ ।

Advertisment

ଗଜା ବୁଟର ପୁଷ୍ଟିକର ଲାଭ ବିଷୟରେ କହିବାକୁ ଗଲେ ୧୦୦ ଗ୍ରାମ ଗଜାବୁଟରେ ୨୦.୫ ଗ୍ରାମ ପ୍ରୋଟିନ୍, ୧୨.୨ ଗ୍ରାମ ଫାଇବର, ୫୭ ମିଲିଗ୍ରାମ୍ କ୍ୟାଲସିୟମ, ୪.୩୧ ମିଲିଗ୍ରାମ୍ ଲୌହ, ୭୧୮ ମିଲିଗ୍ରାମ୍ ପୋଟାସିୟମ ଏବଂ ୪ ମିଲିଗ୍ରାମ୍ ଭିଟାମିନ୍ ସି ଥାଏ । ଏଥିରେ  ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମଧ୍ୟ ରହିଛି । ଏହା ଖାଇବା ଦ୍ବାରା ରକ୍ତ ଶର୍କରା ନିୟନ୍ତ୍ରଣ , ସୁସ୍ଥ ହଜମ ପ୍ରକ୍ରିୟା , ହୃଦୟ ଏବଂ ହାଡ଼ରେ ମଧ୍ୟ ସୁସ୍ଥତା ଦେଖାଯାଏ । 

moong-dal-vs-black-chickpeas-spr
moong-dal-vs-black-chickpeas-spr Photograph: (google)

ଗଜା ମୁଗ ମଧ୍ୟ ପୁଷ୍ଟିକର ଦ୍ରବ୍ୟରେ ଭରପୂର । ଏଥିରେ ୨୩.୯ ଗ୍ରାମ ପ୍ରୋଟିନ, ୧୬.୩ ଗ୍ରାମ ଫାଇବର, ୧୩୨ ମିଲିଗ୍ରାମ୍ କ୍ୟାଲସିୟମ, ୬.୭୪ ମିଲିଗ୍ରାମ୍ ଲୌହ, ୧୨୫୦ ମିଲିଗ୍ରାମ୍ ପୋଟାସିୟମ ଏବଂ ୪.୮ ମିଲିଗ୍ରାମ୍ ଭିଟାମିନ ସି ରହିଛି । ଗଜା ମୁଗ ଖାଇବା ଦ୍ୱାରା ଅବିଶ୍ୱସନୀୟ ସ୍ୱାସ୍ଥ୍ୟ ଲାଭ ମିଳିଥାଏ । ପ୍ରତିଦିନ ଏହା ଖାଇବା ଦ୍ୱାରା ପାଚନ ପ୍ରକ୍ରିୟା ଉନ୍ନତ ହୁଏ, ଓଜନ ହ୍ରାସ ପାଏ ଏବଂ ରକ୍ତଚାପ ନିୟନ୍ତ୍ରଣ ହୁଏ । ଏହା ରୋଗ ପ୍ରତିରୋଧକ କାର୍ଯ୍ୟକୁ ମଧ୍ୟ ଉନ୍ନତ କରେ । ଦେଖିବାକୁ ଗଲେ ଗଜା ମୁଗ ଏବଂ ଗଜା ବୁଟ ଉଭୟ ପୁଷ୍ଟିକର ପଦାର୍ଥର ଭଣ୍ଡାର । ତଥାପି ଯେତେବେଳେ ଗୋଟିଏ ବାଛିବା କଥା ଆସେ, ଗଜା ମୁଗ ଗଜା ବୁଟ ଅପେକ୍ଷା ଅଧିକ ପୁଷ୍ଟିକର ପଦାର୍ଥ ପ୍ରଦାନ କରେ । ତଥାପି ଉଭୟର ଭିନ୍ନ ଭିନ୍ନ ଲାଭ ଅଛି । ତେଣୁ ଆପଣ ଆପଣଙ୍କ ଆବଶ୍ୟକତା ଅନୁସାରେ ଗୋଟିଏ ବାଛିପାରିବେ । ଆଉ ଯଦି ଆପଣ ଉଭୟ ଖାଉଛନ୍ତି ତା’ହେଲେ ଆହୁରି ଭଲ ।