କନକ ବ୍ୟୁରୋ : ଗାଁରୁ ସହର ଥିଲା ତାଙ୍କ କ୍ରେଜ୍ । ଆଧୁନିକ ଓଡ଼ିଆ ସଙ୍ଗୀତ ଜଗତର ସେ ଥିଲେ ନାମୀ ଦାମୀ କଣ୍ଠଶିଳ୍ପୀ । ଖୁବ କମ ବୟସରେ ସେ ଯେଉଁ ସଫଳତା ହାସଲ କରିଥିଲେ ତାହା କୌଣସି ସ୍ୱପ୍ନଠାରୁ କମ୍ ନୁହେଁ । ନିଜ ସ୍ୱର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖୁଥିବା କଣ୍ଠଶିଳ୍ପୀ ମାତ୍ର ୩୫ ବର୍ଷରେ ପ୍ରତିଟି ଫ୍ୟାନ୍ସଙ୍କ ଆଖି ଭିଜେଇ ଦେଇଗଲେ ହ୍ୟୁମାନ ସାଗର । ସେ ଗାଇଥିବା ପ୍ରତ୍ୟେକ ଗୀତ ଫ୍ୟାନ୍ସଙ୍କ ମନରେ ଘର କରି ରହିଛି । କେତେ କନ୍ଦାଇଥିଲେ... କେତେ ଯେ ହୃଦୟ ଯୋଡ଼ିଥିଲେ । ତାଙ୍କ ସ୍ୱରର ଯାଦୁଗରୀରେ ସେ ସାଧାରଣ ଲୋକଠାରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କ ମନ ଜିତି ନେଉଥିଲେ । ରାଜ୍ୟର ଦୁଇ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବି ଗୀତ ଗାଇଛନ୍ତି ହ୍ୟୁମାନ ସାଗର ।
୨୦୧୯ ବିଧାନସଭା ନିର୍ବାଚନର ସମୟ ଥିଲା । ହଠାତ ସେତେବେଳେ ସାରା ଓଡ଼ିଶାରେ ଗୁଞ୍ଜରିତ ହୋଇଥିଲା 'ହେ ନବୀନ ବାବୁ ଆମେ ତମ ଫ୍ୟାନ୍' ଗୀତ । ହ୍ୟୁମାନ ସାଗରଙ୍କ ଏହି ଗୀତରେ ବାଇୟା ହୋଇଥିଲେ ଭୋଟରମାନେ । ରାତାରାତି ନବୀନଙ୍କ ପ୍ରତି କ୍ରେଜ୍ ଆହୁରି ବୃଦ୍ଧି ପାଇଥିଲା । ଏହି ଗୀତରେ ଭୋଟରଙ୍କୁ ଏକ ପ୍ରକାର ଆକର୍ଷଣ କରିଥିଲା ବୋଲି କହିଲେ ଭୁଲ୍ ହେବନି । ଗୀତିକାର ପ୍ରମୋଦ ପରିଡ଼ା ଏହି ଗୀତ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିରଜା ପ୍ରସାଦ । ହ୍ୟୁମାନ ସାଗର ଏହି ଗୀତକୁ ଏକ ପ୍ରକାର ଜୀବନ୍ୟାସ ଦେଇଥିଲେ । ନିର୍ବାଚନ ପରେ ବି ଏହି ଗୀତକୁ ଅନେକ ବିବାହ ଶୋଭଯାତ୍ରାରେ ଶୁଣିବାକୁ ମିଳେ । ଆଜି ବି ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଗୁଞ୍ଜି ଉଠେ ହ୍ୟୁମାନ ସାଗରଙ୍କ ସେହି ଗୀତ... ହେ ନବୀନ ବାବୁ ଆମେ ତମ ଫ୍ୟାନ୍...।
ଅଧିକ ପଢ଼ନ୍ତୁ--୨୦୧୨ ରିୟାଲିଟି ଶୋରୁ ଆରମ୍ଭ କରିଥିଲେ ସଙ୍ଗୀତର ଯାତ୍ରା, ୧୦ ବର୍ଷରେ ହାତେଇଥିଲେ ଅଦ୍ଭୁତପୂର୍ବ ସଫଳତା
ଖାଲି ନବୀନ ବାବୁଙ୍କ ପାଇଁ କାହିଁକି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ବି ଗୀତ ଗାଇଥିଲେ ହ୍ୟୁମାନ ସାଗର । ଗୀତିକାର ସୁବ୍ରତ ସ୍ୱାଇଁ ଲେଖିଥିବା 'ପିପୁଲ ସିଏମ୍ ମୋହନ' ବି ଗାଇଥିଲେ ହ୍ୟୁମାନ ସାଗର । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏହି ଗୀତର ନିର୍ଦ୍ଦେଶନା ଦେଇଥିଲେ । ଗତ ମେ ୪ ତାରିଖରେ କେନ୍ଦୁଝରରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଗୀତକୁ ଲୋକାର୍ପିତ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ହ୍ୟୁମାନ ସାଗର ଗାଇଥିବା ଉଭୟ ଗୀତ ହିଟ୍ ହୋଇଥିଲା । ଖୁବ ଭଲ ପାଇବା ଦେଇଥିଲେ ଲୋକମାନେ ।
ଗତ ୨୦୧୫ ମସିହାରେ ଓଡ଼ିଆ ସଙ୍ଗୀତ ଜଗତରେ ପଦାର୍ପଣ କରିଥିଲେ ହ୍ୟୁମାନ । ସେ ପ୍ରାୟ ପ୍ରତିଟି ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାରଙ୍କ ସହ କାମ କରିଛନ୍ତି । ୧୦ ବର୍ଷ ହେଲା ସେ ଓଡ଼ିଆ ସଙ୍ଗୀତ ଜଗତରେ ରାଜ୍ କରୁଥିଲେ । ସବୁଠି ବାଜୁଥିଲା ହ୍ୟୁମାନ ସାଗରଙ୍କ ଗୀତ । ତାଙ୍କୁ ଓଡ଼ିଶାର ଅରିଜିତ ସିଂ ବୋଲି କହୁଥିଲେ ଫ୍ୟାନ୍ସମାନେ । ପ୍ରତିଦିନ ୧୦ଟି ଗୀତ ରେକର୍ଡ କରୁଥିଲେ । ୨୦୧୫ରୁ ୨୦୨୫ ମଧ୍ୟରେ ସେ ପ୍ରାୟ ୧୦ ହଜାରରୁ ଅଧିକ ଗୀତ ଗାଇଛନ୍ତି ହ୍ୟୁମାନ ସାଗର ।
ଗତ କିଛି ମାସ ହେବ ଶ୍ୱାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଥିଲେ ହ୍ୟୁମାନ । କଟକର ଏକ ଘରୋଇ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହେଉଥିଲେ ବି ସ୍ୱାସ୍ଥ୍ୟରେ ଉନ୍ନତି ହେଉନଥିଲା । ଗତ ଶୁକ୍ରବାର ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଭେଣ୍ଟିଲେଟର୍ ସପୋର୍ଟ ମଧ୍ୟ ରଖାଯାଇଥିଲା । ଡାକ୍ତରଙ୍କ ସତଚେଷ୍ଟା ପରେ ବି ଶେଷରେ ହ୍ୟୁମାନ୍ ଅଫେରା ରାଇଜକୁ ଚାଲିଯାଇଛନ୍ତି, ଆଉ ସମସ୍ତଙ୍କ ଆଖିକୁ ଭିଜେଇ ଦେଇଯାଇ ଚିନନିଦ୍ରାରେ ଶୋଇ ପଡିଛନ୍ତି ହ୍ୟୁମାନ ସାଗର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/18/humane-sagar-2025-11-18-16-45-49.jpg)