କନକ ବ୍ୟୁରୋ : ଅପେକ୍ଷା ଜଣେ କେତେ ଅପେକ୍ଷା କରିପାରିବ ? ନିରବ ରାଗରୁଷାର ଓଜନ ଯେ କେତେ ତାକୁ କ’ଣ ବାକ୍ୟରେ କହିହେବ ? ଆମ ଭିତରେ ଯାହା ଥିଲା କ’ଣ ସତରେ ମସ୍ତିଷ୍କର ଖେଳ ଥିଲା ନା କେବେ ସେ ମତେ ଥରୁଟିଏ ବି ଭଲପାଇଛି ? ଏମିତି ଅନାବନା ଭାବନା ଭିତରେ ଝିଅଟି ଗୁମ୍ ମାରି ବିନ୍ଦୁସାଗର କୂଳରେ ବସି ରହିଥିଲା । ମନରେ ଅସୁମାରି ପ୍ରଶ୍ନ , ପାଦରେ ପାଣିର ଥଣ୍ଡା ଥଣ୍ଡା ସ୍ପର୍ଶ ଆଉ ମସ୍ତିଷ୍କ ଶୂନ୍ । ଲିଙ୍ଗରାଜ ମନ୍ଦିରରେ ମୁଣ୍ଡିଆ ମାରି ଭଗବାନଙ୍କୁ ଡାକିଲା ବେଳେ ଧାର ଧାର ହୋଇ ଲୁହ ବାହାରି ପଡ଼ିବା କ’ଣ ସତରେ ମୋହ ଥିଲା ? ମଣିଷ ମାତ୍ରେ ତ ମୋହ କିନ୍ତୁ ସାମ୍ନା ଲୋକଟିର ସ୍ବତନ୍ତ୍ରତା,ଖୁସି ପାଇଁ ନିଜର ଖୁସିକୁ ଛାଡ଼ିଦେବା କ’ଣ ମୋହ ? ନା’ ଏ ବୋଧେ ଏକତରଫା ପ୍ରେମ । କିନ୍ତୁ ଏକତରଫା ଥାଇ ବି ଜଣେ ଏ ଫାଶରେ ପଡ଼ିଛି ଏହା ବି କହିବା ହାସ୍ୟାସ୍ପଦ । କାରଣ ସେ ଦେଖିଛି ଚକ୍ଷୁକ୍ରିଡ଼ା ଜଣେ ଲୋକରେ କେବେ ବି ସମ୍ଭବ ନୁହେଁ । ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୭ ବର୍ଷ ନିରବରେ ଖାଲି ପ୍ରେମ କରି ଚାଲିବା ଆଉ ବଦଳରେ କିଛି ନ ପାଇବା ଶୁଣିବାକୁ ଭଲ ଲାଗେ କିନ୍ତୁ ଯିଏ ଭୋଗିଛି ସେ ଜାଣିଛି ଏ ନିରବରେ କେତେ କଷ୍ଟ କେତେ ଯନ୍ତ୍ରଣା ।

Advertisment

ଆଗକୁ ପଢ଼ନ୍ତୁ : Hug Day Special : ଉଷୁମ ଆଲିଙ୍ଗନର କାହାଣୀ

ଏମିତି ଭାବୁ ଭାବୁ ହଠାତ୍ ନଜର ପଡ଼ିଗଲା ବିନ୍ଦୁ ସାଗର କୂଳରେ ହାତ ଧରାଧରି ହୋଇ ପ୍ରିୱେଡିଂ ଫଟୋସୁଟ୍ କରାଉଥିବା ଦମ୍ପତିଙ୍କ ଉପରେ । ଧଳା ଏବଂ ମେରୁନ୍ ରଙ୍ଗର ଡ୍ରେସରେ ଦମ୍ପତି ଫଟୋ ଉଠାଉଛନ୍ତି । ମନରେ ଅସୁମାରି ସ୍ବପ୍ନ , ନୂଆ ଜୀବନ ଆରମ୍ଭ କରିବାର ଖୁସି ସେ ଭିତରେ ଟିକେ ଟିକେ ଲାଜ । କ’ଣ ଏ ସମୟ ତା’ର କେବେ ଆସିବନି ? କ’ଣ ଏ ଖୁସି ସେ କେବେ ପାଇବନି ? ତା’ପରେ ଆଉ ଟିକେ ଦୂରକୁ ଚାହିଁଲା ବେଳକୁ ସମାନ ପରିସ୍ଥିତି ଦୁଇ ଜଣ ପ୍ରେମୀଯୁଗଳ ଜଣେ ରାଗରେ ଫୋନ୍ ଫୋପାଡ଼ି ମୁହଁ ଫୁଲାଇ ବସିଛି ଏବଂ ଜଣେ ମନାଉଛି । ଆଉ ଜଣେ ଦମ୍ପତି ଫୁଲ ଦିଆନିଆ ହୋଇ ସେଲ୍ଫି ଉଠାଉଛନ୍ତି । ସବୁ ସମୟର ଚକ୍ର କେତେବେଳେ ରାଗ କେତେବେଳେ ପ୍ରେମ ଆଉ କେତେବେଳେ ମିଳନ । କିନ୍ତୁ ତା’ର ସମ୍ପର୍କ କ’ଣ ? ନା’ ତ ସେ ପ୍ରେମରେ ଆଉ ନା’ ଏକା । ପୁଣି ମନକୁ ଆସେ କ’ଣ ଅସ୍ଥିତ୍ବ କାହାକୁ ନେଇ ଗଢ଼ାହୁଏ ? ଯଦି ଆଜି ଏହି ମୁହୂର୍ତ୍ତରେ ସେ ଆସି ଜାବୁଡ଼ି ଧରି କୁହନ୍ତା ହଁ ମୋର ଭୁଲ୍ ହୋଇଗଲା ବହୁତ ଅପେକ୍ଷା କରାଇଦେଲି , ଜୀବନରେ କେବେ ଆଉ ଲେଟ୍ ହେବନି । ତା’ହେଲେ ପଥର ଭଳି ମନଟା ତେଲ ପରି ତରଳି ଯାଆନ୍ତା କିନ୍ତୁ ଆଲିଙ୍ଗନ କରିବାକୁ ବି ବୋଧହୁଏ ଷଡଯନ୍ତ୍ରର ସାହାରା ନିଏ ପୁରୁଷ । ଭୁଲ ହୋଇପାରେ କିଛି ପୁରୁଷ । କାରଣ ମେଲ୍ ଇଗୋ ନାଁ ଯଦି ଏତେ ଲୋକପ୍ରିୟ ତାହେଲେ ଗୋଲ୍ଡ ହାର୍ଟେଡ୍ ମ୍ୟାନ୍ ବି ସେତେ ପପୁଲାର୍ । ଛାଡ଼ ଏତେ ଭାବିଲେ ମଣିଷ ବଞ୍ଚିବା କଷ୍ଟକର ଭାବି ଯିବାକୁ ବାହାରିଲା ବେଳକୁ ହଠାତ୍ ପାଦଟି ଖସିଗଲା । ଆଉ କେହି ଜଣେ ହାତକୁ ଟାଣି ଜୋରରେ ଜାବୁଡ଼ି ଧରିଲା । କିଛି ସମୟ ଅଟକିଗଲା ପରେ ମଣିଷଟି କହିଲା କ’ଣ ଘରକୁ ଯିବାନି କି ଆଉ କେତେ ସମୟ ଏଠି ବସିବ ... ମେଡିସିନ୍ ଖାଇବା ସମୟ ହେଲାଣି ନହେଲେ ତୁମେ ମତେ ପୁଣିଥରେ ଭୁଲି ଅତୀତକୁ ଫେରିଯିବ ଆଉ ରାଗରେ କହିବ କେତେ ଅପେକ୍ଷା କରେଇଲ ମତେ । ଝିଅ, ଜ୍ବାଇଁ ବାରମ୍ବାର ଫୋନ୍ କଲେଣି ପୁଅ,ବୋହୂ କ’ଣ ଚୁପିଚୁପି କଥା ହେଉଥିଲେ ବୋଧେ ସେଲିବ୍ରେସନ୍ କରିବେକି କ’ଣ । ଯାହା ହେଲେ ବି ଆଜି ଆମର ଗୋଲ୍ଡେନ୍ ବିବାହ ବାର୍ଷିକୀ ପୂରା ୫୦ ବର୍ଷ ତୁମ ସହ କେମିତି ବିତିଗଲା ଜଣାପଡ଼ିଲାନି । ଆଉ ଆଜି ହଗ୍ ଡେ ମନେ ଅଛି ତ … ଗୋଡ଼ ହାତ ଧରି ଭୁଲ୍ ମାଗିଥିଲି , ହଗ୍ କରି ଏ ପଥର ମଣିଷଟାକୁ ତେଲ ପରି ମୁଁ ତରଳେଇ ଦେଇଥିଲି ... ବୁଢ଼ା ଲୋକଟା ଆଲିଙ୍ଗନ କରି କ’ଣ କ’ଣ କହୁଥିଲା କେଜାଣି ଆଖିଟା ଯେତେବେଳେ ପାଣିକୁ ପଡ଼ିଲା ଝିଅଟିର ଚୁଟି ବି ଧଳା ହୋଇଯାଇଛି ହେଲେ ସେ କେତେବେଳେ ବୁଢ଼ୀ ହେଲା ଏବେ ବି ଜାଣିପାରୁନି । ବୋଧହୁଏ ସେ ଯାହା ଚାହୁଥିଲା ତାକୁ ମିଳିଯାଇଛି କିନ୍ତୁ କେବେ ମିଳିଛି ମନେ ନାହିଁ ...