ଆଲୋକନାଥ : ଓଃ କି ଖରା , ସକାଳୁ ସକାଳୁ ପରିବା ବୋଝେ ନ ଆଣିଲେ ଘରଣୀ କାନଟାକୁ ଉଠେଇଥାନ୍ତେ ପକେଇଥାନ୍ତେ । ଆଗୋ ବିନୋଦିନୀ , ନିଅ ତୁମ ବିନ୍ , କୋବି , ଆଳୁର ପଲିଥିନି । ହାଃ ହାଃ ହାଃ
ଆଲୋକନାଥ : ଆରେ ତମେ କହିଲେ ଆକାଶରୁ ଚାନ୍ଦ ଆଣିଦେବି । ଏ ପରିବାରେ ପଚା ବି ଯଦି ବାହାରିଲା ଭାବିନେବ ଆମ ପ୍ରେମ ଟିକେ ହାଇ ମାରିବାକୁ ଚାଲିଯାଇଥିଲା ।
ବିନୋଦିନୀ : ଯାଃ ବୁଢା ଟେ ହେଲଣି ଆହୁରି ସେ ରସିକିଆ ଗୁଣ ଯାଉନି । ମୁଁ ତ କହି କହି ଥେୟା ହେଲିଣି ମତେ ଗୋଟେ ଉଷୁମ ..
ଆଲୋକନାଥ : ଉଷୁମ ଚା’ ଦରକାର ସାଙ୍ଗେ ସାଙ୍ଗେ ଆଣୁଛି ମ୍ୟାଡାମ୍ , ଆପଣ ବସନ୍ତୁ ।
ବିନୋଦିନୀ : ଏ ଲୋକଟା ମୋ ପୁରା କଥାକୁ କେବେ ଶୁଣିବ କେଜାଣି ।
କିଛି ଦିନ ପରେ ..
ଆଲୋକନାଥ : ଆରେ ଧନୀବୋଉ ଏବେ କେବେ ଗୋଟେ ସାବିତ୍ରୀ ପଡୁଛି ନା , କାଇଁ ଶାଢୀ ଶଙ୍ଖା ପାଇଁ ତ କିଛି କହୁନ ।
ବିନୋଦିନୀ : ମୋର କ’ଣ ଶାଢୀ ଶଙ୍ଖାର ଅଭାବ ଅଛି ଭାଇ ପରା ଭାର ନେଇ ଆସିଥିଲା ସବୁ ସାଙ୍ଗରେ ନେଇ ଆସିଛି । ଖାଲି ଦରକାର ଅଛି ତ ଗୋଟେ ଉଷୁମ ..
ଝିଅ : ମାମା ମତେ କ୍ଷୀର ବିସ୍କୁଟ୍ ଦିଅ ଖାଇ ଟିଉସନ୍ ଯିବି ।
ଆଲୋକନାଥ : ହଁ ହଁ ମା’ ତୁ ଟିକେ ବସ ମୁଁ ତମ ମା’ଝିଅଙ୍କ ପାଇଁ ଉଷୁମ କ୍ଷୀର ଆଣୁଛି ।
ବିନୋଦିନୀ : ହୁସ୍ .. ହଁ ଲୋ ମା’ ତୁ ବସ୍ ବାପା ଉଷୁମ ଉଷୁମ କ୍ଷୀର ଦେବେ ପିଇ ଟିଉସନ୍ ଯିବୁ ।
ଝିଅ : ଆଉ ମାମା ତମେ ପିଇବନି ?
ବିନୋଦିନୀ : ନାଇଁ ଲୋ ମା’ ତୁମ ଦି’ଜଣଙ୍କୁ ଦେଖିଲେ ତ ମୋ ପେଟ ପୁରିଯାଉଛି ଆଉ କ’ଣ ପିଇବି ।
ଆଉ କିଛି ଦିନ ପରେ ..
ଆଲୋକନାଥ : ଧନୀବୋଉ ସାବିତ୍ରୀ ପାଇଁ ମନ୍ଦିରକୁ ଟିକେ ଏକା ଚାଲିଯିବ ଅଫିସ୍ ରେ ଟିକେ ଜରୁରୀ କାମ ଅଛି । ନ ଗଲେ ନ ଚଳେ ।
ବିନୋଦିନୀ : ଏଁ ଆଚ୍ଛା ହୋଉ , ହେଲେ କାମ ଯଦି ସରିବ ମନ୍ଦିରକୁ ଆସିଯିବ ।
ଆଲୋକନାଥ : ହଁ ଚେଷ୍ଟା କରୁଛି , ତମେ ସ୍କୁଟି ନେଇ ଚାଲିଯାଅ ।
ବିନୋଦିନୀ : ହଉ
କିଛି ଘଣ୍ଟା ପରେ ..
ଫୋନରିଙ୍ଗ୍
ଆଲୋକନାଥ : ହଁ ବିନୋଦିନୀ ପୂଜା ସରିଲାଣି ?
ଅଜଣା ବ୍ୟକ୍ତି : ଆଜ୍ଞା ଏ ନମ୍ବରଟି ଯେଉଁ ମ୍ୟାଡାମଙ୍କର ତାଙ୍କର ଆକ୍ସିଡେଣ୍ଟ୍ ହୋଇଯାଇଛି ସେ Sunshine Hospital ୩୪ ନମ୍ବର ୱାର୍ଡରେ ଅଛନ୍ତି । ଆପଣ ଜଲଦି ଆସନ୍ତୁ ।
ଆଲୋକନାଥ : ଆରେ ଆରେ ବିନୋଦିନୀ ।
ଦୌଡ଼ି ଯାଇ ହସ୍ପିଟାଲରେ ପହଁଞ୍ଚିଲା ବେଳେକୁ ..
ଆଲୋକନାଥ : ଆଜ୍ଞା ବିନୋଦିନୀ ମୋ ସ୍ତ୍ରୀ କେଉଁଠି ଅଛି ସେ ?
ଅଜଣା ବ୍ୟକ୍ତି : ଦେଖନ୍ତୁ ଅଧର୍ଯ୍ୟ ହୁଅନ୍ତୁନି ସେ ସ୍କୁଟିରେ ଆସୁଥିଲେ ତାଙ୍କୁ ଟ୍ରକ୍ ପଛପଟୁ ଧକ୍କା ଦେଇଛି ଏବେ ସାଙ୍ଗେ ସାଙ୍ଗେ ଡାକ୍ତର ତାଙ୍କୁ ଆଇସିୟୁକୁ ନେଇଗଲେ ଠିକ୍ ହୋଇଯିବେ ଚିନ୍ତା କରନ୍ତୁ ନାହିଁ ।
ଡାକ୍ତର : ଦେଖନ୍ତୁ ଚିନ୍ତା କରନ୍ତୁ ନାହିଁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ।
୨ ଦିନ ପରେ ବିନୋଦିନୀଙ୍କ ହୋସ୍ ଆସିଲା ।
ଆଲୋକନାଥ : ଧନୀବୋଉ ଦେହ କେମିତି ଲାଗୁଛି ? ସବୁ ଭୁଲ୍ ମୋର ତୁମକୁ ମୁଁ ସେଦିନ ନେଇ ଯାଇଥିଲେ ଆଜି ଏ ଦଶା ଦେଖିବାକୁ ମିଳିନଥାନ୍ତା ।
ବିନୋଦିନୀ : ହେଇ ଶୁଣ ଏମିତି କୁହନି ଭାଗ୍ୟରେ ଯାହା ଲେଖାଥିବ ସେଇୟା ହେବ । ହେଲେ ମୋର ଗୋଟେ ଇଚ୍ଛା ଅଛି ବହୁତ ଦିନରୁ , ପୂରଣ କରିବ ?
ଆଲୋକନାଥ : କହୁନ ତୁମକୁ କ’ଣ ଦରକାର ? ଯାହା କହିବ କରିବି ।
ବିନୋଦିନୀ : ମତେ ଗୋଟେ ଉଷୁମ ..
ଆଲୋକନାଥ : ଚା’ , କଫି , ପାଣି ,ସୁପ୍ , କ୍ଷୀର କ’ଣ ଦରକାର କୁହ ?
ବିନୋଦିନୀ : ଆରେ ବୋକା ପୁରା କଥାଟା ତ ଶୁଣ ଏମିତି କହି କହି ପୁରା ଜୀବନଟା ଆଶାରେ କଟିଗଲା । ଏବେ ତ କହିବାକୁ ଦିଅ ଯେ ମତେ ଉଷୁମ କ୍ଷୀର ଚା ନୁହଁ ଆଲିଙ୍ଗନଟେ ଦରକାର । ଶୁଣ ମୋ ପାଖରେ ସମୟ କମ୍ , ମତେ ଟିକେ ଯାବୁଡି ଧର ଗେଲ କର । ମୋ ଧନୀଟା ତୁମକୁ ଲାଗିଲା । ତାକୁ ଯତ୍ନରେ ଗଢିବ । ଆସ ମୋ ପାଖକୁ ଟିକେ ଆସ ।
ଆଲୋକନାଥ : ବିନୋଦିନୀ ତୁମେ ମତେ ଛାଡ଼ିକି ଗଲେ ମୁଁ କେମିତି ବଞ୍ଚିବି ? ଏ .. ବିନୋଦିନୀ କାହାକୁ ମୁଁ ଆଉ ଆଲିଙ୍ଗନ କରିବି ..
ଏ କାହାଣୀ କାଳ୍ପନିକ ଥିଲା କିନ୍ତୁ କିଏ ଜାଣେ ଏ ଉଷୁମ ଆଲିଙ୍ଗନ ପାଇବାକୁ କେତେ ଯେ ଲୋକ ଛଟପଟ ହେଉଥିବେ । ଭଲପାଇବା , ପ୍ରେମ ସାଗରର ମୋତି ହୋଇଥିଲେ ବି ଆଲିଙ୍ଗନ ହେଉଛି ସେ ମୋତିକୁ ଘୋଡ଼ାଇ ରଖିଥିବା ଶାମୁକା । ମନର ମଣିଷକୁ ଆଲିଙ୍ଗନ କରିବାକୁ ଭୁଲନ୍ତୁ ନାହିଁ , ପ୍ରିୟଜନଙ୍କୁ ଉଷୁମର ଆଲିଙ୍ଗନ ଦେଇ ପ୍ରେମ ଜାହିର କରନ୍ତୁ । ଶେଷରେ କହିବୁ , ହାପି ହଗ୍ ଡେ ..