କନକ ବ୍ୟୁରୋ : ଜାନୁଆରୀ ୨୦୨୬, ଶନିବାର ଦିନଟି ହଠାତ୍ ଗୁରୁତ୍ୱପୂର୍ଣ୍ଣ ହୋଇଗଲା । ଏହାର କାରଣ ହେଉଛି ଆମେରିକା ପକ୍ଷରୁ ଭେନେଜୁଏଲା ଉପରେ ହୋଇଥିବା ଆକ୍ରମଣ । ଏହି ଘଟଣା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଆମେରିକା ପକ୍ଷରୁ ଭେନେଜୁଏଲା ଉପରେ ହୋଇଥିବା ଆକ୍ରମଣ ଏବଂ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ତାଙ୍କ ପତ୍ନୀଙ୍କ ସହ ଗିରଫ କରାଯିବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ଆମେରିକାର ଏଲିଟ୍ ସ୍ପେଶାଲ ଅପରେସନ୍ସ ୟୁନିଟ୍ 'ଡେଲ୍ଟା ଫୋର୍ସ' ତାଙ୍କୁ ଧରିଛି । ଯଦିଓ ଭେନେଜୁଏଲାର ପ୍ରତିରକ୍ଷା ମନ୍ତ୍ରୀ ଆତ୍ମସମର୍ପଣ ନକରି ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିବାକୁ କହିଛନ୍ତି । ଏଭଳି ପରିସ୍ଥିତିରେ ଦୁଇ ଦେଶ ମଧ୍ୟରେ ବଢୁଥିବା ସାମରିକ ଚାପ ଏବଂ ସମ୍ଭାବ୍ୟ ଯୁଦ୍ଧ ମଧ୍ୟରେ ପ୍ରଶ୍ନ ଉଠୁଛି ଯେ, ଭେନେଜୁଏଲା ସେନାର ଶକ୍ତି କେତେ ? ଯଦି ଯୁଦ୍ଧ ହୁଏ, ତେବେ ଆମେରିକାର ସାମରିକ ଶକ୍ତି ତୁଳନାରେ ଭେନେଜୁଏଲା କେତେ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିବ ? ଏଠାରେ ଉଭୟ ଦେଶର ସେନା ମଧ୍ୟରେ ମାନବ ବଳ, ପ୍ରଯୁକ୍ତିବିଦ୍ୟା, ଏୟାର ପାୱାର, ନୌସେନା ଏବଂ ବଜେଟ୍କୁ ଆଧାର କରି ବିସ୍ତୃତ ତୁଳନା କରାଯାଇଛି ।
ଭେନେଜୁଏଲାର ସଶସ୍ତ୍ର ବାହିନୀକୁ 'ନ୍ୟାସନାଲ ବୋଲିଭାରିଆନ୍ ଆର୍ମଡ୍ ଫୋର୍ସେସ୍' କୁହାଯାଏ । ଏହି ସେନା ମୁଖ୍ୟତଃ ପ୍ରତିରକ୍ଷା ରଣନୀତି ଉପରେ ଆଧାରିତ । ଏହାର ମୁଖ୍ୟ କାମ ହେଉଛି ଦେଶର ସୁରକ୍ଷା ଏବଂ ସରକାରଙ୍କ ସ୍ଥିରତା ରକ୍ଷା କରିବା । ଏଥିରେ ସକ୍ରିୟ ସୈନିକଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ୯ ହଜାର । ରିଜର୍ଭରେ ପ୍ରାୟ ୮୦୦୦ ଫୋର୍ସ ଅଛନ୍ତି । ଯଦି ପାରାମିଲିଟାରୀ ଏବଂ ମିଲିସିଆକୁ ମିଶାଇ ଦିଆଯାଏ, ତେବେ ଏହି ସଂଖ୍ୟା ପ୍ରାୟ ୨ ଲକ୍ଷ ୨୦ ହଜାର ହେବ । ଭେନେଜୁଏଲା ବାୟୁସେନା ପାଖରେ ମୋଟ ବିମାନ ସଂଖ୍ୟା ପ୍ରାୟ ୨୨୯ । ଯୁଦ୍ଧ ବିମାନ ବହୁତ କମ୍ ଏବଂ ସେଗୁଡ଼ିକ ମୁଖ୍ୟତଃ ପୁରୁଣା ରୁଷୀୟ Su-30Mk2 ଭଳି ମଡେଲ । ଆଧୁନିକ ମିସାଇଲ୍/ଗ୍ରାଉଣ୍ଡ ଫୋର୍ସ ସହ ମୁକାବିଲା କରିବା ଏମାନଙ୍କ ପାଇଁ କଷ୍ଟକର ।
ଅଧିକ ପଢ଼ନ୍ତୁ---କୋର୍ଟରେ ହାଜର ହେଲେ ଭେନେଜୁଏଲା ରାଷ୍ଟ୍ରପତି: କଡ଼ା ସୁରକ୍ଷା ବଳୟରେ ନିକୋଲାସ୍ ମାଦୁରୋଙ୍କୁ କୋର୍ଟରେ ହାଜର କଲା ଆମେରିକା
ସ୍ଥଳସେନା ପାଖରେ ପ୍ରାୟ ୮୮୦୦ ବଖତରବନ୍ଦ ଗାଡ଼ି ଏବଂ ଟ୍ୟାଙ୍କ ସଂଖ୍ୟା ପ୍ରାୟ ୧୭୦ରୁ ୨୦୦ ମଧ୍ୟରେ । ଏହି ସରଞ୍ଜାମଗୁଡ଼ିକ ମୁଖ୍ୟତଃ ପୁରୁଣା ଏବଂ ଦୁର୍ବଳ । ନୌସେନା ପାଖରେ କେବଳ ଛୋଟ ନୌକା ଏବଂ ତଟରକ୍ଷୀ ଅଛନ୍ତି, କୌଣସି ବଡ଼ ଯୁଦ୍ଧପୋତ କିମ୍ବା ବିମାନବାହୀ ପୋତ ନାହିଁ । ସମୁଦ୍ରରେ ଏହା ଆମେରିକା ଭଳି ପ୍ରଭାବ ରଖେ ନାହିଁ ।ଯଦି ବଜେଟ କଥା ଦେଖିବା ତେବେ ଭେନେଜୁଏଲାର ପ୍ରତିରକ୍ଷା ବଜେଟ୍ ପ୍ରାୟ ୪ ରୁ ୫ ବିଲିୟନ ଡଲାର । ଏହା ଅତ୍ୟନ୍ତ ସୀମିତ ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆପଣାଇବାରେ ବାଧା ସୃଷ୍ଟି କରିବ ।
ଅନ୍ୟପଟେ ଭେନେଜୁଏଲା ସାମ୍ନାରେ ଆମେରିକା ଛିଡ଼ା ହୋଇଛି । ଆମେରିକା ସେନା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନାର ମାନ୍ୟତା ପାଇଛି । ଆମେରିକା ପ୍ରତ୍ୟେକ କ୍ଷେତ୍ରରେ ଭେନେଜୁଏଲାଠାରୁ ଯଥେଷ୍ଟ ଆଗରେ । ଯଦି ଯୁଦ୍ଧ ହୁଏ, ତେବେ ଭେନେଜୁଏଲା ପାଖରେ କୌଣସି ଶକ୍ତିଶାଳୀ ବିକଳ୍ପ ନାହିଁ । ସମ୍ମୁଖ ଯୁଦ୍ଧରେ ଭେନେଜୁଏଲା ଅଧିକ ସମୟ ତିଷ୍ଠି ପାରିବ ନାହିଁ । ଆତ୍ମସମର୍ପଣ କରିବା ପରିବର୍ତ୍ତେ ଭେନେଜୁଏଲା 'ଗରିଲା ଯୁଦ୍ଧ' ରଣନୀତି ଏବଂ ଆଭ୍ୟନ୍ତରୀଣ ମିଲିସିଆର ବ୍ୟବହାର କରିପାରେ । ତଥାପି, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଆମେରିକା ସାମ୍ନାରେ ଭେନେଜୁଏଲା ଅତି କ୍ଷୁଦ୍ର ପ୍ରତିପକ୍ଷ ସାବ୍ୟସ୍ତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/06/venezuelan-army-2026-01-06-16-23-21.jpg)