କନକ ବ୍ୟୁରୋ : ସହରରେ ଦିନକୁ ଦିନ ଗଢ଼ି ଉଠୁଛି ସୁଉଚ୍ଚ କୋଠା। ୫ରୁ ୧୦ ମହଲା ପର୍ଯ୍ୟନ୍ତ ଘରରେ ଚାଲିଛି ହୋଟେଲ, ସୁପରମାର୍ଟ ଓ ବିଭିନ୍ନ ବ୍ୟବସାୟ। କିନ୍ତୁ ଅଗ୍ନି ସୁରକ୍ଷା ପ୍ରସଙ୍ଗରେ ବଡ଼ ପ୍ରଶ୍ନ ଚିହ୍ନ ଦେଖାଦେଇଛି । ଲିଙ୍ଗିପୁର ସୁପରମାର୍ଟ ଅଗ୍ନିକାଣ୍ଡ ଘଟଣା ଏହାର ଜ୍ୱଳନ୍ତ ଉଦାହରଣ। କେବଳ ଦୁଇଟି ମହଲାରେ ନିଆଁ ଲାଗିଥିଲା, କିନ୍ତୁ ତାହାକୁ ପୂରାପୂରି ନିୟନ୍ତ୍ରଣ କରିବାକୁ ଅଗ୍ନିଶମ ବିଭାଗକୁ ୨୪ ଘଣ୍ଟାରୁ ଅଧିକ ସମୟ ଲାଗିଗଲା । ଯାହା ଅଗ୍ନି ସୁରକ୍ଷା ବ୍ୟବସ୍ଥାର ଅସଲ ଚିତ୍ରକୁ ପଦାରେ ପକାଇଛି । 

Advertisment

ସାଧାରଣତଃ ଉଚ୍ଚ କୋଠା ନିର୍ମାଣ ପୂର୍ବରୁ ବିଡିଏ, ବିଏମ୍‌ସି ଓ ଅଗ୍ନିଶମ ବିଭାଗର ଅନୁମତି ନିଆଯାଏ। ନକ୍ସା ଅନୁଯାୟୀ ଅଗ୍ନି ନିର୍ବାପକ ବ୍ୟବସ୍ଥା, ଏମର୍ଜେନ୍ସି ଏକ୍ସିଟ୍, ଫାୟାର ଆଲାର୍ମ, ଜଳ ସଞ୍ଚୟ ଟ୍ୟାଙ୍କ୍‌ ଓ ସ୍ପ୍ରିଙ୍କଲର ବ୍ୟବସ୍ଥା ଥିବା ଆବଶ୍ୟକ। କିନ୍ତୁ ପ୍ରଶ୍ନ ହେଉଛି, ଏ ସବୁ ବ୍ୟବସ୍ଥା ବାସ୍ତବରେ କାମ କରୁଛି ତ? ନିୟମିତ ତଦାରଖ ହେଉଛି କି? କେବଳ ଏନ୍‌ଓସି ଦେଇ ଦାୟିତ୍ୱ ସମାପ୍ତ କରିଦେଉନି ତ ବିଭାଗ? ଅର୍ବାନ ପ୍ଲାନରଙ୍କ କହିବା କଥା, ଅଗ୍ନିଶମ ସେବା ବିଭାଗ, ବିଡିଏ, ବିଏମ୍‌ସି ଓ ଅର୍ବାନ ପ୍ଲାନରମାନଙ୍କ ମଧ୍ୟରେ ସମନ୍ୱୟ ରହିବା ଦରକାର। ଏନ୍‌ଓସି ଦେବା ପୂର୍ବରୁ ଏବଂ ପରେ ନିୟମିତ ଯାଞ୍ଚ ଏବଂ ବ୍ୟବସ୍ଥା କଡ଼ା ହେବା ଆବଶ୍ୟକ । 

ଅଧିକ ପଢ଼ନ୍ତୁ---ବାଲି ମାଫିଆଙ୍କ ନୂଆ ଉପାୟ; ଅନ୍ୟ ଜିଲ୍ଲା ଟ୍ରାଞ୍ଜିଟ୍‌ ପରମିଟ୍‌ରେ ବାଲି ଚୋରାଚାଲାଣ

ଏପଟେ ଅଗ୍ନିଶମ ଡିଜି କହିଛନ୍ତି, ପୂର୍ବରୁ ଅନେକ ପୁରୁଣା ବିଲ୍‌ଡିଂ ରହିଛି, ଯେତେବେଳେ ଅଗ୍ନିଶମ ବାହିନୀର ଅନୁମତି ବିନା ସେଗୁଡ଼ିକ ନିର୍ମାଣ କରାଯାଇଥିଲା । ସେସବୁ ବିଲ୍‌ଡିଂରେ କିଭଳି ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇ ପାରିବ ସେ ନେଇ ସଚେତନ କରାଯାଉଛି। ଆଗକୁ କୌଣସି ଅଘଟଣ ଘଟିଲେ ମୁକାବିଲା ଲାଗି ସମସ୍ତ ପ୍ରକାରର ସଂରଜାମ ରହିଛି ଏବଂ ଅଗ୍ନିଯୋଦ୍ଧାମାନେ ମଧ୍ୟ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ଅଗ୍ନିଶମ ଡିଜି କହିଛନ୍ତି । ସହର ଉଚ୍ଚତାରେ ବଢ଼ୁଛି, କିନ୍ତୁ ସୁରକ୍ଷା ବ୍ୟବସ୍ଥା ସେହି ଗତିରେ ବଢ଼ୁଛି ତ? ଏହା ବର୍ତ୍ତମାନର ବଡ଼ ପ୍ରଶ୍ନ। ନହେଲେ ଆଗାମୀ ଦିନରେ ଏଭଳି ଅଗ୍ନିକାଣ୍ଡ ଆହୁରି ଭୟଙ୍କର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି ।