କନକ ବ୍ୟୁରୋ: ଉଭୟ ଆମେରିକା ଓ ଇସ୍ରାଏଲ୍ ପାଇଁ ଚଳିତ ଦଶନ୍ଧିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମିଳିତ ସାମିରକ ଅଭିଯାନ । ଇରାନ୍‌ର ସର୍ବୋଚ୍ଚ ନେତା ଖାମେନେଇଙ୍କୁ ଟାର୍ଗେଟ କରିବା ଏତେ ସହଜ ନଥିଲା, ଯେତିକି ବାହାରୁ ଜଣାପଡ଼ୁଛି । ଏହା ପଛରେ ରହିଛି ବର୍ଷ ବର୍ଷର ଯୋଜନା, ନିରନ୍ତର ନିର୍ଭୁଲ୍ ଗୁଇନ୍ଦା ତଥ୍ୟ । ଆଉ ତା ସହ ଆକାଶମାର୍ଗରୁ ନିଖୁଣ ଆକ୍ରମଣ । ନଜର ପକାନ୍ତୁ କେମିତି ହେଲା ଖାମେନେଇଙ୍କ ମୃତ୍ୟୁ, ଯାହାକି କୌଣସି ହଲିଉଡ୍ ସିନେମାର କାହାଣୀଠୁ କମ୍ ନୁହେଁ ।  

Advertisment

ଏହା ବି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଚାରିଆଡ଼େ ଯୁଦ୍ଧ ବିଭୀଷିକା

ଆମେରିକାର ଅପରେସନ୍ 'ଏପିକ୍ ଫ୍ୟୁରି'... ଇସ୍ରାଏଲର ଅପରେସନ୍ 'ଲାୟନ୍‌ସ ରୋର୍'... ଦୁଇଟି ଦେଶ, ଦୁଇଟି ସେନା, ଦୁଇଟି ଶକ୍ତି... ହେଲେ ଲକ୍ଷ୍ୟ ଗୋଟିଏ । ଇରାନ୍‌ର ସର୍ବେସର୍ବା ଆୟାତୁଲ୍ଲା ଅଲୀ ଖାମେନେଇ । ଖାମେନେଇଙ୍କ ଗତିବିଧି ଉପରେ ହଜାର ହଜାର ଘଣ୍ଟା ଧରି ତୀକ୍ଷ୍ଣ ନଜର ରଖିଥିଲେ ଆମେରିକୀୟ ଗୁଇନ୍ଦା ସଂସ୍ଥା- CIA ଏବଂ ଇସ୍ରାଏଲର ମୋସାଦ୍‌... ଯାହାର ନାଁ ଶୁଣିଲେ ଶତ୍ରୁର ନିଦ ହଜିଯାଏ । ଉଭୟ ସଂସ୍ଥାକୁ ପକ୍କା ସୂଚନା ମିଳିଲା, ଫେବ୍ରୁଆରି ୨୮ରେ ନିଜ ଆବାସିକ କାର୍ଯ୍ୟାଳୟରେ ଜରୁରୀ ବୈଠକ କରୁଛନ୍ତି ଖାମେନେଇ । ଏଭଳି ସୁଯୋଗ କୌଣସି ମତେ ହାତ ଛଡ଼ା କରିବାକୁ ଚାହୁଁନଥିଲେ ଟ୍ରମ୍ପ ଓ ନେତାନ୍ୟାହୁ । କାରଣ ଦ୍ୱିତୀୟ ଥର ମିଳିନପାରେ ମଉକା । ତେଣୁ ପ୍ରସ୍ତୁତ ହେଲା ଇସ୍ରାଏଲର ଏଫ୍‌-35 ଓ ଏଫ୍-15 ଲଢ଼ୁଆ ବିମାନ । ସେଥିରେ ଖଞ୍ଜାଥିଲା ବଙ୍କର୍ ଭେଦୀ ଶକ୍ତିଶାଳୀ ତଥା ଅତ୍ୟାଧୁନିକ କ୍ଷେପଣାସ୍ତ୍ର । ପୂର୍ବରୁ ଦୁଇ ଦୁଇ ଥର ରାତିରେ ଆକ୍ରମଣ ଉଦ୍ୟମ କରି ବିଫଳ ହୋଇଥିଲା ଇସ୍ରାଏଲ୍ । ତେଣୁ ଏଥର ଅନ୍ଧାରରେ ନୁହେଁ, ସ୍ପଷ୍ଟ ଦିବାଲୋକରେ ହେବାର ଥିଲା ଭୟଙ୍କର ଏୟାରଷ୍ଟ୍ରାଇକ୍ ।...

ଇରାନ ରାଜଧାନୀ ତେହରାନରେ ଖାମେନେଇଙ୍କ କାର୍ଯ୍ୟାଳୟର ଗୁପ୍ତ କୋଠରୀରେ ଚାଲିଥିଲା ଉଚ୍ଚସ୍ତରୀୟ ବୈଠକ । ଖାମନେଇଙ୍କ ସହ ଥିଲେ ୨ ବିଶ୍ୱସ୍ତ ଅଧିକାରୀ- ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କୋର୍ ମୁଖ୍ୟ ମେଜର୍ ଜେନେରାଲ୍ ମହମ୍ମଦ ପାକପୋର୍‌ ଏବଂ ଖାମେନେଇଙ୍କ ବରିଷ୍ଠ ପରାମର୍ଶଦାତା ଅଲି ଶମଖାନୀ । ଠିକ୍ ସେହି ସମୟରେ ଆକାଶମାର୍ଗରୁ ଧାଏଁ ଧାଏଁ ୩୦ଟି ବୋମା ମାଡ଼ କରିଥିଲା ଇସ୍ରାଏଲୀ ଲଢ଼ୁଆ ବିମାନ । ଭୟଙ୍କର ବିସ୍ଫୋରଣ... ଭୀଷଣ ଧ୍ୱଂସଲୀଳା । ଫେଲ୍ ମାରିଥିଲା ଇରାନର ବାୟୁରକ୍ଷା ପ୍ରଣାଳୀ । ଆଉ ଇଏ ବିସ୍ଫୋରଣ ପରର ସାଟେଲାଇଟ ଫଟୋ । ସବୁକିଛି ଛାରଖାର, ଧ୍ୱସ୍ତବିଧ୍ୱସ୍ତ । ଏହି ଧ୍ୱଂସାବଶେଷରୁ ମିଳିଥିଲା ୮୬ ବର୍ଷୀୟ ଖାମେନେଇଙ୍କ ମୃତଦେହ । ଯାହାର ଫଟୋ ପ୍ରଥମେ ପଠାଯାଇଥିଲା ଟ୍ରମ୍ପ ଓ ନେତାନ୍ୟାହୁଙ୍କ ପାଖକୁ । ଏହି ଆକ୍ରମଣରେ ପାକପୋର ଓ ଶମଖାନୀଙ୍କ ସହ ଖାମେନେଇଙ୍କ ଝିଅ, ଜ୍ୱାଇଁ, ନାତି ଓ ବୋହୂ ବି ପ୍ରାଣ ହରାଇଛନ୍ତି । 

କେମିତି ମିଳିଲା ଖାମେନେଇଙ୍କ ଠିକଣା? ବଡ଼ ଖେଳ ଖେଳିଥିଲା 'ମୋସାଦ୍' । ସୂଚନା ଅନୁସାରେ, ଇରାନର ସିକ୍ରେଟ ସର୍ଭିସ୍ ଇରାନ ଭିତରେ ମୋସାଦ ଏଜେଣ୍ଟଙ୍କୁ ଧରିବା ପାଇଁ ଏକ ୟୁନିଟ୍ ଗଢ଼ିଥିଲା । କିନ୍ତୁ କୁହାଯାଉଛି, ଏହି ୟୁନିଟର ମୁଖ୍ୟ ହିଁ ଥିଲେ ଜଣେ ମୋସାଦ୍‌ ଗୁପ୍ତଚର । ତାଙ୍କ ସହ ଅନ୍ୟ ୨୦ ମୋସାଦ୍ ଏଜେଣ୍ଟ ବି ସେହି ୟୁନିଟରେ ଲୁଚି ରହିଥିଲେ । ଏଥିସହ ଖାମନେଇଙ୍କ କେହି ପାଖ ଲୋକ ବିଶ୍ୱାସଘାତକତା କରିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।