ସ୍କୁଲରେ କେମିତି ଚାଲିଛି ପାଠପଢ଼ା: କଣ କରୁଛି ପିଲା, ସମସ୍ତ ଗତିବିଧି ଉପରେ ନଜର ରଖିବ ଏଆଇ

Advertisment

ଖୁବଶୀଘ୍ର କାର୍ଯ୍ୟକାରୀ କରିବ ଗଣଶିକ୍ଷା ବିଭାଗ । ୫ହଜାରରୁ ଅଧିକ ବିଦ୍ୟାଳୟରେ ହେବ ବ୍ୟବସ୍ଥା । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଉପରେ ଦିଆଯିବ ପ୍ରାଧାନ୍ୟ ।

ଖୁବଶୀଘ୍ର କାର୍ଯ୍ୟକାରୀ କରିବ ଗଣଶିକ୍ଷା ବିଭାଗ । ୫ହଜାରରୁ ଅଧିକ ବିଦ୍ୟାଳୟରେ ହେବ ବ୍ୟବସ୍ଥା । ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଉପରେ ଦିଆଯିବ ପ୍ରାଧାନ୍ୟ ।

AI School

AI School Photograph: (KanakNews)

 କନକ ବ୍ୟୁରୋ;  ଆପଣଙ୍କ ପିଲା ସ୍କୁଲରେ କ’ଣ କରୁଛି । ପାଠ ପଢ଼ୁଛି ନା ନାହିଁ? କେଉଁ ଶିକ୍ଷକ କେତେ ସମୟ ପାଠ ପଢ଼ାଉଛନ୍ତି? କିଏ ଅନୁପସ୍ଥିତ ରହୁଛନ୍ତି? ସବୁ ସ୍କୁଲର ଗତିବିଧି ଉପରେ ନଜର ରଖିବ ଏଆଇ । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛି ଗଣଶିକ୍ଷା ବିଭାଗ । ସ୍କୁଲରେ କେମିତି ହେଉଛି ପାଠପଢ଼ା? ଶ୍ରେଣୀଗୃହରେ ଶିକ୍ଷକ କ’ଣ ପଢ଼ାଉଛନ୍ତି ? ଛାତ୍ରଛାତ୍ରୀ ଓ ଶିକ୍ଷକ ଉପସ୍ଥିତ ରହୁଛନ୍ତି କି ନାହିଁ? ଏସବୁ ଉପରେ ତୀକ୍ଷ୍ମ ନଜର ରଖିବ ଏଆଇ । ମୟୂରଭଞ୍ଜରୁ ମାଲକାନଗିରି, ବାଲେଶ୍ବରରୁ ବଲାଙ୍ଗୀର । ସବୁ ସ୍କୁଲ ଉପରେ ମନିଟରିଂ କରିବ ହେଡ୍ କ୍ବାର୍ଟର୍ସ । ଶିକ୍ଷା ବ୍ୟବସ୍ଥାରେ ଆହୁରି ସଂସ୍କାର ଆଣିବାକୁ ବ୍ୟବହାର ହେବ କୃତ୍ରିମ ବୃଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏଥିପାଇଁ ୫ହଜାରରୁ ଅଧିକ ସ୍କୁଲରେ ଏଆଇ ଦ୍ବାରା ପରିଚାଳିତ ଭର୍ଚୁଆଲ କ୍ଲାସ ରୁମ୍ ଓ ଡିଜିଟାଲ ମୂଲ୍ୟାୟନ ବ୍ୟବସ୍ଥା କରାଯିବ। ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣ ବା ଓସେପା ତରଫରୁ ୫,୩୭୦ଟି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଏହାର ବ୍ୟବସ୍ଥା କରାଯିବ । ପ୍ରଥମରୁ ଦ୍ବାଦଶ ପର୍ଯ୍ୟନ୍ତ ଶ୍ରେଣୀ ଉପରେ ଦିଆଯିବ ପ୍ରାଧାନ୍ୟ। ଡିଜିଟାଲ୍ ବିଷୟବସ୍ତୁ ଏବଂ ଏଆଇ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଛାତ୍ରଛାତ୍ରୀଙ୍କୁ ଅଧିକ ଦକ୍ଷ କରାଇବା ହେଉଛି ଏହାର ପ୍ରାଥମିକ ଉଦ୍ଦେଶ୍ୟ ।  ବେଳେବେଳେ ସ୍କୁଲରେ ଅସଙ୍ଗତିର ଚିତ୍ର ଆସେ । କେଉଁଠି ପିଲା ଅଧାରୁ ପାଠ ଛାଡ଼ୁଛନ୍ତି, ଆଉ କେଉଁଠି ପିଲା ପାଠ ପଢ଼ିବାକୁ ସ୍କୁଲ ଯାଉନାହାନ୍ତି ।

ଅଧିକ ପଢନ୍ତୁ: AI ରେ ଅଶ୍ଳୀଳତା ପାଇଁ 'ଏକ୍ସ'କୁ ଛାଟ; ଗ୍ରକ୍‌ ବ୍ୟବହାର କରି ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ତିଆରି ଅଭିଯୋଗ

ତେଣୁ ଏହି ଡିଜିଟାଲାଇଜ୍ ବ୍ୟବସ୍ଥା କରି ସ୍କୁଲରେ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ପ୍ରୟାସ କରାଯାଉଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଇଣ୍ଟରନେଟ୍‌ ସଂଯୋଗ ନଥିବାରୁ ସ୍ମାର୍ଟ କ୍ଲାସ ବାସ୍ତବତାର ରୂପ ନେଇପାରୁନି । ତେଣୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଯେଉଁ ବ୍ୟବସ୍ଥା କରାଯାଉଛି, ତାହା କେମିତି ଗ୍ରାଉଣ୍ଡରେ କାର୍ଯ୍ୟକାରୀ ହେବ, ତାହା ବଡ଼ ପ୍ରଶ୍ନ। ହେଲେ କୁହାଯାଉଛି, ପ୍ରାୟ ୫୦ ପ୍ରତିଶତ ସ୍କୁଲକୁ ଭାରତନେଟ୍ କିମ୍ବା ଫାଇବର-ନେଟ୍ ସଂଯୋଗ ପ୍ରଦାନ କରାଯିବ। ଯାହା ଦ୍ବାରା ଏହି ବ୍ୟବସ୍ଥାଟି ସୁରୁଖୁରୁରେ କାର୍ଯ୍ୟକାରୀ କରିପାରିବ । ପୂର୍ବ ସରକାର ସମୟରେ ସ୍ମାର୍ଟ କ୍ଲାସ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ହେଲେ ଅନେକ ଜାଗାରେ ଅଧପନ୍ତରିଆ ହୋଇ ପଡ଼ିଛି । କେଉଁଠି କମ୍ପ୍ୟୁଟର ନାହିଁ। ଆଉ କେଉଁଠି ଶିକ୍ଷକ ନାହାନ୍ତି। ଜରାଜୀର୍ଣ୍ଣ ହୋଇପଡ଼ିଛି ସ୍ମାର୍ଟ କ୍ଲାସ ରୁମ୍ । ତେଣୁ ପ୍ରାଥମିକ ଶିକ୍ଷାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ହାତକୁ ନେଇଛନ୍ତି ସରକାର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe