କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଫୁଲବାଣୀ-ଗୋଛାପଡ଼ା ରାସ୍ତାର ଡାକପାଜୁ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । କାର୍ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଛି । ଏହି ଅଭାବନୀୟ ଘଟଣାରେ ଅଟୋ ଚାଳକଙ୍କର ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି ।
ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଏକ କାର୍ ଏବଂ ଅଟୋ ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ସଙ୍ଗେ ସଙ୍ଗେ ଗାଡ଼ିରୁ ତେଲ ଲିକ୍ ହୋଇ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା । ଅଟୋ ଚାଳକ ଜଣକ ଗାଡ଼ି ଭିତରୁ ବାହାରି ନପାରି ନିଆଁରେ ଜଳିଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

Advertisment

 ଅଧିକ ପଢନ୍ତୁ: ଦୁଇ ଦିନ ପରେ କଡ଼ ଲେଉଟାଇଲା ବିଜେଡି

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଅନ୍ୟମାନଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣାରେ ଗୁରୁତର ହୋଇଥିବା ୨ ଜଣ ବ୍ୟକ୍ତିଙ୍କୁ ତୁରନ୍ତ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।

ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।