କନକ ବ୍ୟୁରୋ: ଭାରତ ଓ ନ୍ୟୁଜିଲାଣ୍ଡ ସିରିଜରେ ଭାରତ ପରାଜିତ ହୋଇଥିଲେ ବି ବିରାଟ କୋହଲିଙ୍କ ଚମତ୍କାର ଫର୍ମ ପ୍ରସଂଶକମାନଙ୍କ ମନରେ ଆଶା ସଂଚାର କରିଛି । ଏହି ଶୃଙ୍ଖଳାରେ କୋହଲି ଗୋଟିଏ ଶତକ ସହ ମୋଟ ୨୪୦ ରନ କରିଥିଲେ । ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏହି ଶୃଙ୍ଖ​ଳାରେ ଭଲ ପ୍ରଦର୍ଶନ କରିନଥିଲେ ବି ତାଙ୍କ ଫର୍ମ ଫେରିବାକୁ କ୍ରିକେଟପ୍ରେମୀ ଅପେକ୍ଷା କରିଛନ୍ତି । ତେବେ ପୁଣି କେବେ କିଙ୍ଗ୍ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟାଟିଂ ଦେଖିବାକୁ ମିଳିବ?
ଏହା ବି ପଢ଼ନ୍ତୁ: ପରାଜୟ ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ
ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବ୍ୟାଟିଂ ଦେଖିବାକୁ ପ୍ରସଂଶକମାନଙ୍କୁ ଆହୁରି ୪ ମାସ ଅପେକ୍ଷା କରିବାକୁ ପଡ଼ିବ । କାରଣ ଉଭୟ ମହାନ ବ୍ୟାଟ୍ସମ୍ୟାନ ଆଉ ଟି-୨୦ ଖେଳୁନାହାନ୍ତି । ଭାରତର ପରବର୍ତ୍ତି ଦିନିକିଆ ସିରିଜ ଜୁଲାଇ ମାସରେ ଖେଳାଯିବ । ଜୁଲାଇରେ ଭାରତୀୟ ଦଳ ଇଂଲାଣ୍ଡ ଗସ୍ତରେ ଯାଇ ୫ଟି ଟ୍ବେଣ୍ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ପ୍ରଥମ ଦିନିକିଆ ଜୁଲାଇ ୧୪ରେ ବର୍ମିହାମରେ ଖେଳାଯିବ । ଦ୍ବିତୀୟ ଓ ତୃତୀୟ ଦିନିକିଆ ୧୬ ଓ ୧୯ ଯଥାକ୍ରମେ କାର୍ଡିଫ୍ ଓ ଲର୍ଡସରେ ଖେଳାଯିବ । ଏଣୁ ଏହି ଗସ୍ତ ପାଇଁ ଯଦି ରୋହିତ ଓ ବିରାଟଙ୍କୁ ଭାରତୀୟ ଦଳରେ ସାମିଲ କରାଯାଏ, ତେବେ ତାଙ୍କର ବ୍ୟାଟିଂ ଦେଖିବାକୁ ମିଳିବ । ତେବେ ବିରାଟ ଓ ରୋହିତଙ୍କ ପ୍ରସଂଶକମାନେ ଆସନ୍ତା ଆଇପିଏଲରେ ଉଭୟଙ୍କ ବ୍ୟାଟିଂ ଦେଖିପାରିବେ ।
Follow Us