କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତର ପରାଜୟ ପରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ପ୍ରଶ୍ନ ଉଠିଛି । ତାଙ୍କ ସୋସିଆଲ ମିଡିଆରେ କଠୋର ଭାଷାରେ ଟ୍ରୋଲ୍ କରାଯାଉଛି । ଏପରିକି ସେ ସବୁଠାରୁ ଖରାପ ପ୍ରଶିକ୍ଷକ ବୋଲି ପ୍ରସଂଶକମାନେ କହୁଛନ୍ତି ।
୨୦୨୪ ଜୁଲାଇ ମାସରେ ବିସିସିଆଇ ପକ୍ଷରୁ ଯେତେବେଳେ ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆ ମୁଖ୍ୟ ପ୍ରଶିକ୍ଷକ କରାଗଲା ସେତେବେଳେ ଆଶା କରାଯାଉଥିଲା ଯେ ନିଜର ଆକ୍ରାମକ ଆଭିମୁଖ୍ୟ ସହ ଗୌତମ ଭାରତୀୟ ଦଳକୁ ଏକ ନୂଆ ଉଚ୍ଚତାକୁ ନେଇଯିବେ । କିନ୍ତୁ ଏବେ, ପ୍ରାୟ ଦେଢ ବର୍ଷ ପରେ ଲାଗୁଛି ଯେ ଭାରତୀୟ ଦଳ ଉପରକୁ ଉଠିବ କ''ଣ, ଓଲଟି ତଳକୁ ଖସିଚାଲିଛି । ଗୌତମଙ୍କ ଅଧନସ୍ଥ ଭାରତୀୟ ଦଳ ଏହି ଦେଢ ବର୍ଷ ମଧ୍ୟରେ ଏପରି କେତେକ ରେକର୍ଡ କରିଛି, ଯାହାକୁ ଭାରତୀୟ ଦଳର ପ୍ରସଂଶକମାନେ ଭୁଲିଯିବାକୁ ଚାହିବେ ।
ଏହା ବି ପଢ଼ନ୍ତୁ: ଲଗାତାର ଖରାପ ଫର୍ମ ପରେ ବଢିଲା ରବୀନ୍ଦ୍ର ଜାଡେଜାଙ୍କ ଅବସର ଚର୍ଚ୍ଚା
ନୈରାଶ୍ୟଜନକ ରେକର୍ଡ
ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ୨୦ଟି ଦିନିକିଆ ଖେଳି ୧୨ଟିରେ ବିଜୟ ଓ ୭ଟିରେ ପରାଜୟ ବରଣ କରିଛି ଓ ଗୋଟିଏ ମ୍ୟାଚ ଟାଇ ହୋଇଛି । ଅର୍ଥାତ ସଫଳତା ହାର ୬୦ ପ୍ରତିଶତ । ସେହିପରି ଟେଷ୍ଟର ସ୍ଥିତି ଆହୁରି ଖରାପ ରହିଛି । ଏହି ଫର୍ମାଟରେ ଭାରତ ୧୯ଟି ମ୍ୟାଚ ଖେଳି ୭ଟିରେ ବିଜୟ ହାସଲ କରିଥିବାବେଳେ ୧୦ଟିରେ ପରାଜୟ ବରଣ କରିଛି ଓ ୨ଟି ଡ୍ର ହୋଇଛି । ଅର୍ଥାତ୍ ସଫଳତା ହାର ମାତ୍ର ୩୬.୮୪ ପ୍ରତିଶତ ରହିଛି ।
ଏବେ ଆଉ କିଛି ଲଜ୍ଜାଜନକ ରେକର୍ଡ ଉପରେ ନଜର ପକାଯାଉ । ଗୌତମଙ୍କ ସମୟରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାକୁ ୩-୧ରେ ହାରିଯାଇଥିଲା । ନ୍ୟୁଜିଲାଣ୍ଡ ଭାରତ ମାଟିରେ ତିନିଟିକିଆ ଟେଷ୍ଟ ଶୃଙ୍ଖଳାକୁ ୩-୦ରେ ଜିତି କ୍ଲିନସ୍ବିପ କରିଥିଲା । ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଭାରତ ମାଟିରେ ଏହି ସଫଳତା ହାସଲ କରିଥିଲା । ୨୦୨୫ରେ ଭାରତ ଘରୋଇ ମାସରେ ଦକ୍ଷିଣ ଆଫ୍ରିକାଠାରୁ ଟେଷ୍ଟ ଶୃଙ୍ଖଳା ହାରିଥିଲା, ଯାହାକି ଗତ ୨ ଦଶନ୍ଧି ମଧ୍ୟରେ ପ୍ରଥମ ଥିଲା । ସେହିପରି ବିଗତ ୨୮ ବର୍ଷରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ଦଳ ଭାରତରେ ଏକ ଦିନିକିଆ ଶୃଙ୍ଖଳାକୁ କ୍ଲିନସ୍ବିପ୍ କରିଥିଲା । ଏବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ଶୃଙ୍ଖଳା ପରାଜୟ ଗୌତମଙ୍କ ରେକର୍ଡକୁ ଆହୁରି ଖରାପ କରିଦେଇଛି ।
ଖେଳାଳି ଚୟନକୁ ନେଇ ପ୍ରଶ୍ନ
ଅନ୍ୟପକ୍ଷରେ କେବଳ ପଡ଼ିଆ ଭିତରେ ନୁହେଁ ପଡ଼ିଆ ବାହାରେ ବି ଚର୍ଚ୍ଚାରେ ରହିଛନ୍ତି ଗୌତମ । ଭାରତୀୟ ଦଳର ବରିଷ୍ଠ ସଦସ୍ୟମାନଙ୍କ ସହ ତାଙ୍କର ସଂପର୍କକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଛି । ସେହିପରି ଦଳ ଚୟନକୁ ନେଇ ତାଙ୍କର କେତେକ ନିଷ୍ପତ୍ତି ବିବାଦରେ ରହିଆସିଛି । ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ବୋଲର ଅର୍ଶଦୀପ ସିଂ, ଅଲରାଉଣ୍ଡର ଅକ୍ଷର ପଟେଲକୁ ବିଶ୍ରାମ ଦିଆଯିବାକୁ ନେଇ, ଆହତ ଓ୍ବାସିଂଟନ ସୁନ୍ଦରଙ୍କ ସ୍ଥାନରେ ଆୟୁଷ ବଦୋନିଙ୍କ ସାମିଲକୁ କିଛି ପୂର୍ବତନ ଖେଳାଳି ପ୍ରଶ୍ନ ଉଠାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/01/19/gauti-2026-01-19-15-01-36.jpg)