କନକ ବ୍ୟୁରୋ :ଉତ୍ତର ଓଡ଼ିଶାର ପ୍ରମୁଖ ଜିଲ୍ଲା ମୟୂରଭଞ୍ଜ । ଜିଲ୍ଲାକୁ ବିଶ୍ବସ୍ତରୀୟ କରିବା ପାଇଁ ନିକଟରେ ସରକାର ମାଳମାଳ ଯୋଜନା ଘୋଷଣା କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ହୋଇଥିବାରୁ ଏହାକୁ ବିଶ୍ବ ବିଦିତ କରିବାକୁ ସବୁ ପ୍ରକାରର ଉଦ୍ୟମ ଜାରି ରଖିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । କିନ୍ତୁ ମୟୂରଭଞ୍ଜ ଡାକ୍ତରଖାନାରେ ରୋଗୀଙ୍କୁ ମିଳୁନି ସର୍ବନିମ୍ନ ଚିକିତ୍ସା ସୁବିଧା । ମୟୂରଭଞ୍ଜରେ ନାହିଁ ପ୍ଲାଷ୍ଟିକ୍ ସର୍ଜରି ବିଭାଗ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଆଜିଯାଏଁ ହୋଇପାରିନି ପ୍ଲାଷ୍ଟିକ୍ ସର୍ଜରି ବିଭାଗ । କାହାର ହାତ ପୋଡ଼ିଗଲେ କି କାହାର ପ୍ଲାଷ୍ଟିକ୍‌ ସର୍ଜରି ଆବଶ୍ୟକ ପଡ଼ିଲେ ପାଖାପାଖି ୩୦୦ କିଲୋମିଟର ଦୂର କଟକ ବଡ଼ ମେଡିକାଲକୁ ଆଣିବାକୁ ପଡ଼େ । 

Advertisment

ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେଉ କି ପିଆରଏମ ମେଡିକାଲ କଲେଜ, ଏହା ଉପରେ କେବଳ ମୟୂରଭଞ୍ଜ ନୁହେଁ ଆଖପାଖ ଅଞ୍ଚଳ ତଥା ପଡ଼େଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଅନେକ ରୋଗୀ ବି ନିର୍ଭର କରିଥାନ୍ତି । ବିଶେଷ କରି ସଡ଼କ ଦୁର୍ଘଟଣାରେ ଖଣ୍ଡିଆ ଖାବରା ହେଉଥିବା ରୋଗୀଙ୍କ ପାଇଁ ପ୍ଲାଷ୍ଟିକ ସର୍ଜରିର ଆବଶ୍ୟକତା ରହିଥାଏ । ସେହିପରି ଗ୍ରହଣ ଖଣ୍ଡିଆରେ ଶିକାର ହୋଇଥିବା ଛୋଟ ଛୋଟ ପିଲା ଏବଂ ହାତ ଗୋଡ଼ ବଙ୍କା ରହିଥିବା ପିଲାଙ୍କ ପାଇଁ ବି ଏହି ଚିକିତ୍ସା ଉପାଦେୟ । 

ଅଧିକ ପଢ଼ନ୍ତୁ--ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ବିକଳ ଚିତ୍ର, ୩ ବର୍ଷ ହେବ ଲାଗି ରହିଛି ଡାକ୍ତର ଅଭାବ ସମସ୍ୟା, ରୋଗୀଙ୍କୁ କରାଯାଉଛି ବୁର୍ଲା ରେଫର

ଏହା ସହିତ ନିଆଁ ତଥା ଅଗ୍ନିକାଣ୍ଡରେ ଶିକାର ହୋଇଥିବା ଲୋକଙ୍କ ପାଇଁ ମଧ୍ୟ ପ୍ଲାଷ୍ଟିକ୍‌ ସର୍ଜରିର ଆବଶ୍ୟକତା ବହୁ ଅଧିକ । କିନ୍ତୁ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଏହି ସୁବିଧା ନରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ପିଆରଏମ ମେଡିକାଲ କଲେଜରେ ଖୁବ୍ ଶୀଘ୍ର ପ୍ଲାଷ୍ଟିକ୍ ସର୍ଜରି ବିଭାଗ ଖୋଲିବା ପାଇଁ ଜିଲ୍ଲାବାସୀ ଦାବି କରିଛନ୍ତି । ସେହିପରି ଜିଲ୍ଲାରେ ଏହାର ବିଶେଷ ଆବଶ୍ୟକତା ରହିଥିବା ମଧ୍ୟ କହିଛନ୍ତି ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ ।