କନକ ବ୍ୟୁରୋ : ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏହା ଦାମ୍ପତ୍ୟ ଜୀବନରେ ଥିବା ସମ୍ପର୍କକୁ ଲଜ୍ଜିତ କରିଛି। ଏହାକୁ ଇନ୍ଦୋରର କୁଖ୍ୟାତ ରାଜା ରଘୁବଂଶୀ ହତ୍ୟା ମାମଲା ପରି ଏକ ହନିମୁନ୍ ମର୍ଡର ଭାବରେ କୁହାଯାଉଛି। ଜଣେ ନବବଧୂ, ତାଙ୍କ ପ୍ରେମିକଙ୍କ ସହିତ ମିଶି, ବିବାହର ମାତ୍ର ତିନି ମାସ ପରେ ନିଜ ସ୍ୱାମୀଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଏହାକୁ ଏକ ହିଟ୍-ଏଣ୍ଡ-ରନ୍ ଦୁର୍ଘଟଣା ଭଳି ଦେଖାଇବାକୁ ଚେଷ୍ଟା କରିଥିଲେ।
ଦୁର୍ଘଟଣା ନା ହତ୍ୟା ପୁଲିସ କଲା ସନ୍ଦେହ
ଏହି ଘଟଣା ଜାନୁଆରି ୩୦ ତାରିଖ ରାତି ପ୍ରାୟ ୯ ଟାରେ ଘଟିଥିଲା। ରାୱଲ ପୁଲିସ ଷ୍ଟେସନ ଅଞ୍ଚଳର ଅନୁପଗଡ ରୋଡରେ ରାସ୍ତା କଡରେ ଆଶିଷ ଓ ତାଙ୍କ ପତ୍ନୀ ଅଞ୍ଜୁଙ୍କୁ ଅଚେତ ଅବସ୍ଥାରେ ପୁଲିସ ପାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଥିଲେ। ଅଞ୍ଜୁଙ୍କ ପତ୍ନୀ ପୁଲିସକୁ କହିଥିଲେ ଯେ, ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇ ଥିଲେ। ସେଥିରେ ଥିବା ଲୋକେ ଆମଠାରୁ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଗଙ୍ଗାନଗର ଏସ୍ପି ଅମୃତୁ ଦୁହାନ କହିଛନ୍ତି, ପ୍ରାଥମିକ ତଦନ୍ତ ସମୟରେ ପୁଲିସର ସନ୍ଦେହ ହୋଇଥିଲା। ଘଟଣାସ୍ଥଳର ଯାଞ୍ଚ ଏବଂ ପୁଲିସ ଟିମ୍ ଦ୍ୱାରା ହୋଇଥିବା ତଦନ୍ତରୁ ଜଣାପଡିଥିଲା ଯେ, ଏହା ଏକ ସାଧାରଣ ସଡ଼କ ଦୁର୍ଘଟଣା ନୁହେଁ।
ଅଧିକ ପଢ଼ନ୍ତୁ : ମାଳ ମାଳ କାର୍ , ବିରାଟ ବଡ଼ ଘରର ମାଲିକାଣୀ ହେଲେ ଦାମ୍ପତ୍ୟ ଜୀବନରେ ଖୁସି ନଥିଲେ କରିସ୍ମା : କ’ଣ ଥିଲା କରିସ୍ମାଙ୍କ ବିବାହ ପଛର ସତ ?
ଡାକ୍ତରୀ ରିପୋର୍ଟ ଫୋନ୍ ରେକର୍ଡ ଖୋଲିଲା ରହସ୍ୟ
ପୁଲିସ ଅଞ୍ଜୁଙ୍କର ମନଗଢ଼ା କାହାଣୀରେ ଦୁଇଟି ପ୍ରମୁଖ ତାଳମେଳ ନଥିବା କଥା ଚିହ୍ନଟ କରିଥିଲା। ଆଶିଷଙ୍କ ମୃତ୍ୟୁ ଏକ ସଡ଼କ ଦୁର୍ଘଟଣାରେ ହୋଇଥିବା ରିପୋର୍ଟ କରାଯାଇଥିଲା, କିନ୍ତୁ ଡାକ୍ତରୀ ରିପୋର୍ଟରେ ନିର୍ମମ ମାଡ଼ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗଳାକାଟି ହତ୍ୟାର ଲକ୍ଷଣ ଦେଖାଯାଇଥିଲା। ସ୍ୱାମୀଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣାରେ ହୋଇଥିବା ବେଳେ, ତାଙ୍କ ସହିତ ଥିବା ସ୍ତ୍ରୀ ଅଞ୍ଜୁଙ୍କ ଶରୀରରେ ସାମାନ୍ୟ ଆଘାତ ଲାଗି ଡ଼ଥିଲା।
ଅଞ୍ଜୁଙ୍କ ସହ ସଞ୍ଜୁଙ୍କ ପ୍ରେମ
ଅଞ୍ଜୁଙ୍କ ମୋବାଇଲ୍ ଫୋନ୍ ରେକର୍ଡରୁ ଜଣାପଡ଼ିଥିଲା ଯେ, ସେ ତାଙ୍କ ପୂର୍ବତନ ପ୍ରେମିକ ସଦୁଲଶହରର ବାସିନ୍ଦା ସଞ୍ଜୁଙ୍କ ସହିତ ନିରନ୍ତର ଯୋଗାଯୋଗରେ ଥିଲେ। ପୁଲିସ ତଦନ୍ତରୁ ଜଣାପଡିଥିଲା, ୨୩ ବର୍ଷୀୟା ଅଞ୍ଜୁ ତାଙ୍କ ବୈବାହିକ ଜୀବନରେ ଅସନ୍ତୁଷ୍ଟ ଥିଲେ। ସେ ତାଙ୍କ ପ୍ରେମିକ ସଞ୍ଜୁଙ୍କ ସହ ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ। ଅଞ୍ଜୁ କିଛିଦିନ ତଳେ ସାଦୁଲଶହରରେ ତାଙ୍କ ବାପାମାଆଙ୍କ ଘରକୁ ଯାଇଥିଲେ। ସେଠାରେ ସେ, ସଞ୍ଜୁ ଓ ତାଙ୍କର ଦୁଇ ସହଯୋଗୀ ରକି ଏବଂ ବାଦଲଙ୍କ ସହ ମିଶି ଆଶିଷଙ୍କୁ ହତ୍ୟା ଯୋଜନା ପ୍ରସ୍ତୁତ କରିଥିଲେ। ଅଞ୍ଜୁ ଜାଣିଥିଲେ ଯେ, ଆଶିଷ ରାତ୍ରୀ ଭୋଜନ ପରେ ବୁଲିବାକୁ ଯାଇଛନ୍ତି। ସେ ଜାଣିଶୁଣି ତାଙ୍କୁ ଏକ ନିର୍ଜନ ରାସ୍ତାକୁ ନେଇଯାଇଥିଲେ। ବୁଦା ଭିତରେ ଲୁଚି ରହିଥିବା ସଞ୍ଜୁ ଏବଂ ତାଙ୍କ ସହଯୋଗୀମାନେ ଆଶିଷଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ପ୍ରଥମେ ମାଡ଼ ମାରିଥିଲେ। ପରେ ଗଳାକାଟି ହତ୍ୟା କରିଥିଲା। ଡକାୟତିର ମନଗଢ଼ା କାହାଣୀ ରଚିବା ପାଇଁ, ଅଞ୍ଜୁ ତାଙ୍କର କାନଫୁଲ ଓ ଫୋନ୍ ଅଭିଯୁକ୍ତଙ୍କୁ ଦେଇଥିଲେ।
ଅଧିକ ପଢ଼ନ୍ତୁ : ପରକୀୟା ପ୍ରୀତି, ଦାମ୍ପତ୍ୟ ଝଡ
ଚାରି ଅଭିଯୁକ୍ତ ଗିରଫ
ପୁଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟ ଅଭିଯୁକ୍ତ, ପତ୍ନୀ ଅଞ୍ଜୁ, ତାଙ୍କ ପ୍ରେମିକ ସଞ୍ଜୁ ଏବଂ ସହଯୋଗୀ ରକି ଓରଫ ରୋହିତ ଓ ବାଦଲ ଓରଫ ସିଦ୍ଧାର୍ଥଙ୍କୁ ଗିରଫ କରିଛି। ପଚରାଉଚରା ସମୟରେ ଅଞ୍ଜୁ ବାରମ୍ବାର ତାଙ୍କ ବୟାନ ବଦଳାଇଥିଲେ, କିନ୍ତୁ ବୈଷୟିକ ପ୍ରମାଣ ତାଙ୍କ ବୟାନକୁ ବିଫଳ କରିଥିଲା। ଶେଷରେ ରହସ୍ୟର ପର୍ଦ୍ଦାଫାସ୍ ହୋଇଥିଲା।
Follow Us