homebound Photograph: (kanaknews)
କନକ ବ୍ୟୁରୋ : ଲସ୍ ଆଞ୍ଜେଲସର ଡଲ୍ବି ଥିଏଟରରୁ ଯେତେବେଳେ ୯୮ତମ ଏକାଡେମୀ ଓସ୍କାର ପୁରସ୍କାର ନାମାଙ୍କନ ଘୋଷଣା ହେଲା ସେତେବେଳେ ପ୍ରତିଟି ଭାରତୀୟଙ୍କ ଛାତି ଗର୍ବରେ ଫୁଲିଗଲା । ବିଦେଶ ମାଟିରେ ହିନ୍ଦୀ ସିନେମାକୁ ଏତେ ପ୍ରେମ ମିଳିବ ବୋଲି କେହି ସ୍ବପ୍ନରେ ସୁଦ୍ଧା ଭାବିନଥିଲେ । ଆଶା ଥିଲା ଯେ ନୀରଜ ଘାୟୱାନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର "ହୋମବାଉଣ୍ଡ" ଇତିହାସ ସୃଷ୍ଟି କରିବ । ଈଶାନ ଖଟ୍ଟର-ଜାହ୍ନବୀ କପୁର ଏବଂ ବିଶାଳ ଜେଠୱା ଅଭିନୀତ ଏହି ସିନେମା କୋଭିଡ୍ ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କ ବ୍ୟଥାକୁ ପରଦାରେ ଓହ୍ଲାଇଥିଲା । ଉଚ୍ଚକୋଟିର ସିନେମା କିନ୍ତୁ ଶ୍ରେଷ୍ଠ ୧୫ ତାଲିକାରେ ସାମିଲ ହେଲା । ଶେଷ ୫ ସିନେମା ଘୋଷଣା ହେଲାବେଳକୁ ହୋମବାଉଣ୍ଡ ବାଉନ୍ସ କରି ଲିଷ୍ଟରୁ ହିଁ ବାହାର ହୋଇଗଲା । ଏହା ଖାଲି ଏକ ଚଳଚ୍ଚିତ୍ରର ବିଫଳତା ନୁହେଁ ବରଂ ଭାରତୀୟ ସିନେମାର ୬୮ ବର୍ଷ ପୁରୁଣା କ୍ଷତ ଉପରେ ପୁଣିଥରେ ପ୍ରହାର । ସେତେବେଳେ ‘ମଦର ଇଣ୍ଡିଆ’କୁ ଉପେକ୍ଷା କରାଯାଇଥିଲା ଆଉ ଏବେ ‘ହୋମବାଉଣ୍ଡ୍’ । ଓସ୍କାର ପାଇଁ ୧୯୫୭ ମସିହାରେ ପ୍ରଥମେ ଭାରତ ଆନୁଷ୍ଠାନିକ ପ୍ରବେଶ କରିଥିଲା । ତା’ପରେ ୬୦ ରୁ ଅଧିକ ଚଳଚ୍ଚିତ୍ର ତାଲିକାରେ ସାମିଲ ହୋଇଛି କିନ୍ତୁ ଫଳ ଶୂନ । ଭାରତ ଗୀତ, ପୋଷାକ , ଡାଇଲଗ୍ ସବୁଥିରେ ୧ ନମ୍ବର କିନ୍ତୁ ବିଶ୍ବର ସବୁଠାରୁ ବଡ଼ ମଞ୍ଚରେ କେବେ ଟ୍ରଫି ଉଠାଇନାହିଁ । ଭାରତୀୟ ସିନେମା ଇତିହାସରେ କେବଳ ତିନୋଟି ଘଟଣା ଘଟିଛି ଯେତେବେଳେ ହିନ୍ଦୀ ସିନେମା ବିଜୟର ଅତି ନିକଟତର ହୋଇଥିଲା ଅର୍ଥାତ ଶ୍ରେଷ୍ଠ ୫ ତାଲିକାରେ ପହଞ୍ଚିଥିଲା ।
ଆଗକୁ ପଢ଼ନ୍ତୁ : ମେରୀ କମ୍ ବିବାଦ : ଭାଇରାଲ୍ ହେଉଛନ୍ତି ସମୟ ରୈନା
୧ . ମଦର ଇଣ୍ଡିଆ (୧୯୫୮)
ଓସ୍କାର ତାଲିକାରେ ଭାରତର ପ୍ରଥମ ଏବଂ ସର୍ବୋତ୍ତମ ଚଳଚ୍ଚିତ୍ର । ମେହବୁବ ଖାନଙ୍କ ଏହି ଏଭରଗ୍ରିନ୍ ସିନେମା ଇଟାଲୀର "ନାଇଟ୍ସ ଅଫ୍ କାବିରିଆ" ଫିଲ୍ମଠାରୁ ମାତ୍ର ଗୋଟିଏ ଭୋଟରେ ହାରିଥିଲା । ସେତେବେଳର ପରାଜୟ ଆଜି ମଧ୍ୟ ସିନେମା ଜଗତ ପାଇଁ ପରିତାପର ବିଷୟ ହୋଇରହିଛି ।
୨. ସଲାମ୍ ବମ୍ବେ (୧୯୮୯)
୩୧ ବର୍ଷର ଲମ୍ବା ପ୍ରତୀକ୍ଷା ପରେ ହିନ୍ଦୀ ସିନେମାର ଭାଗ୍ୟ ପୁଣି ଉଦୟ ହେଲା । ମୀରା ନାୟରଙ୍କ ସିନେମା ସଲାମ୍ ବମ୍ବେ ମୁମ୍ବାଇର ରାସ୍ତାରେ ରହୁଥିବା ପିଲାମାନଙ୍କର ଦୁଃଖଭରା ବାସ୍ତବତାକୁ ସାମ୍ନାକୁ ଆଣିଥିଲା । ଏହି ସିନେମା ଦେଖି ପୁରା ବିଶ୍ବ କାନ୍ଦିଥିଲା କିନ୍ତୁ ଓସ୍କାର ସମ୍ମାନ ଦେବାକୁ ଅମଙ୍ଗ ଥିଲା ।
୩. ଲଗାନ (୨୦୦୨)
ଆମିର ଖାନଙ୍କ ଅଭିନୀତ ଲଗାନ ସିନେମା ସାରା ଦେଶରେ ଓସ୍କାର ଫିଭର ସୃଷ୍ଟି କରିଥିଲା । ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଏବଂ ଆମିର ଖାନ ମାସ ମାସ ଧରି ଆମେରିକାରେ ଫିଲ୍ମଟିର ପ୍ରଚାର କରିଥିଲେ । ପରିଶ୍ରମ ସଫଳ ହେଲା ଆଉ ଓସ୍କାର ଲିଷ୍ଟରେ ସ୍ଥାନ ପାଇଲା ଲଗାନ । କିନ୍ତୁ ସେତେବେଳେ ବି ସମାନ ଅବସ୍ଥା "ନୋ ମ୍ୟାନ୍ସ ଲ୍ୟାଣ୍ଡ" ଟ୍ରଫି ଉଠାଇନେଲା ଆଉ ଶ୍ରେଷ୍ଠ ପାଞ୍ଚରେ ହିଁ ରହିଗଲା ଲଗାନ ।
ତେବେ ପ୍ରାୟତଃ ସିନେପ୍ରେମୀ ଭାବନ୍ତି ଯେ ଏ.ଆର.ରହମାନ ତଥା ସିନେମା RRR ର ବିଜୟ ଭାରତୀୟ ସିନେମାର ବିଜୟ । କିନ୍ତୁ ଏଠାରେ ମଧ୍ୟ ଟେକନିକର ଟିକିନିଖିକୁ ଆମକୁ ବୁଝିବାକୁ ପଡ଼ିବ । ଏ.ଆର.ରହମାନ ଏବଂ ଗୁଲଜାର ୨୦୦୯ ରେ "ସ୍ଲମଡଗ୍ ମିଲିୟନେୟର" ପାଇଁ ଓସ୍କାର ଜିତିଥିଲେ କିନ୍ତୁ ସେହି ଚଳଚ୍ଚିତ୍ରଟି ମୂଳତଃ ଏକ ବ୍ରିଟିଶ୍ ପ୍ରଡକ୍ସନର ଥିଲା । ୨୦୨୩ ରେ ନାଟୁ ନାଟୁ ବେଷ୍ଟ୍ ଅରିଜିନାଲ୍ ସଙ୍ଗର ପୁରସ୍କାର ଜିତିଥିଲା । କିନ୍ତୁ RRR ସେତେବେଳେ ଭାରତର ବେଷ୍ଟ୍ ଇଣ୍ଟରନ୍ୟାସନାଲ୍ ସିନେମାରେ ଏଣ୍ଟ୍ରି ନେଇପାରିନଥିଲା । ସେହି ବର୍ଷ ‘ଛେଲୋ ସୋ’ ଭାରତ ତରଫରୁ ପଠାଯାଇଥିଲା କିନ୍ତୁ ସଫଳ ହୋଇପାରିନଥିଲା ।
ତେବେ ଭଲ ସିନେମା ଦେଇ ଭାରତ କାହିଁକି ସବୁବେଳେ ପଛରେ ରହିଯାଉଛି ଏହାକୁ ମଧ୍ୟ ବୁଝିବାକୁ ପଡ଼ିବ । ସଂକ୍ଷେପରେ କହିବାକୁ ଗଲେ ଓସ୍କାରକୁ ଆପଣ ନିର୍ବାଚନ ସହିତ ତୁଳନା କରିପାରିବେ । ଏହି ସମ୍ମାନରେ ହଜାର ହଜାର ସଦସ୍ୟ ଭୋଟ୍ କରନ୍ତି । ଲକ୍ଷ ଲକ୍ଷ ଟଙ୍କାର ଜନସଂପର୍କ ଏବଂ ମାର୍କେଟିଂର ଦରକାର ପଡ଼େ । ଭାରତୀୟ ପ୍ରଯୋଜକମାନଙ୍କ ପାଖରେ ପ୍ରାୟତଃ ହଲିଉଡର ରାସ୍ତାରେ ଚଳଚ୍ଚିତ୍ରର ବିଜ୍ଞାପନ ପାଇଁ ବଡ଼ ବଡ଼ ବିଲବୋର୍ଡ ଲଗାଇବା ପାଇଁ ବଜେଟର ଅଭାବ ଥାଏ । ଯେହେତୁ ବିଦେଶୀ ଚଳଚ୍ଚିତ୍ର ବହୁତ କମ୍ ସମୟର ଥାଏ ଜୁରୀ ଏହାକୁ ଦେଖିବାକୁ ଅଧିକ ପସନ୍ଦ କରନ୍ତି । ଅନ୍ୟପକ୍ଷରେ ହିନ୍ଦୀ ସିନେମା ଅଢ଼େଇରୁ ତିନି ଘଣ୍ଟା , ଲମ୍ବା ଗୀତ ହୋଇଥିବାରୁ ଜୁରୀ ଅଧିକ ସମୟ ଧରି ସିନେମା ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଯେଉଁଠି ଦକ୍ଷିଣ କୋରିଆର "ପାରାସାଇଟ୍" କିମ୍ବା ଫ୍ରାନ୍ସର ଫିଲ୍ମ ଓସ୍କାର ପୂର୍ବରୁ କାନ୍ସରେ ନିଜର ପରିଚୟ ସୃଷ୍ଟି କରନ୍ତି ସେଠାରେ ହିନ୍ଦୀ ସିନେମା ସିଧା ଓସ୍କାର ଦୌଡ଼ରେ ସାମିଲ ହୋଇଯାଏ ଯାହ ପରାଜୟର ଏକ ବଡ଼ କାରଣ ।
Follow Us