କନକ ବ୍ୟୁରୋ: ସାମାଜିକ ଦାୟିତ୍ବବୋଧ ତଥା ନିରନ୍ତର ପରିବେଶ ଅନୁକୂଳ ବିକାଶର ପ୍ରତିବଦ୍ଧତା ପରିପ୍ରେକ୍ଷୀରେ ହକି ଇଣ୍ଡିଆ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ତେଲେଙ୍ଗାନାର ହାଇଦ୍ରାବାଦଠାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ଅବସରରେ ବନୀକରଣ ତଥା ପରିବେଶ ସୁରକ୍ଷାର ଜନହିତକର ବାର୍ତ୍ତା ଦେବାକୁ ‘ଆଡପ୍ଟଟ୍ରୀ’ ନାମକ ସ୍ବେଚ୍ଛାସେବୀ ସଂଗଠନ ସହ ସହବନ୍ଧନ କରିଛି । ଏହି ପ୍ରତିଯୋଗିତା ମାର୍ଚ୍ଚ ୮ରୁ ଆରମ୍ଭ ହୋଇ ୧୪ ତାରିଖରେ ଶେଷ ହେବ । ୭ ଦିନର ଖେଳରେ ହେବାକୁ ଥିବା ପ୍ରତି ପେନାଲ୍ଟି କର୍ଣ୍ଣର ପାଇଁ ‘ଆଡପ୍ଟଟ୍ରୀ’ ୫୦ ଗଛ ଲଗାଇବ । ସେହିଭଳି ଗୋଟିଏ ଗୋଟିଏ ଗୋଲ୍ ପାଇଁ ୧୦୦ ଲେଖାଏଁ ବୃକ୍ଷ ରୋପଣ କରିବ । ଏହି ଅନନ୍ୟ ସବୁଜ ଅଭିଯାନ ମାଧ୍ୟମରେ ପରିବେଶ ସୁରକ୍ଷାରେ ଜଙ୍ଗଲ ତଥା ସବୁଜିମାର ସକାରାତ୍ମକ ପ୍ରଭାବ ଏବଂ ଏହାର ସୁଫଳକୁ ଲୋକଙ୍କ ପାଖରେ ପହଞ୍ଚାଇବେ ‘ହକି ଇଣ୍ଡିଆ’ ଓ ‘ଆଡପ୍ଟଟ୍ରୀ’ । ଏହି ଗଛଗୁଡ଼ିକ ତେଲେଙ୍ଗାନା, ନାଗାଲାଣ୍ଡ ଓ ଅରୁଣାଚଳପ୍ରଦେଶ ଲଗାଯିବ । ଯାହା ପରିବେଶଗତ ପୁନରୁଦ୍ଧାର ଏବଂ ସବୁଜ ଆଚ୍ଛାଦନ ବିସ୍ତାର ଦିଗରେ ଏକ ମାଇଲ୍ଖୁଣ୍ଟ ସାବ୍ୟସ୍ତ ହେବ ।
ଏହା ବି ପଢ଼ନ୍ତୁ: ମାର୍ଚ୍ଚ ୨୮ରୁ ଆଇପିଏଲ୍, ମେ’ ୩୧ରେ ଫାଇନାଲ୍
ଏଭଳି ପ୍ରୟାସର ମୂଳ ଲକ୍ଷ୍ୟ ହେଉଛି ଏକ ସ୍ଥାୟୀ ପରିବେଶଗତ ଐତିହ୍ୟ ସୃଷ୍ଟି କରିବା ସହିତ ଖେଳାଳି, ପ୍ରଶଂସକ ଓ ସମ୍ପ୍ରଦାୟ ମଧ୍ୟରେ ପରିବେଶ ବିକାଶର ସଚେତନତାକୁ ପ୍ରୋତ୍ସାହିତ କରିବା । ଏହି ଅଭିଯାନ ମଧ୍ୟ ଅନ୍ତର୍ଜାତୀୟ ହକି ମହାସଂଘର ‘ଜଙ୍ଗଲକୁ ଫେରାଇବା’ ଅଭିଯାନକୁ ଆହୁରି ସୁଦୃଢ଼ କରିବ । ଏହି ଅଭିଯାନ ଅନ୍ତର୍ଗତ ଭାରତ, ଚୀନ, ଓମାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଉରୁଗୁଏ ଭଳି ଦେଶରେ ଏଫ୍ଆଇଏଚ୍ ଭିନ୍ନ ଭିନ୍ନ ସ୍ବେଚ୍ଛାସେବୀ ସଂଗଠନକୁ ସାଥୀ କରି ହଜାର ହଜାର ବୃକ୍ଷରୋପଣ କରିସାରିଲାଣି । ଏହି ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି କହିଛନ୍ତି, ହକି ସବୁବେଳେ ଦଳଗତ ଭାବନା, ଦାୟିତ୍ବବୋଧ, ସମ୍ମାନ ଓ ନାଗରିକ ମୂଲ୍ୟକୁ ଗୁରୁତ୍ବ ଦେଇ ଆସିଛି । ଯାହା ହକି ପଡ଼ିଆ ବାହରକୁ ମଧ୍ୟ ପରିବର୍ଦ୍ଧିତ । ବିଶ୍ବକପ୍ର ପରିବେଶ ବିକାଶ ସାଥୀ ଭାବେ ‘ଆଡପ୍ଟଟ୍ରୀ’କୁ ପାଇ ଆମେ ବହୁତ ଉଲ୍ଲସିତ । ଗୋଲ୍ ଓ କର୍ଣ୍ଣର ସହ ବୃକ୍ଷରୋପଣକୁ ଯୋଡ଼ି ଏଫ୍ଆଇଏଚ୍ କ୍ରୀଡ଼ା ସଫଳତାକୁ ଏକ ସ୍ଥାୟୀ ପରିବେଶଗତ ଐତିହ୍ୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ସଂପାଦକ ଭୋଳାନାଥ ସିଂହ ମଧ୍ୟ ଏଫ୍ଆଇଏଚ୍ର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।
ସୂଚାନଯୋଗ୍ୟ ଯେ ଏଫ୍ଆଇଏଚ୍ ହକି ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରେ ଆୟୋଜକ ଭାରତ ସହ ଇଂଲଣ୍ଡ, ସ୍କଟଲାଣ୍ଡ, କୋରିଆ, ଇଟାଲି, ଉରୁଗୁଏ, ୱେଲ୍ସ ଓ ଅଷ୍ଟ୍ରିଆ ଭଳି ଦେଶ ଅଂଶଗ୍ରହଣ କରିବେ । ଏଥିରୁ ବେଲଜିୟମ ଓ ନେଦରଲାଣ୍ଡ୍ସରେ ଚଳିତବର୍ଷ ଖେଳାଯିବାକୁ ଥିବା ହକି ବିଶ୍ବକପ୍ ଲାଗି ତିନିଟି ଦଳ ଯୋଗ୍ୟତା ଅର୍ଜନ କରିବେ ।
Follow Us