କନକ ବ୍ୟୁରୋ: ହକି ଇଣ୍ଡିଆ ଲିଗ୍ ୯ ବର୍ଷ ପରେ କ୍ରୀଡ଼ା ରାଜଧାନୀ ଭୁବନେଶ୍ବରକୁ ଫେରିଛି । ହକି ଇଣ୍ଡିଆ ଲିଗ୍ର ପୁରୁଷ ପ୍ରତିଯୋଗିତା ଚେନ୍ନାଇ ଓ ରାଞ୍ଚି ପରେ ଏହାର ଶେଷ ପର୍ଯ୍ୟାୟ କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ହକି କମ୍ପ୍ଲେକ୍ସଠାରେ ଶନିବାରଠାରୁ ଖେଳାଯିବ । ଏହି ପର୍ଯ୍ୟାୟରେ ୯ଟି ଲିଗ୍ ସହ କ୍ବାଲିଫାୟାର, ଏଲିମିନେଟର୍, ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍ ଓ ଫାଇନାଲ୍ ରହିଛି । ଏଥିଲାଗି କଳିଙ୍ଗ ଷ୍ଟାଡିୟମ୍ ମଧ୍ୟ ପୂରା ପ୍ରସ୍ତୁତ ହୋଇଛି । ପ୍ରାୟ ୮ ବର୍ଷ ପରେ ହକି ଇଣ୍ଡିଆ ଲିଗ୍ ଗତ ବର୍ଷ ପୁନଃ ଆରମ୍ଭ ହୋଇଥିଲେ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯାଇ ନଥିଲା । ଉଭୟ ପୁରୁଷ ଓ ମହିଳାରେ ହୋଇଥିବା ଏହି ଲିଗ୍ର ମ୍ୟାଚ୍ଗୁଡ଼ିକ ରାଞ୍ଚି ଓ ରାଉରକେଲାରେ ଖେଳାଯାଇଥିଲା । ଫଳରେ ଭୁବନେଶ୍ବର ଦର୍ଶକ ଏହାକୁ ହାତଛଡ଼ା କରିଥିଲେ । ଏବେ ଏହି ଲିଗ୍ କଳିଙ୍ଗକୁ ଫେରିଥିବାରୁ ଭୁବନେଶ୍ବର ଦର୍ଶକ ଉତ୍ଫୁଲ୍ଲିତ ଅଛନ୍ତି । ଏଥିସହ ପ୍ରବେଶ ଲାଗି ମାଗଣା ଟିକେଟ୍ ବ୍ୟବସ୍ଥା ଥିବାରୁ ଅଧିକ ଦର୍ଶକ ଷ୍ଟାଡିୟମ୍ରେ ଉପସ୍ଥିତ ରହି ହକି ମଜା ଉଠାଇବେ ବୋଲି ଆୟୋଜକ ଆଶା ବାନ୍ଧିଛନ୍ତି ।
ଏହା ବି ପଢ଼ନ୍ତୁ: ହକି ଇଣ୍ଡିଆ ଲିଗ୍: ଲାନ୍ସର୍ସର ଅପରାଜେୟ ଧାରା ଜାରି
ଏହି ଲିଗ୍ରେ ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ସହ ଗତ ସଂସ୍କରଣ ବିଜେତା ଶ୍ରାଚୀ ବେଙ୍ଗଲ ଟାଇଗର୍ସ, ଉପବିଜେତା ହାଇଦ୍ରାବାଦ ତୁଫାନ୍ସ, ଜେଏସ୍ଡବ୍ଲ୍ୟୁ ସୁର୍ମା ହକି କ୍ଲବ୍, ଏସ୍ଜି ପାଇପର୍ସ, ଆକୋର୍ଡ ତାମିଲନାଡ଼ୁ ଡ୍ରାଗନ୍ସ, ରାଞ୍ଚି ରୟାଲ୍ସ ଓ ହିଲ୍ ଜିସି ରହିଛନ୍ତି । କଳିଙ୍ଗ ଲାନ୍ସର୍ସ ପ୍ରଥମ ଦୁଇ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ଅପରାଜେୟ ରହିଛି । ଏହି ଦଳ ୪ ମ୍ୟାଚ୍ରୁ ୩ ସିଧାସଳଖ ଓ ଗୋଟିଏ ସୁଟ୍ଆଉଟ୍ ବିଜୟରୁ ୧୧ ପଏଣ୍ଟ୍ ପାଇ ଟେବୁଲର ଶୀର୍ଷରେ ରହିଛି । ଘରୋଇ ପଡ଼ିଆରେ ଆଉ ୩ ମ୍ୟାଚ୍ ଖେଳିବାକୁ ଥିବାରୁ ବିଜୟ ଧାରା ଜାରି ୧-୨ ମଧ୍ୟରେ ରହି କ୍ବାଲିଫାୟାର-୧ ଖେଳିବା ଆଶାରେ ରହିଛି । ଘରୋଇ ଦଳ କଳିଙ୍ଗ ଲାନ୍ସର୍ସ ରହିଥିଲେ ମଧ୍ୟ ଓଡ଼ିଶାର ତାରକା ଖେଳାଳି ଅମିତ ରୋହିଦାସ ରହିଛନ୍ତି ତାମିଲନାଡ଼ୁ ଡ୍ରାଗନ୍ସର ଅଧିନାୟକ । ଏହି ଦଳରେ ଅନ୍ୟ ଦୁଇ ଓଡ଼ିଆ ଖେଳାଳି ଆନନ୍ଦ ଲାକ୍ରା ଓ ଆଦ୍ରୋହିତ ଏକ୍କା ରହିଥିବାରୁ ଡ୍ରାଗନ୍ସକୁ ମଧ୍ୟ କଳିଙ୍ଗ ଦର୍ଶକଙ୍କ ସମର୍ଥନ ମିଳିବା ସମ୍ଭାବନା ରହିଛି । ହାଇଦ୍ରାବାଦ ତୁଫାନ୍ସରେ ଅମନଦୀପ ଲାକ୍ରା ଓ ଶିଳାନନ୍ଦ ଲାକ୍ରା, ଶ୍ରାଚୀ ବେଙ୍ଗଲ ଟାଇଗର୍ସରେ ବିବେକ ଲାକ୍ରା, ରାଞ୍ଚି ରୟାଲ୍ସରେ ନୀଲମ ସଂଜୀବ ଖେସ୍ ଓ ଅନମୋଲ ଏକ୍କା ଏବଂ ହିଲ୍ ଜିସିରେ ପ୍ରଶାନ୍ତ ବାର୍ଲା ଓ ସୁଦୀପ ଚିର୍ମାକୋ ଭଳି ଓଡ଼ିଶା ଖେଳାଳି ଅଛନ୍ତି ।
କଳିଙ୍ଗ ଷ୍ଟାଡିୟମ୍ରେ ଶନିବାର ଦୁଇଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ରେ ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ସଂଧ୍ୟା ୫ଟାରେ ଖେଳାଯିବ । ଏହାପରେ ରାତି ୭ଟାରେ ଘରୋଇ ଦଳ କଳିଙ୍ଗ ଲାନ୍ସର୍ସକୁ ଭେଟିବ ଏସ୍ଜି ପାଇପର୍ସ । ୨୨ ତାରିଖ ଲିଗ୍ ପର୍ଯ୍ୟାୟ ଶେଷ ପରେ ୨୩ରେ କ୍ବାଲିଫାୟାର-୧ ଓ ଏଲିମିନେଟର୍ ଖେଳାଯିବ। ୨୫ରେ କ୍ବାଲିଫାୟାର-୨ ଏବଂ ୨୬ରେ ତୃତୀୟ ସ୍ଥାନ ଓ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।
ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଦଳ: କ୍ରିଷନ୍ ବି ପାଠକ, ସୁନିଲ ପିବି, ପ୍ରତାପ ଲାକ୍ରା, ରୋହିତ କୁଲୁ, ସଞ୍ଜୟ, ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ, ଅମିତ କୁମାର ଟୋପ୍ପୋ, ରୋଶନ କୁଜୁର, ଗୁରସାହିବଜିତ ସିଂହ, ଅଙ୍ଗଦ ବୀର ସିଂହ, ଦୀପକ ପ୍ରଧାନ, ଦିଲପ୍ରୀତ ସିଂହ, ବବି ସିଂହ ଧାମି (ଭାରତୀୟ)। ଜେଡ୍ ସ୍ନିଡେନ୍, ଆଣ୍ଟୋନି କିନା, ଆର୍ଥର ଭାନ୍ ଡୋରେନ୍, ଆଲେକ୍ଜାଣ୍ଡର ହେଣ୍ଡ୍ରିକ୍ସ, କ୍ରେଗ୍ ମାରିଆସ୍, ଲିଅମ ହେଣ୍ଡରସନ୍, କୁପର ବର୍ନସ (ବିଦେଶୀ) ।
Follow Us