କନକ ବ୍ୟୁରୋ : ଐତିହାସିକ ବାରବାଟୀ ଷ୍ଟାଡିୟମ ଆଜି ପୁଣି ଥରେ ଦୁଲୁକିବାକୁ ଯାଉଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ କଟକ ସହର ଉତ୍ସବମୁଖର ହୋଇଉଠିଛି । ଷ୍ଟାଡିୟମ ଭିତରୁ ବାହାର ଯାଏଁ ଚାରିଆଡ଼େ କେବଳ ‘ବ୍ଲୁ ବ୍ଲୁ’ ଦୃଶ୍ୟ ଦେଖିବାକୁ ମିଳୁଛି । ଖେଳପ୍ରେମୀମାନେ ଭାରତୀୟ ଦଳର ଜର୍ସି ପିନ୍ଧି ଟିମ୍ ଇଣ୍ଡିଆକୁ ସମର୍ଥନ କରିବା ପାଇଁ ଘୋ ଘା କରୁଛନ୍ତି।

Advertisment

ସନ୍ଧ୍ୟା ୭ଟାରେ ହେବାକୁ ଥିବା ଏହି ହାଇଭୋଲ୍‌ଟେଜ୍‌ ମ୍ୟାଚ୍ ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଦୀର୍ଘ ସମୟର ଅପେକ୍ଷା ପରେ ଷ୍ଟାଡିୟମ ଗେଟ୍ ଖୋଲିଛି ଏବଂ ଦର୍ଶକମାନେ ଲମ୍ବା ଧାଡ଼ିରେ ରହି ଶୃଙ୍ଖଳିତ ଭାବେ ଭିତରକୁ ପ୍ରବେଶ କରୁଛନ୍ତି । ଏହି ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେଉଥିବାରୁ, ସୂର୍ଯ୍ୟ ସେନା ଏଠାରୁ ବିଜୟ ଅଭିଯାନ ଆରମ୍ଭ କରିବ ବୋଲି ଆଶା କରାଯାଉଛି । ଉଭୟ ଦଳର ଖେଳାଳିମାନେ ଷ୍ଟାଡିୟମ ଅଭିମୁଖେ ବାହାରି ସାରିଛନ୍ତି ।

ଅଧିକ ପଢନ୍ତୁ: ବାରବାଟୀରେ କାହା ପଲ୍ଲା ଭାରି? ଭାରତ ନାଁରେ ରହିଛି ଲଜ୍ଜାଜନକ ରେକର୍ଡ

ମ୍ୟାଚ୍ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୋଟ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସେହିପରି କଟକ ରେଳ ଷ୍ଟେସନରେ ମଧ୍ୟ ଜିଆରପି ଓ ଆରପିଏଫ୍ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ନିୟୋଜିତ ଅଛନ୍ତି । ଦର୍ଶକଙ୍କ ଗମନାଗମନ ସୁବିଧା ପାଇଁ ‘ମୋ ବସ୍’ ବା ‘ଆମ ବସ୍’ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅପରାହ୍ଣ ସାଢ଼େ ୩ଟାରୁ ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନରୁ ୨୦ଟି ସ୍ୱତନ୍ତ୍ର ବସ୍ ଚଳାଚଳ କରୁଛି । ବରମୁଣ୍ଡା, ଜୟଦେବବିହାର, ନନ୍ଦନକାନନ ଏବଂ ରେଳ ଷ୍ଟେସନରୁ ସିଧା ବାରବାଟୀକୁ ବସ୍ ସେବା ଯୋଗାଇ ଦିଆଯାଇଛି ।ଆଉ କିଛି ସମୟର ଅପେକ୍ଷା, ତା’ପରେ ଛକା ଓ ଚୌକା ବର୍ଷାରେ କମ୍ପି ଉଠିବ ବାରବାଟୀ ।