କନକ ବ୍ୟୁରୋ : ପ୍ରଦୂଷଣ ପ୍ରମାଣ ପତ୍ର ନଥିଲେ ପେଟ୍ରୋଲ ମନା ନେଇ ପରିବହନ ବିଭାଗ ଗାଇଡଲାଇନ ସରକାରଙ୍କୁ ଅକଳରେ ପକାଇଛି । ମାମଲା ହାଇକୋର୍ଟରେ ପହଁଚିବା ପରେ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ପ୍ରଦୂଷଣ ପ୍ରମାଣ ପତ୍ର କଟକଣା ନାଁରେ ପରିବହନ ବିଭାଗର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ସରକାରଙ୍କୁ ମହଙ୍ଗା ପଡିଛି । ହାଇକୋର୍ଟରେ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ, ବାଧ୍ୟହୋଇ ନିର୍ଦ୍ଦେଶ ପ୍ରତ୍ୟାହାର କରିଛି ପରିବହନ ବିଭାଗ । ସତ୍ୟପାଠ ଦାଖଲ କରି, ପ୍ରଦୂଷଣ ପ୍ରମାଣ ପତ୍ର ନଥିଲେ ପେଟ୍ରୋଲ ମନା ନିର୍ଦ୍ଦେଶ ପ୍ରତ୍ୟାହୃତ ନେଇ ହାଇକୋର୍ଟଙ୍କୁ ଅବଗତ କରିଛି ।
ଖଣ୍ଡପୀଠ ନିର୍ଦ୍ଦେଶ ଦେଇ କହିଛନ୍ତି, ସମସ୍ତ ଚାଲାଣ ଭରିବାକୁ ବାଧ୍ୟ କରିପାରିବେ ନାହିଁ ସରକାର । ଏଥିପାଇଁ ବାହନ ପୋର୍ଟାଲରେ ସଂଶୋଧନ କର । ବାହନ ପୋର୍ଟାଲରେ କୌଣସି ଚାଳକ ଯେମିତି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହା ଉପରେ ପଦକ୍ଷେପ ନିଅ । ଏଥିସହ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ ।
ଅଧିକ ପଢ଼ନ୍ତୁ---ସର୍ଟସର୍କିଟ୍ରୁ ଭୟାବହ ଅଗ୍ନିକାଣ୍ଡ ! ଜଳିଗଲା ୫ରୁ ଅଧିକ ଦୋକାନ
ପିୟୁସିସି ନଥିଲେ ପେଟ୍ରୋଲ ମନା ନେଇ ଗତ ମାସରେ ଅଚାନକ କଟକଣା ଲଗାଇଥିଲା ପରିବହନ ବିଭାଗ । ତାପରେ କାମ ଧନ୍ଧା ଛାଡି ପ୍ରଦୂଷଣ ଯାଂଚ କେନ୍ଦ୍ର ଆଗରେ ଧାଡି ଲଗାଇଥିଲେ ହଜାର ହଜାର ଗାଡି ଚାଳକ । କିନ୍ତୁ ଯେଉଁ ମାନଙ୍କର ପୂର୍ବରୁ କୌଣସି ଜରିମାନା ଥିଲା ସେମାନେ ସମସ୍ୟାରେ ପଡିଥିଲେ । ଜରିମାନା ପଇଠ କରିବା ପାଇଁ ପୁଣି ଟ୍ରାଫିକ୍ ଅଫିସ୍ ଆଗରେ ଲାଇନ୍ ଲଗାଇଥିଲେ । ଏହାକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ବାହାନ ପୋର୍ଟାଲରେ ଥିବା ତ୍ରୁଟି ଓ ପରିବହନ ବିଭାଗର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ ଆବେଦନକାରୀ । ମାମଲାର ଶୁଣାଣି କରି ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।
ପିୟୁସିସି କଟକଣା ପରେ ବିରୋଧୀ ସରକାରଙ୍କୁ ଘେରିଥିଲେ । ବିଭିନ୍ନ ସଂଗଠନ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ । ଏବେ ପ୍ରଶ୍ନ ଉଠୁଛି, କାହା ସ୍ବାର୍ଥରେ ଅତି ତରବରିଆ ଭାବେ ପିୟୁସିସି କଟକଣା ଲଗାଇଥିଲେ ସରକାର ? ସରକାରଙ୍କ ଅସଲ ଉଦ୍ଦେଶ୍ୟ କ’ଣ ଥିଲା, ଜରିମାନା ଆଦାୟ ନା ପ୍ରଦୂଷଣ ନିୟନ୍ତ୍ରଣ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/27/pucc-2026-01-27-19-15-10.jpg)