କନକ ବ୍ୟୁରୋ : ହୁତୁହୁତୁ ହୋଇ ଜଳୁଛି ନିଆଁ । ଲିଭାଇବାକୁ ଯଥା ସମ୍ଭବ ଚେଷ୍ଟା ଚାଲିଛି । ନିଆଁ ଲିଭି ତ’ ଯାଇଛି, କିନ୍ତୁ ନିଜ ସହ ଜାଳିଦେଇଯାଇଛି ସ୍ବପ୍ନ । ଯୁଆଡ଼େ ଦେଖିବ ପାଉଁଶ , ସର୍ବଗିଳା ନିଆଁ କିଛି ରଖିନି । ଧାନ, ଚାଉଳ, ସୁନା, ରୂପା, ଟଙ୍କା ସବୁ ଏବେ ଅଙ୍ଗାର । ଯଦି କିଛି ଅଛି ତାହେଲେ ପିନ୍ଧା ବସ୍ତ୍ର । ଅଙ୍ଗାରକୁ ଆଡ଼େଇ ବର୍ଷକର ଆହାର ଖୋଜୁଛନ୍ତି ଅଗ୍ନି ବିପନ୍ନ । ବାଲେଶ୍ୱର ମାଖନପୁର ପଞ୍ଚାୟତ ତରାଙ୍ଗ ଗାଁରେ ବିଳମ୍ବିତ ରାତିରେ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ପୂର୍ଣ୍ଣିଚନ୍ଦ୍ର ସେଠୀ, ଅକ୍ଷୟ ସେଠୀ, ବିଜୟ ସେଠୀ, ମନୋରଞ୍ଜନ ସେଠୀ ଓ ସରୋଜ ସେଠୀ ୫ଟି ପରିବାର ୧୪ବଖରା ଘର ଜଳିଯାଇଛି । ପାଉଁଶ ହୋଇଯାଇଛି ୨୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି! ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ସଦସ୍ୟ । ଏବେ ମୁଣ୍ଡ ପିଟି କାନ୍ଦିବା ଛଡ଼ା ବାଟ କିଛି ନାହିଁ ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଗୋଟିଏ ଦୋକାନରୁ ନିଆଁ ଲାଗି ୫ରୁ ଅଧିକ ଦୋକାନ ଜଳିଯାଇଛି । ସ୍ଥାନୀୟ ଲୋକ ଦେଖି ଅଗ୍ନିଶମ ବାହିନୀକୁ ଏ ନେଇ ଖବର ଦେଇଥିଲେ । କିନ୍ତୁ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ସବୁ କିଛି ଭସ୍ମୀଭୂତ ହୋଇଯାଇଥିଲା । ବିଦ୍ୟୁତ୍ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଠାରୁ ବଡ଼ ବିପତ୍ତି ବୋଧ ହୁଏ କିଛି ନାହିଁ । ଏଠି ଘର କି ଦୋକାନ ଜଳିନି। ନିଆଁରେ ପୋଡ଼ି ମରିଯାଇଛି ଗରିବର ସ୍ବପ୍ନ ଆଉ ବ୍ୟବସାୟୀର ଜୀବିକା । ଅସହାୟ ହୋଇ ଅଗ୍ନି ବିପନ୍ନ ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ।
ଅଧିକ ପଢ଼ନ୍ତୁ---ଚାଲିଥିଲା ଜନ ଅଭିଯୋଗ ଶୁଣାଣି ; ହଠାତ୍ ତଳେ ବସି ନେହୁରା ହେଲେ ଜଣେ ଚାଷୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/27/fire-2026-01-27-18-15-16.png)