weather-today Photograph: (Google)
କନକ ବ୍ୟୁରୋ; ଉତ୍ତର ଭାରତରେ ପ୍ରବଳ ଶୀତ ଓ ତୁଷାରପାତ ଲାଗି ରହିଥିବାବେଳେ ଆଗକୁ ମଧ୍ୟ ଏଥିରେ ନିସ୍ତାର ମିଳିବାର ସମ୍ଭାବନା ନାହିଁ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଆଗାମୀ ଦିନରେ ଉତ୍ତର ଉତ୍ତର ଭାରତରେ ପ୍ରବଳ ବର୍ଷା ଓ ତୁଷାରପାତ ପାଇଁ ଚେତାବନୀ ଦେଇଛି । ହିମାଳୟ ଅଞ୍ଚଳରେ ପଶ୍ଚିମା ଝଡ଼ ପ୍ରଭାବରେ ଜାନୁଆରି ୩୧ରୁ ଫେବୃଆରି ୨ ତାରିଖ ପର୍ଯ୍ୟନ୍ତ ପ୍ରବଳ ତୁଷାରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ଶନିବାରଠାରୁ ଉତ୍ତରପଶ୍ଚିମ ଭାରତ ତଥା ସଂଲଗ୍ନ କେନ୍ଦ୍ରୀୟ ଭାରତରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି । ଉତ୍ତରପଶ୍ଚିମ ଭାରତ, ସଂଲଗ୍ନ କେନ୍ଦ୍ରୀୟ ଭାରତ ତଥା ପୂର୍ବ ଭାରତର କେତେକ ସ୍ଥାନରେ ସୋମବାର ପର୍ଯ୍ୟନ୍ତ ଘନକୁହୁଡ଼ି ଦେଖାଯାଇପାରେ ।
ଅଧିକ ପଢନ୍ତୁ: ଭୟଙ୍କର ସଡ଼କ ଦୁର୍ଘଟଣା: ପ୍ରବଳ ତୁଷାରପାତ ଯୋଗୁ ୧୦୦ ରୁ ଅଧିକ ଗାଡ଼ି ପଛକୁ ପଛ ଧକ୍କା
ଦିଲ୍ଲୀରେ ଆକାଶ ମେଘାଚ୍ଛନ୍ନ ରହିବ, ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ। ଦିଲ୍ଲୀରେ ସର୍ବାଧିକ ତାପମାତ୍ରା୧୭ ଡିଗ୍ରିରୁ ୧୯ ଡିଗ୍ରି ମଧ୍ୟରେ ରହିବ । ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରିରୁ ୮ ଡିଗ୍ରି ମଧ୍ୟରେ ରହିବ। ଶୁକ୍ରବାର ଦିଲ୍ଲୀରେ ଆକାଶ ମେଘୁଆ ରହିବା ସହିତ ହାଲୁକା କୁହୁଡ଼ି ଦେଖାଯିବ । ଶନିବାର ଦିଲ୍ଲୀରେ ଝଡ଼ ଓ ପବନ ସହିତ ହାଲୁକା ବର୍ଷା ହେବ । ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ ବୁଧବାର ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହୋଇଛି ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି ।
ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତର ପ୍ରଦେଶ, ପୂର୍ବ ମଧ୍ୟ ପ୍ରଦେଶ ଓ କେନ୍ଦ୍ର ମହାରାଷ୍ଟ୍ର ଓ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ପଶ୍ଚିମା ଝଡ଼ ପ୍ରଭାବରେ ଜାନୁଆରି ୩୦ ରୁ ଉତ୍ତର ପଶ୍ଚିମ ଭାରତରେ ପାଣିପାଗରେ ପରିବର୍ତ୍ତନ ଆସିବ ବୋଲି କୁହାଯାଇଛି । ବୁଧବାର ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ହାଲୁକା ବର୍ଷା ହୋଇଛି। ଜମ୍ମୁ ଏବଂ କାଶ୍ମୀର ସମେତ ଉତ୍ତର ଭାରତରେ ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି ।
Follow Us