ପାଠ ପଢ଼ିବାକୁ ଜୀବନ ସଂଘର୍ଷ; ପାହାଡ଼ିଆ ରାସ୍ତା, ନଦୀ ଓ ନାଳ ପାର ହେଉଛି କୁନି ପାଦ

କୋଲାର ପଞ୍ଚାୟତର ଅର୍ଜୁନଗୁଡ଼ା, ଭାଲିଆପଦର ଏବଂ ରତାଖଣ୍ଡିଗୁଡ଼ା ଗାଁରେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି । କିନ୍ତୁ ଏହି ୩ ଖଣ୍ଡ ଗାଁକୁ ଯାତାୟାତ କରିବା ପାଇଁ ପକ୍କା ରାସ୍ତା ନାହିଁ । ଫଳରେ ଏହି ଗାଁ ଗୁଡ଼ିକ ଅବହେଳିତ ଅବସ୍ଥାରେ ରହିଛି ।

Heartbreaking Struggle

Heartbreaking Struggle Photograph: (Kanak News)

କନକ ବ୍ୟୁରୋ : ପାଠ ପଢ଼ିବାକୁ ମରଣ ସହ ସଂଘର୍ଷ । ସ୍କୁଲ ଯିବାକୁ କଣ୍ଟକିତ ପଥରେ ଯାତ୍ରା । ପାହାଡ଼ିଆ ରାସ୍ତା, ନଦୀ ଓ ନାଳ ପାର ହେଉଛି କୁନି ପାଦ । ଅତି ଦୟନୀୟ ସ୍ଥିତିରେ ପାଠ ପଢ଼ୁଛନ୍ତି କୋମଳମତି ଶିଶୁ ଓ ଛାତ୍ରଛାତ୍ରୀ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବୈପାରୀଗୁଡ଼ା ବ୍ଲକ କୋଲାର ପଞ୍ଚାୟତର ୩ଖଣ୍ଡ ଗାଁରେ ।

କୋଲାର ପଞ୍ଚାୟତର ଅର୍ଜୁନଗୁଡ଼ା, ଭାଲିଆପଦର ଏବଂ ରତାଖଣ୍ଡିଗୁଡ଼ା ଗାଁରେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି । କିନ୍ତୁ ଏହି ୩ ଖଣ୍ଡ ଗାଁକୁ ଯାତାୟାତ କରିବା ପାଇଁ ପକ୍କା ରାସ୍ତା ନାହିଁ । ଫଳରେ ଏହି ଗାଁ ଗୁଡ଼ିକ ଅବହେଳିତ ଅବସ୍ଥାରେ ରହିଛି । ସରକାର ପ୍ରତ୍ୟେକ ଗାଁକୁ ଗମନାଗମନ ସୁବିଧା ପାଇଁ ସଡ଼କ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ଆଜି ସୁଦ୍ଧା ଏହି ୩ ଖଣ୍ଡ ଗାଁକୁ ନିତିଦିନିଆ ରାସ୍ତା ହୋଇପାରୁନି । ଏହି ୩ଖଣ୍ଡ ଗାଁରେ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ନାହିଁ । ତେଣୁ ୩୦ରୁ ଊର୍ଦ୍ଧ୍ବ କୋମଳମତି ଶିଶୁ ଓ ଛାତ୍ରଛାତ୍ରୀ ନଦୀ ଓ ପାହାଡ଼ିଆ ରାସ୍ତା ଅତିକ୍ରମ କରି ୪କିମି ଦୂରରେ ଥିବା ମୁଦୁଲିଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଯାଉଛନ୍ତି ।

ଅଧିକ ପଢ଼ନ୍ତୁ : କୋରାପୁଟକୁ ଛୁଇଁଲା ପହିଲି ଶୀତ ; ଅଳସ ଭାଙ୍ଗି ଫୁଲେଇ ହେଉଛି ଅଳସୀ ଫୁଲ

କିନ୍ତୁ ବର୍ଷାଦିନେ ରତାଖଣ୍ଡିଗୁଡ଼ା ଗାଁ ରାସ୍ତାରେ ଥିବା ପାହାଡ଼ିଆ ନଦୀରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ଏହି ଗାଁର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଠପ୍‌ ହୋଇଯାଇଥାଏ । ଭାଲିଆପଦର ଏବଂ ଅର୍ଜୁନଗୁଡ଼ା ଗ୍ରାମର ପିଲାମାନେ ବର୍ଷାଦିନେ ପାହାଡ଼ିଆ ରାସ୍ତାରେ ଯାତାୟାତ କରିଥାନ୍ତି । ବନ୍ୟଜନ୍ତୁ ଭୟ ରହିଥିଲେ ମଧ୍ୟ ବିକଳ୍ପ ବ୍ୟବସ୍ଥା ନଥିବାରୁ ପିଲାମାନେ ପଢ଼ିବା ପାଇଁ ମୁଦୁଲିଗୁଡ଼ା ଯାଇଥାନ୍ତି । ଗାଁକୁ ଚାରିଚକିଆ ଯାନ ଯାଉନଥିବା ବେଳେ ବହୁ କଷ୍ଟରେ ଦୁଇଚକିଆ ଯାନ ଯାଇଥାଏ । ଗାଁର ଗର୍ଭବତୀ ଓ ଗୁରୁତର ରୋଗୀଙ୍କୁ ଜରୁରୀ ସମୟରେ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବା ପରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଉଛି ।

ବିଶେଷ କରି ବୟସ୍କମାନେ ଭତ୍ତା କିମ୍ବା ପିଡିଏସ୍‌ ଚାଉଳ ଆଣିବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ରାସ୍ତା ନିର୍ମାଣ ପାଇଁ ବହୁବାର ଦାବି ହେବା ପରେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କ ମାଳମାଳ ଯୋଜନା କାହା ପାଇଁ ? ଆଉ କେତେ ଯନ୍ତ୍ରଣାର ସମ୍ମୁଖୀନ ହେଲେ, ଲୋକଙ୍କ ଦୁଃଖ ଦିଶିବ ସରକାରଙ୍କୁ ? ଏ ଅପହଞ୍ଚ ଗାଁକୁ କେବେ ରାସ୍ତା କରିବ ସ୍ଥାନୀୟ ପ୍ରଶାସନ ? କେବେ ତୁଟିବ କୁନି ପିଲାଙ୍କ ସମସ୍ୟା ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe