କନକ ବ୍ୟୁରୋ : ଦଇବ ଯେତେବେଳେ ଦାଉ ସାଧେ, ସେତେବେଳେ ମଣିଷ ବି କିଂକର୍ତ୍ତବ୍ୟମୂଢ଼ ହୋଇପଡ଼େ । ଏୟା ବୋଧେ ଜୀବନରେ ଅଛି ଭାବି ଭାଗ୍ୟକୁ ଆଦରି ଯାହି ତାହି ବଞ୍ଚିବାକୁ ଏକ ପ୍ରକାରର ବାଧ୍ୟ ହୋଇପଡ଼େ । ସେମିତି ଅତି ଦୟନୀୟ ସ୍ଥିତିରେ ଜୀବନ ଜିଉଁଛନ୍ତି ଦୃଷ୍ଟିବାଧିତ ଶତ୍ରୁଘ୍ନ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସାମନ୍ତରାପୁର ପଞ୍ଚାୟତ ରସୁଣା ଗାଁର ଶତ୍ରୁଘ୍ନ । ଶତ ପ୍ରତିଶତ ଦୃଷ୍ଟିବାଧିତ, ଆଖିକୁ କିଛି ଦିଶୁନି । ହେଲେ ବୁଢ଼ା ବାପା, ମାଆ, ସ୍ତ୍ରୀ ସହ ଛୋଟ ଝିଅଙ୍କୁ ମିଶାଇ ମୁଣ୍ଡ ଉପରେ ୫ ପ୍ରାଣୀଙ୍କ ଦାୟିତ୍ବ । ପେଟ ପୋଷିବାକୁ ଅନ୍ୟ ସାଧନ ନାହିଁ ଏଣୁ ବାଧ୍ୟ ହୋଇ ପାମ୍ପଡ଼ ବିକୁଛନ୍ତି ଶତ୍ରୁଘ୍ନ । 

Advertisment

ମୁଣ୍ଡ ଉପରେ ଛାତ ନଥିବାରୁ ସରକାରୀ ଜାଗାରେ କଟୁଛି ପୂରା ପରିବାରର ଦିନ । ଘର କହିଲେ ଅଧା ଭଙ୍ଗା କାନ୍ଥ । ଆଉ ଛାତର କାମ କରୁଛି ଛିଣ୍ଡା ଜରି , ଘର ସାରା ମୂଷାଗାତ । ତାଙ୍କର ଦୟନୀୟ ଜୀବନ କାଟିବାର ଶୈଳୀ ଯାହାକୁ ବି ଆନ୍ଦୋଳିତ କରିବ । ଜିଲ୍ଲା ପ୍ରଶାସନ କିମ୍ବା ନେତାମନ୍ତ୍ରୀଙ୍କ ଦୃଷ୍ଟି ଆଢୁଆଳରେ ଶତ୍ରୁଘ୍ନଙ୍କ ଆଖିର ଲୁହ ବୋଲ ମାନୁ ନଥିବାବେଳେ ଆଜି ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିବା ଶତ୍ରୁଘ୍ନଙ୍କୁ ଦେଖି କୋଳେଇ ନେଇଥିଲେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର । ଶତ୍ରୁଘ୍ନଙ୍କ ଦୁଃଖ ଶୁଣି ତାଙ୍କୁ ଆଦରରେ କୁଣ୍ଢାଇ ପକାଇବା ସହ କର୍ମଚାରୀଙ୍କୁ ତାଙ୍କ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଏଥିସହ ତାଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିବାକୁ ବି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଜିଲ୍ଲାପାଳଙ୍କ ଏହି ଭଳି ପ୍ରତିକ୍ରିୟା ଶତ୍ରୁଘ୍ନଙ୍କ ମନୋବଳ ବଢ଼ାଇଛି । ଆଉ ଜିଲ୍ଲାପାଳଙ୍କ ଏଭଳି ମହନୀୟତାଙ୍କୁ ପ୍ରଶଂସା କରୁଛନ୍ତି ।  

ଅଧିକ ପଢ଼ନ୍ତୁ--ଏହିସବୁ ରାଶିରେ ବୃହସ୍ପତି ଚଳନ; ଜାଣନ୍ତୁ କାହାକୁ ଶୁଭ, କାହାକୁ କ୍ଷତି..