କନକ ବ୍ୟୁରୋ : ଡାକ୍ତର ଆନ୍ଦୋଳନ ସ୍ଥଗିତ ଯୋଗୁଁ ଲୋକେ ଆଶ୍ୱସ୍ତ ହୋଇଛନ୍ତି । କିନ୍ତୁ ରାଜ୍ୟର ଦୁଇ ବଡ଼ ମେଡିକାଲରେ ଗତ ଦୁଇ ଦିନ ଭିତରେ ଯାହା ଘଟିଛି ସେ ନେଇ ଚିନ୍ତାରେ ପଡିଛନ୍ତି ରୋଗୀ ଓ ସମ୍ପର୍କୀୟ । ସରକାରୀ ହସ୍ପିଟାଲର ଅବ୍ୟବସ୍ଥା ଭିତରେ ଚିକିତ୍ସା ପାଇଁ ଯାଇଥିବା ରୋଗୀ ସୁସ୍ଥ ହୋଇ ଫେରିବ ନା ଆହୁରି ବିଗିଡ଼ିଯିବ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି ।

Advertisment

ରାଜ୍ୟର ଦୁଇ ପ୍ରମୁଖ ହସ୍ପିଟାଲ ଏସ୍‌ସିବି, କଟକ ଏବଂ ଏମ୍‌କେସିଜି, ବ୍ରହ୍ମପୁର । ଚିକିତ୍ସା ପାଇଁ ଏଠିକୁ ପ୍ରତିଦିନ ଲକ୍ଷ ଲକ୍ଷ ରୋଗୀ ଆସିଥାନ୍ତି । କିନ୍ତୁ ରାଜ୍ୟର ଦୁଇ ବଡ ମେଡିକାଲରୁ ଆସିଥିବା ଏହି ଦୁଇଟି ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି । କଟକ ବଡ଼ ମେଡିକାଲ ମେଡିସିନ୍ ୱାର୍ଡରେ ସିମେଣ୍ଟ କଂଙ୍କ୍ରିଟ୍ ଖସି ଜଣେ ରୋଗୀ ଆହତ ହେବା ପରେ ପଦାରେ ପଡିଛି ଅବ୍ୟବସ୍ଥା । ଏମ୍ସ ପ୍ଲସର ସ୍ୱପ୍ନ ନେଇ ଏସସିବିରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ରୋଗୀ ଉପରେ ସିଲିଂ ଖସିବାକୁ ନେଇ ଅସନ୍ତୋଷ ଝାଡିଛନ୍ତି ରୋଗୀ ସମ୍ପର୍କୀୟ । ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ।

ଅଧିକ ପଢ଼ନ୍ତୁ : ଓମ୍‌ସା ଆନ୍ଦୋଳନ ସ୍ଥଗିତ; ଦାବିକୁ ବିଚାରକୁ ନିଆଯିବ ବୋଲି କହିଲେ ମନ୍ତ୍ରୀ

ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଡାକ୍ତରଖାନାରୁ ଆସିଛି ଆହୁରି ଚିନ୍ତାଜନକ ଦୃଶ୍ୟ । ମଙ୍ଗଳବାର ସର୍ଜରି ବିଭାଗର ଓଟିରେ ଅପରେସନ ସମୟରେ ହଠାତ୍ ବିଦ୍ୟୁତ୍ ଚାଲିଯିବାରୁ ଅନ୍ଧାରରେ କରାଯାଇଛି ଅସ୍ତ୍ରପଚାର । ଦୀର୍ଘ ସମୟ ପରେ ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇଥିଲା । ସୁପରିଟେଣ୍ଡେଣ୍ଟଙ୍କ କହିବା ଅନୁଯାୟୀ, ଅପରେସନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ TPCODL ପକ୍ଷରୁ ପୂର୍ବ ସୂଚନା ବିନା ବିଦ୍ୟୁତ କଟାଯାଇଥିଲା । ଆପାତକାଳୀନ UPS ମଧ୍ୟ କାମ କରିନଥିଲା । ରାଜ୍ୟର ଦୁଇ ମୁଖ୍ୟ ହସ୍ପିଟାଲର ସ୍ଥିତି ପାଇଁ ପ୍ରଶାସନିକ ଅବହେଳାକୁ ଦାୟୀ କରିଛନ୍ତି ରୋଗୀ ଓ ସମ୍ପର୍କୀୟ। ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ ।

ଓମ୍‌ସାର ଆନ୍ଦୋଳନ ସ୍ଥଗିତ ହୋଇଛି। ଡାକ୍ତର ସଂଘ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସକାରାତ୍ମକ ରହିଛି । ଆନ୍ଦୋଳନ ସ୍ଥଗିତ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । ଦାବି ପୂରଣ ନେଇ କମିଟି ଗଠନ କରିଛି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସ୍ୱାସ୍ଥ୍ୟ ବିଭାଗ, ଅର୍ଥ ବିଭାଗ, ଆଇନ ବିଭାଗ ସଚିବ ରହିଛନ୍ତି । ଡାକ୍ତରଙ୍କ ଦାବିକୁ ବିଚାର କରି ପଦକ୍ଷେପ ନିଆଯିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେପଟେ ଓମ୍‌ସା ସଂଘ ସଭାପତି କିଶୋର ମିଶ୍ର କହିଛନ୍ତି ମନ୍ତ୍ରୀଙ୍କ ସହିତ ସକାରାତ୍ମକ ଆଲୋଚନା ହୋଇଛି । ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ଦିନ ଆଲୋଚନା ଅପେକ୍ଷା ସରକାର ସକାରାତ୍ମକ ଅଛନ୍ତି । ଆଜି ସଂଧ୍ୟା ସୁଦ୍ଧା ଅନେକ ଦାବି ପୂରଣ ହୋଇଯିବ ବୋଲି କହିଛନ୍ତି ଓମ୍‌ସା ସଭାପତି । ବର୍ତ୍ତମାନ୍ ପାଇଁ ଆନ୍ଦୋଳନ ସ୍ଥଗିତ ରଖାଗଲା । ଆସନ୍ତାକାଲିଠୁ ସବୁ କିଛି ସ୍ଵାଭାବିକ ହେବ ।